Categories: ଖେଳ

କିଲିମାଞ୍ଜାରୋ ଆରୋହଣ କରିବେ ମଧୁସ୍ମିତା

ଭୁବନେଶ୍ୱର,୬ା୨(ସ୍ପୋଟର୍‌ସ ବ୍ୟୁରୋ): ଗଞ୍ଜାମ ଜିଲାର ଗୋଶାଣନୂଆଗାଁ ଗ୍ରାମର ପର୍ବତାରୋହୀ ମଧୁସ୍ମିତା ପାତ୍ର ଆଫ୍ରିକା ମହାଦେଶର ଉଚ୍ଚତମ ଗିରିଶୃଙ୍ଗ ମାଉଣ୍ଟ କିଲିମାଞ୍ଜାରୋ ଆରୋହଣ କରିବେ। ରବିବାର ବ୍ରହ୍ମପୁର ପ୍ରେସ୍‌ କ୍ଲବରେ ଏହି ଅଭିଯାନ ପାଇଁ ଫ୍ଲାଗ ଅଫ୍‌ ସେରିମନି ଆୟୋଜିତ ହୋଇଛି। ବାୟୁସେନା ଅଧିକାରୀ ପ୍ରେମାନନ୍ଦ ପାତ୍ର ଓ ପୁଷ୍ପାଞ୍ଜଳୀ ଦେବୀଙ୍କ ଝିଅ ମଧୁସ୍ମିତା ଟିସିଏସ୍‌ରେ ଇଞ୍ଜିନିୟର ଭାବରେ କାର୍ଯ୍ୟରତ। ହିମାଳୟ ପର୍ବତାରୋହଣ ପ୍ରତିଷ୍ଠାନ (ଏଚ୍‌ଏମ୍‌ଆଇ)ରୁ ଡିଗ୍ରୀ ହାସଲ ପରେ ମଧୁସ୍ମିତା ମାଉଣ୍ଟ ରେନକ୍‌(୫୦୨୯ ମି.), ଚାଦର ଟ୍ରେକ(୧୧୪୦୦ ଫୁଟ), କେଦାର କଣ୍ଠ(୧୨୪୦୦ ଫୁଟ) ଭଳି ଗିରି ଶୃଙ୍ଗ ଆରୋହଣ କରିଛନ୍ତି। ଏହି ଧାରାରେ ସେ ଆଫ୍ରିକା ମହାଦେଶର ଉଚ୍ଚତମ ପର୍ବତ ମାଉଣ୍ଟ କିଲିମାଞ୍ଜାରୋ(୫୮୯୫ ଫୁଟ) ଆରୋହଣ କରିବେ। ୯ ଫେବୃୟାରୀରୁ ଏହି ଅଭିଯାନ ଆରମ୍ଭ ହୋଇ ୧୬ ଫେବୃୟାରୀ ପର୍ଯ୍ୟନ୍ତ ଜାରି ରହିବ। ରବିବାରର ଅଭିଯାନରେ ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା, ମେୟର ସଂଘମିତ୍ରା ଦଳେଇ ପ୍ରମୁଖ ଯୋଗ ଦେଇଥିଲେ। ଆଗାମୀ ଦିନରେ ୟୁରୋପର ହାଇଏଷ୍ଟ ପିକ୍‌ ମାଉଣ୍ଟ ଏଲବ୍ରୁସ, ହିମାଳୟର ମାଉଣ୍ଟ କୁନ୍‌ ଓ ନେପାଳର ମାଉଣ୍ଟ ଆମାଡାବଲମ ଚଢିବା ଲକ୍ଷ୍ୟରେ ରହିଛନ୍ତି।

Share