ଜୀବନ ସାଥୀ ବାଛିବାରେ ଭୁଲ୍‌ କରିଦେଇଛି’

କଟକ ଅଫିସ,୨୦ା୫: ନ୍ୟାୟର ଅପେକ୍ଷା କରିବାଠୁ ଭଲ ମୃତ୍ୟୁକୁ ଆପଣାଇ ନେବା। ହେଲେ ମୁଁ ସେମିତି ଭୁଲ୍‌ କରିବି ନାହିଁ। କାରଣ ମୁଁ ମୋ ପିତାମାତା ଓ ପ୍ରିୟଜନଙ୍କୁ ବହୁତ ଭଲ ପାଏ ବୋଲି କହିଛନ୍ତି କେନ୍ଦ୍ରାପଡ଼ା ଏମ୍‌ପି ତଥା ଅଭିନେତା ଅନୁଭବ ମହାନ୍ତି। ଅନୁଭବ ଏବଂ ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ମାମଲା ଏବେ କୋର୍ଟରେ ବିଚାରାଧୀନ ଥିବାବେଳେ ଗୁରୁବାର ନିଜ ୟୁଟ୍ୟୁବ ଆକାଉଣ୍ଟରେ ଭିଡିଓ ଶେୟାର କରି ବଖାଣିଛନ୍ତି ନିଜ ମନର ଅକୁହା କଥା। ପ୍ରାୟ ଅଧଘଣ୍ଟାର ଏହି ଭିଡିଓରେ ଅନୁଭବ ପ୍ରଥମେ ନିଜ ପରିବାର ଏବଂ ଚଳଚ୍ଚିତ୍ର ଜଗତରେ ପ୍ରବେଶ ବିଷୟରେ କହିଛନ୍ତି। ଏହାପରେ ସେ ତାଙ୍କ ବୈବାହିକ ଜୀବନ ବିଷୟରେ କହିଛନ୍ତି। ଏଥିସହ ଏହି ଭିଡିଓ ପରେ ସେ ନିଜ ରାଜନୈତିକ କ୍ୟାରିୟର ନେଇ ସନ୍ଦେହ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ୨୦୦୮ରେ ଜଣଙ୍କୁ ନିଜଠାରୁ ଅଧିକ ଭଲ ପାଇଲି, ଆଉ ୨୦୧୪ରେ ତାଙ୍କୁ ଜୀବନସାଥୀ ଭାବେ ମଧ୍ୟ ଗ୍ରହଣ କଲି। ତାଙ୍କ ବିନା ଆଉ କାହା ବିଷୟରେ କେବେ ଭାବି ନାହିଁ କି ଚିନ୍ତା କରି ନାହିଁ। ଏ କୋର୍ଟ, କଚେରି, ଥାନା, ପୋଲିସ ମୋ ଜୀବନରେ କେବେ ଦେଖି ନ ଥିଲି। କେବେ ଭାବି ନ ଥିଲି ଯେ ମୋତେ ବି ଏମିତି ଦୌଡ଼ିବାକୁ ପଡ଼ିବ, ତା’ ବି ଜଣଙ୍କୁ ଭଲ ପାଇକି। ଜୀବନ ସାଥୀ ବାଛିବାରେ ସବୁଠୁ ବଡ଼ ଭୁଲ୍‌ କରିଦେଲି ବୋଲି କହିଛନ୍ତି। ଅନୁଭବ ନିଜ ରାଜନୈତିକ କ୍ୟାରିଅର ନେଇ ଆଶଙ୍କାରେ ଥିବା ମଧ୍ୟ କହିଛନ୍ତି। ସେ କହିଛନ୍ତି, ଏହି ଭିଡିଓ ବାହାରକୁ ଗଲାପରେ ରାଜନୈତିକ ପଦବୀ ମିଳିବା ନ ମିଳିବା କଥା ଜାଣି ନାହିଁ। ହେଲେ ମୁଁ ନ୍ୟାୟିକ ଲଢ଼ିବା ପାଇଁ ନିଷ୍ପତ୍ତି ନେଇଛି। ନ୍ୟାୟ ମିଳିବା ପର୍ଯ୍ୟନ୍ତ ଲଢିବି ବୋଲି କହିଛନ୍ତି ଅନୁଭବ। ତେବେ ଭିଡିଓ ମଝିରେ ଅନୁଭବ ତାଙ୍କ ବିବାହ ନେଇ ଏକ ଇତିହାସ ଥିବା କହିଛନ୍ତି। ଯଦି ଦର୍ଶକ ଅନୁମତି ଦେଲେ ସେ ବିଷୟରେ କହିବି ବୋଲି କହିଛନ୍ତି। ସୂଚନାଯୋଗ୍ୟ, ଅନୁଭବ ମହାନ୍ତି ଏବଂ ସ୍ତ୍ରୀ ବର୍ଷା ଛାଡ଼ପତ୍ର ମାମଲା ଅଦାଲତରେ ବିଚାରାଧୀନ ରହିଛି।ଏଣେ ଅନୁଭବଙ୍କ ବିରୋଧରେ ସ୍ତ୍ରୀ ବର୍ଷା ବିଭିନ୍ନ ସଙ୍ଗୀନ ଅଭିଯୋଗ ଆଣିବା ସହିତ ଭରଣପୋଷଣ ଏବଂ କ୍ଷତିପୂରଣ ବାବଦକୁ ୧୫ କୋଟିରୁ ଅଧିକ ଟଙ୍କା ଦାବି କରି କଟକ ଏସ୍‌ଡିଜେଏମ୍‌ ଅଦାଲତର ଦ୍ୱାରସ୍ଥ ହୋଇଛନ୍ତି।