ଗୁରୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମାଧୁରୀ

ମୁମ୍ବାଇ: କଥକ ସମ୍ରାଟ ପଣ୍ଡିତ ବିରଜୁ ମହାରାଜଙ୍କ ପରଲୋକ ହୋଇଛି । ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୮୩ ବର୍ଷିୟ ବିରଜୁ ମହାରାଜ ରବିବାର ଓ ସୋମବାର ମଧ୍ୟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ପଦ୍ମ ବିଭୁଷଣରେ ସମ୍ମାନୀତ ବିରୁଜ ମହାରାଜଙ୍କ ପରଲୋକ ଖବର ତାଙ୍କ ନାତି ସୋସିଆଲ ମିଡିଆ ମାଧ୍ୟମରେ ଜଣାଇଛନ୍ତି । ଗାୟକ ଅଦନାନ ସାମି ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
ଅଦନାନ ସାମି ଲେଖିଛନ୍ତି ପଣ୍ଡିତ ବିରଜୁ ମହାରାଜଙ୍କ ପରଲୋକରେ ମୁଁ ଅତ୍ୟନ୍ତ ଦୁଃଖି । ଆଜି ଆମେ କଳା କ୍ଷେତ୍ରରେ ଏକ ଭିନ୍ନ ସଂସ୍ଥାକୁ ହରାଇ ବସିଲୁ । ଯିଏ ନିଜ ପ୍ରତିଭା ବଳରେ ଅନେକ ପିଢିକୁ ପ୍ରଭାବିତ କରିଥିଲେ ।
ସେହିପରି ବଲିଉଡ ଅଭିନେତ୍ରୀ ମାଧୁରୀ ଦିକ୍ଷିତ ପଣ୍ଡିତ ବିରଜୁ ମହାରାଜଙ୍କୁ ଗୁରୁ ଭାବେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ତାଙ୍କ ସହ ବିଭିନ୍ନ ସମୟର ଫଟୋ ଶେୟାର କରି ମାଧୁରୀ ଲେଖିଛନ୍ତି, ସେ ଜଣେ ଲିଜେଣ୍ଡ ଥିଲେ, ହେଲେ ତାଙ୍କ ନିକଟରେ ଜଣେ ଶିଶୁ ଭଳି କୌଣସି ଆବିଳତା ନ ଥିଲା । ସେ ମୋର ଗୁରୁ ଥିଲେ ପୁଣି ବନ୍ଧୁ ବି ଥିଲେ । ସେ ମୋତେ ନୃତ୍ୟ ଓ ଅଭିନୟ ଶିଖାଇଛନ୍ତି । ହେଲେ ସମୟ ସମୟରେ ମଜଳିଆ କଥା କହି ହସିବାକୁ ଆଉ ହସେଇବାକୁ ସେ ଭଲ ପାଉଥିଲେ । ସେ ତାଙ୍କ ପଛରେ ଶୋକାକୂଳ ପ୍ରଶଂସକ ଓ ଛାତ୍ରଙ୍କୁ ଛାଡି ଯାଇଛନ୍ତି, ହେଲେ ଏମିତି ଏକ ପରିବେଶ ଛାଡି ଯାଇଛନ୍ତି ଯାହା ଆମକୁ ଆଗକୁ ବଢିବାରେ ସାହାଯ୍ୟ କରିବ । ଧନ୍ୟବାଦ ମହାରାଜ ଜି ଯାହା ଆପଣ ଶିଖାଇଛନ୍ତି ନୃତ୍ୟ ସହ ବିନମ୍ରତା, ଶିଷ୍ଟାଚାର ଓ ଦୟା ସେଥିପାଇଁ କୋଟି କୋଟି ପ୍ରଣାମ ।
ବିରଜୁ ମହାରାଜ ବି ମାଧୁରୀଙ୍କୁ ଖୁବ୍ ପସନ୍ଦ କରୁଥିଲେ । ଏକ ସାକ୍ଷାତ୍‌କାରରେ ସେ ଏହା କହିଥିଲେ ।
ପଣ୍ଡିତ ବିରଜୁ ମହାରାଜଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଶୋକ ପ୍ରକାଶ କରିଛନ୍ତି ।


୧୯୩୮, ଫେବୃୟାରୀ ୪ରେ ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଜନ୍ମ ନେଇଥିଲେ ବିରଜୁ ମହାରାଜ । ତାଙ୍କ ପ୍ରକୃତ ନାଁ ଥିଲା ପଣ୍ଡିତ ବୃଜମୋହନ ମିଶ୍ର । ସେ ଜଣେ କଥକ ନୃତ୍ୟଶିଳ୍ପୀ ସହ ଜଣେ ଶାସ୍ତ୍ରୀୟ ଗାୟକ ମଧ୍ୟ । ବିରଜୁ ମହାରାଜଙ୍କ ପିତା ତଥା ଗୁରୁ ଅଚ୍ଛନ ମହାରାଜ, ଚାଚା ଶମ୍ଭୁ ମହାରାଜ ଓ ଲଚ୍ଛୁ ମହାରାଜ ମଧ୍ୟ ଜଣେ ଜଣେ ଜଣେ ନାଁ କରା କଥକ ନୃତ୍ୟଶିଳ୍ପୀ ଥିଲେ । ବିରଜୁ ମହାରାଜ ଦେବଦାସ, ଡେଢ ଇସ୍କିୟା, ଉମରାଓ ଜାନ ଓ ବାଜିରାଓ ମସ୍ତାନୀ ଭଳି ଫିଲ୍ମରେ ଡ୍ୟାନ୍ସ କୋରିଓଗ୍ରାଫି କରିଥିଲେ । ଏହାସହ ସେ ସତ୍ୟତିତ ରାୟଙ୍କ ଫିଲ୍ମ ‘ସତରଞ୍ଜ କି ଖିଲାଡି’ରେ ମ୍ୟୁଜିକ ବି ଦେଇଥିଲେ ।
୧୯୮୩ରେ ତାଙ୍କୁ ପଦ୍ମ ବିଭୁଷଣରେ ସମ୍ମାନୀତ କରାଯାଇଥିଲା । ଏହାସହ ସଙ୍ଗିତ ନାଟକ ଏକାଡେମୀ ପୁରସ୍କାର ଓ କାଳିଦାସ ସମ୍ମାନ ମିଳିଥିଲା । କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟ ଓ ଖେରଗଡ ବିଶ୍ୱବିଦ୍ୟାଳୟ ତାଙ୍କୁ ଡକ୍ଟରେଟ ଉପାଧି ପ୍ରଦାନ କରିଥିଲା । ୨୦୧୨ରେ ବିଶ୍ୱରୂପମ ଫିଲ୍ମରେ ଡ୍ୟାନ୍ସ କୋରିଓଗ୍ରାଫି ପାଇଁ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ଓ ୨୦୧୬ରେ ବାଜିରାଓ ମସ୍ତାନୀରେ ‘ମୋହେ ସଙ୍ଗ ଦୋ ଲାଲ’ ଗୀତରେ କୋରିଓଗ୍ରାଫି ପାଇଁ ଫିଲ୍ମଫେୟାର ପୁରସ୍କାର ମିଳିଥିଲା ବିରଜୁ ମହାରାଜଙ୍କୁ ।

Share