Categories: ଜାତୀୟ

ମୁକୁଳିଲେ ଅମରମଣି, ମଧୁମଣି

ଗୋରଖପୁର/ଲକ୍ଷ୍ନୌ,୨୬ା୮: କବୟିତ୍ରୀ ମଧୁମିତା ଶୁକ୍ଳା ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ସଜା କାଟୁଥିବା ଉତ୍ତର ପ୍ରଦେଶର ପୂର୍ବତନ ମନ୍ତ୍ରୀ ଅମରମଣି ତ୍ରିପାଠୀ ଓ ତାଙ୍କ ସ୍ତ୍ରୀ ମଧୁମଣି ତ୍ରିପାଠୀ ଜେଲ ଅବଧି ପୂରିବା ପୂର୍ବରୁ ଶୁକ୍ରବାର ସନ୍ଧ୍ୟାରେ ମୁକୁଳିଛନ୍ତି। ୟୁପି ଜେଲ ବିଭାଗ ଉଭୟଙ୍କୁ ଆଗୁଆ ମୁକ୍ତ କରିବା ପାଇଁ ଗୁରୁବାର ଅର୍ଡର ଜାରି କରିଥିଲା। ରାଜ୍ୟର ରେମିଶନ୍‌ ପଲିସି (ଉତ୍ତମ ବ୍ୟବହାର ପାଇଁ ଦୋଷୀଙ୍କୁ କ୍ଷମା ପ୍ରଦାନ ପୂର୍ବକ ମୁକ୍ତ କରିବା ନୀତି) ଅନୁସାରେ ଏହି ଦମ୍ପତି ୧୬ ବର୍ଷ ଜେଲରେ ରହିସାରିଥିବାରୁ ଏବେ ମୁକ୍ତ କରାଯାଉଛି ବୋଲି ଏଥିରେ ଉଲ୍ଲେଖ କରାଯାଇଛି।
ତ୍ରିପାଠୀ ଦମ୍ପତିଙ୍କ ମୁକ୍ତି ଉପରେ ସ୍ଥଗିତାଦେଶ ଜାରି ପାଇଁ ଶୁକ୍ରବାର ସୁପ୍ରିମକୋର୍ଟ ମନା କରିଦେଇଥିଲେ। ଜଷ୍ଟିସ୍‌ ଅନିରୁଦ୍ଧ ବୋଷ ଏବଂ ବେଲା ଏମ୍‌. ତ୍ରିବେଦୀ ରାଜ୍ୟ ସରକାରଙ୍କୁ ନୋଟିସ କରି ମଧୁମିତାଙ୍କ ଭଉଣୀ ନିଧି ଶୁକ୍ଳାଙ୍କ ଆବେଦନ ଉପରେ ୮ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କାରାଗାର ବିଭାଗ ଅର୍ଡରରେ ଦର୍ଶାଇଛି ଯେ, ଅମରମଣିଙ୍କୁ ୬୬ ବର୍ଷ ହେଉଥିବାବେଳେ ତାଙ୍କ ସ୍ତ୍ରୀ ମଧୁମଣିଙ୍କୁ ୬୧ ବର୍ଷ ହେଉଛି। ଜେଲରେ ଦୁହିଁଙ୍କ ଆଚରଣ ଉତ୍ତମ ରହିଆସିଛି। ତେବେ ସୁପ୍ରିମକୋର୍ଟ ସେମାନଙ୍କ ମୁକ୍ତିରେ ହସ୍ତକ୍ଷେପ କରିବାକୁ ମନା କରିବା ପରେ ସ୍ତ୍ରୀ ଓ ସ୍ବାମୀ ମୁକୁଳି ଗୋରଖପୁର ବିଆର୍‌ଡି ମେଡିକାଲ କଲେଜରେ ଭର୍ତ୍ତି ହୋଇଛନ୍ତି। ଅମରମଣିଙ୍କ ପୁଅ ଅମନମଣି ତ୍ରିପାଠୀ ଖବରଦାତାମାନଙ୍କୁ କହିଛନ୍ତି, ଡାକ୍ତରଙ୍କ ପରାମର୍ଶକ୍ରମେ ମା’ବାପାଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ସେମାନେ ଯାହା କହିବେ ସେହି ଅନୁସାରେ ଆଗକୁ ସବୁ କରାଯିବ। ଉଲ୍ଲେଖଯୋଗ୍ୟ, ପୂର୍ବରୁ ନଉତନଭାରୁ ବିଧାନସଭାକୁ ନିର୍ବାଚିତ ହୋଇଥିବା ଅମନମଣି ୨୦୦୧ରେ ଭାଜପା ସରକାରରେ ମନ୍ତ୍ରୀ ଥିଲେ। ୨୦୦୨ରେ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ସରକାରରେ ମଧ୍ୟ ତାଙ୍କୁ ମନ୍ତ୍ରୀ ପଦ ମିଳିଥିଲା। ସେ ସମାଜବାଦୀ ପାର୍ଟି (ଏସ୍‌ପି) ସହ ମଧ୍ୟ ଜଡ଼ିତ। ଅଭିଯୁକ୍ତଙ୍କ ପ୍ରଭାବଶାଳୀ ରାଜନୈତିକ ଓ ଆପରାଧିକ ପୃଷ୍ଠଭୂମି ଥିବାରୁ ସେମାନେ ମୁକୁଳିଥିବାରୁ ନିଜ ଜୀବନ ତଥା ପରିବାର ପ୍ରତି ଭୟ ଅଛି ବୋଲି ଲମ୍ବା ଆଇନଗତ ଲଢ଼େଇ ଲଢ଼ିଥିବା ନିଧି ଶୁକ୍ଳା କହିଛନ୍ତି।
୨୦୦୩ ମେ’ ୯ରେ କବୟିତ୍ରୀ ମଧୁମିତା ଗର୍ଭବତୀ ଥିବାବେଳେ ତାଙ୍କୁ ଲକ୍ଷ୍ନୌସ୍ଥିତ ପେପର ମିଲ୍‌ କଲୋନୀରେ ଗୁଳିକରି ହତ୍ୟା କରାଯାଇଥିଲା। ମଧୁମିତାଙ୍କ ସହ ଅବୈଧ ସମ୍ପର୍କ ରଖିଥିବା ଅମରମଣିଙ୍କୁ ସେହିବର୍ଷ ଗିରଫ କରାଯାଇଥିଲା। ଡେରାଡୁନ୍‌ସ୍ଥିତ ଏକ କୋର୍ଟ ଅମରମଣି ଓ ମଧୁମଣିଙ୍କୁ ୨୦୦୭ ଅକ୍ଟୋବରରେ ଆଜୀବନ ଜେଲ ଦଣ୍ଡାଦେଶ ଦେଇଥିଲେ। ପରବର୍ତ୍ତୀ ସମୟରେ ନୈନିତାଲ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟ ଏହି ଦମ୍ପତିଙ୍କ ଦଣ୍ଡ ଅବଧିକୁ ବଳବତ୍ତର ରଖିଥିଲେ। ଏହି ହାଇପ୍ରୋଫାଇଲ ମାମଲାର ତଦନ୍ତ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) କରିଥିଲା।

Share