ହଜାରେ ଟଙ୍କାରେ ଗୁଜରାଣ ମେଣ୍ଟାଉଥିଲେ ଭଣ୍ଡାରକର

ମୁମ୍ବାଇ: ମଧୁର ଭଣ୍ଡାରକର । ବିଟାଉନର ଜଣେ ପରିଚିତ ଚେହେରା । ବଲିଉଡ୍ ଦୁନିଆର ଏହିନାମୀ ନିର୍ଦ୍ଦେଶକ ଅଧିକ ନ ହେଲେବି ଯେତିକି ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି ପ୍ରାୟ ସବୁ ଫିଲ୍ମ ଦର୍ଶକଙ୍କ ମନରେ ବସାବାନ୍ଧିଛି । ଏକ ମଧ୍ୟବିତ୍ତ ପରିବାରରୁ ଆସିଥିବା ଏହି ନିର୍ଦ୍ଦେଶକ ୫୩ ବର୍ଷ ବୟସରେ ପାଦ ରଖିଛନ୍ତି । ବହୁ ଉତ୍ଥାନ ପତନ ଦେଇ ଗତି କରିଥିବା ଭଣ୍ଡାରକର ଖୁବ୍ କମ୍ ସମୟ ମଧ୍ୟରେ ବଲିଉଡରେ ତିଆରି କରିଥିଲେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ । ମାତ୍ର ୧୪ଟି ଫିଲ୍ମ ତିଆରି କରିଥିବା ଏହି ନିର୍ଦ୍ଦେଶକ ଯେମିତି ପ୍ରତିଟି ଫିଲ୍ମରେ କିଛି ଭିନ୍ନ ସ୍ୱାଦ ଭେଟି ଦେଇଛନ୍ତି ଦର୍ଶକଙ୍କୁ । ସେ ଯେ କେବଳ ଜଣେ ନିର୍ଦ୍ଦେଶକ ତା’ନୁହେଁ । ସେ ସ୍କ୍ରିପ୍ଟ ରାଇଟର ଓ ପ୍ରଯୋଜକ ମଧ୍ୟ । ଚାନ୍ଦନି ବାର, ପେଜ୍ -୩, ଟ୍ରାଫିକ ସିଗନାଲ, ଫ୍ୟାଶନ, ହିରୋଇନ୍ ଭଳି ହିଟ୍ ଫିଲ୍ମ ଭେଟି ଦେଇଛନ୍ତି ଦର୍ଶକଙ୍କୁ । କେବଳ ନିର୍ଦ୍ଦେଶକ ନୁହେଁ ୧୯୯୫ରେ ସେ ଜଣେ ଅଭିନେତା ଭାବେ ବଲିଉଡ୍‌ରେ କାମ ଆରମ୍ଭ କରିଥିଲେ । ହେଲେ ସେ ପରିଚୟ ପାଇଲେ ଜଣେ ନିର୍ଦ୍ଦେଶକର । ଏକ ମଧ୍ୟବିତ୍ତ ପରିବାରର ପିଲା ଭାବେ ରୋଜଗାର କରିବାକୁ ଅଧାରୁ ପାଠ ଛାଡିଥିଲେ ଭଣ୍ଡାରକର । ଭିଡିଓ ଷ୍ଟୋରରେ କାମ କରିବା ସହ ଟ୍ରାଫିକ ସିଗନାଲରେ ଚୁଇଙ୍ଗମ ବି ବିକିଛନ୍ତି ବିଟାଉନର ଏହି ନାମୀ ନିର୍ଦ୍ଦେଶକ । ଏହାପରେ ଛୋଟ ଛୋଟ ନିର୍ଦ୍ଦେଶକଙ୍କ ପାଖରେ କିଛିଦିନ କାମ କରିବା ପରେ ବଲିଉଡର ସେ ତିଆରି କରିପାରିଛନ୍ତି ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ ।

Share