ଓଡ଼ିଶାର ପ୍ରଥମ ବାରିଷ୍ଟର, ଉତ୍କଳ ସମ୍ମିଳନୀର ପ୍ରତିଷ୍ଠାତା, ସ୍ବତନ୍ତ୍ର ଉତ୍କଳ ପ୍ରଦେଶର କର୍ଣ୍ଣଧାର, ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଓଡ଼ିଆ ଜାତି ପ୍ରତି ଅବଦାନ ଅବର୍ଣ୍ଣନନୀୟ। ସ୍ବାଭିମାନୀ ଓଡ଼ିଆ ଭାବେ ଦିଗବିଦିଗ ପରିଚିତ ମଧୁବାବୁ ଜଣେ ବାଗ୍ମୀ ଓ ସମାଜ ସଂସ୍କାରକ ଥିଲେ। ତାଙ୍କୁ କୁଳବୃଦ୍ଧ ବୋଲି କୁହାଯାଉଥିଲା। ସେ ଏକାଧାରାରେ ଜଣେ ଓକିଲ, ସାମ୍ବାଦିକ, ରାଜନୀତିଜ୍ଞ ଥିଲେ। ଏପ୍ରିଲ୍ ୨୮ତାରିଖ ତାଙ୍କ ଜନ୍ମଦିନକୁ ରାଜ୍ୟରେ ଆଇନଜୀବୀ ଦିବସ ଭାବେ ପାଳନ କରାଯାଉଛି।
ନବ ଉତ୍କଳର ପ୍ରାଣ ପ୍ରତିଷ୍ଠାତା ଉତ୍କଳ ଗୌରବ ମଧୁସୂଦନ ଦାସ ବା ମଧୁବାବୁ। ଦୁନିର୍ବାର ଶ୍ରଦ୍ଧା ଓ ସ୍ବାଭିମାନର ଜଣେ ଦୁର୍ଦ୍ଧର୍ଷ ସୌଦାଗର। ବିଶ୍ବ ଦରବାରରେ ଓଡ଼ିଆ ଜାତିର ପରିଚୟ ଓ ପ୍ରତିଷ୍ଠା ନିମନ୍ତେ ତ୍ୟାଗ, ସଂକଳ୍ପ ଓ ସାଧନାର ଯେଉଁ ଅନନ୍ୟ ଉଦାହରଣ ସୃଷ୍ଟି କରିଯାଇଛନ୍ତି, ତାହାକୁ ଅଭିନିବେଶ ସହକାରେ ତନ୍ନ ତନ୍ନ କରି ନିରୀକ୍ଷଣ କଲେ ବିସ୍ମୟ ପ୍ଲାବିତ ଶ୍ରଦ୍ଧାରେ ପୂରିଉଠେ ଅନ୍ତରର କୋଣ ଅନୁକୋଣ। ଆଖି ଆଗରେ ନାଚିଯାଏ ମାତୃଭୂମି ଓ ମାତୃଭାଷାର ଉନ୍ନତି କଳ୍ପେ ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ ଯୋଜନାବଦ୍ଧ ଭାବରେ ବିନିଯୋଗ କରିଥିବା ଜଣେ ଛଳନାହୀନ କର୍ମଯୋଗୀର ଉତ୍ତୁଙ୍ଗ ବ୍ୟକ୍ତିତ୍ୱ। ଅଖଣ୍ଡ ସେ ବ୍ୟକ୍ତିତ୍ୱ। ଅସାଧାରଣ ସେ ନେତୃତ୍ୱ। ଉଚ୍ଚଶିକ୍ଷା ଆହରଣ କରିବାକୁ ଯାଇ ମଧୁବାବୁ ଯେତେବେଳେ କୁଳ ହରେଇ, ଧର୍ମ ହରେଇ କଲିକତା ମାଟିରେ ଏକୁଟିଆ ଲଢୁଥିଲେ, ସେତେବେଳେ ସେଠାରେ ଆରମ୍ଭ ହୋଇସାରିଥିଲା ‘ୟଙ୍ଗ ବେଙ୍ଗଲ’ର ଯୁଗ। ସେଥିରେ ପ୍ରଭାବିତ ହୋଇ ସେ ଦେଖିଥିଲେ ‘ୟଙ୍ଗ ଓଡ଼ିଶା’ର ସ୍ବପ୍ନ। କଲିକତା ମହାନଗରୀର ବିଶାଳ ବକ୍ଷରେ ବୁଲି ବୁଲି ନିଜ ଜାତି ଭାଇଙ୍କୁ ଏକାଠି କରିଥିଲେ ଏବଂ ସେଠାରେ ନିର୍ଯାତିତ ନିରକ୍ଷର ଓଡ଼ିଆ ଶ୍ରମିକମାନଙ୍କୁ ସାକ୍ଷର କରିବା ଲକ୍ଷ୍ୟରେ ମାଟିଆବୁରୁଜୁ ଓ ଅନ୍ୟ କେତେକ ସ୍ଥାନରେ ପ୍ରତିଷ୍ଠା କରିଥିଲେ ନୈଶ ବିଦ୍ୟାଳୟ। ମଧୁବାବୁ ସେଠାରେ ଖ୍ରୀଷ୍ଟଧର୍ମ ଗ୍ରହଣ କରି ଥିବାରୁ ତାଙ୍କ ପ୍ରତି ସେତେବେଳେ ବଙ୍ଗାଳୀମାନଙ୍କର ତୁଚ୍ଛ ତାଚ୍ଛଲ୍ୟ ସମ୍ବୋଧନ ଥିଲା ‘ମଧୁଉଡେ’। ସ୍ବାଧୀନ ଭାରତ ବର୍ଷରେ ପ୍ରୌଢ଼ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ ହେବାର ଗୋଟିଏ ଶତାବ୍ଦୀ ପୂର୍ବରୁ କଲିକତା ମାଟିରେ ମଧୁବାବୁ ଆରମ୍ଭ କରିଥିବା ଏହି ସାକ୍ଷରତା ଅଭିଯାନକୁ ଭଣ୍ଡୁର କରିବାକୁ ଯାଇ ସେମାନେ କହି ବୁଲିଲେ- ଓଡ଼ିଆ ଶ୍ରମିକମାନଙ୍କୁ ଖ୍ରୀଷ୍ଟିଆନ କରିବା ପାଇଁ ଏହା ମଧୁ ଉଡେର ଚକ୍ରାନ୍ତ।
୧୯୮୧ରେ ମଧୁବାବୁ ଜ୍ଞାନ ଓ ସ୍ବାଭିମାନର କବଚ କୁଣ୍ଡଳ ପିନ୍ଧି ଆପଣା ଭୂଇଁକୁ ଫେରି ଆସିଲେ ଓ କଟକରେ ଆରମ୍ଭ କଲେ ଆଇନ୍ ବ୍ୟବସାୟ। ମାତ୍ର ପ୍ରଥମ ଓଡ଼ିଆ ଓକିଲ ଭାବରେ ତିରସ୍କୃତ ହେବା ଥିଲା ତାଙ୍କ ପ୍ରାରମ୍ଭିକ ଭାଗ୍ୟଲିପି। ଏପରି କି ଓକିଲାତି ଆରମ୍ଭ ବେଳେ ତାଙ୍କୁ ବସିବାକୁ ଜାଗା ଦେଇ ନ ଥିଲେ ବରିଷ୍ଠ ବଙ୍ଗାଳୀ ଓକିଲମାନେ। ମାତ୍ର ଧୀରେ ଧୀରେ ଆପଣା ବିଜ୍ଞତା, ବାଗ୍ମୀତା, ବିଚକ୍ଷଣତା ଓ ସାମାଜିକ ଦାୟବଦ୍ଧତା ବଳରେ ବୃତ୍ତିରେ ସେ ସାଉଣ୍ଟିବାକୁ ଲାଗିଲେ ଆଶାତୀତ ସଫଳତା ଓ ଖ୍ୟାତି। ଏ ସମ୍ପର୍କରେ ଦୃଷ୍ଟାନ୍ତଟିଏ। ପୁରୀ ସହରର ଜନୈକ ଧନୀ ମହନ୍ତ ମକଦ୍ଦମା କରିଥିଲେ ଜଣେ ଗରିବ ଚାଷୀ ବିରୋଧରେ। ଧନ ବଳରେ ସେ ଏମିତି ଚକ୍ରବୂ୍ୟହ ରଚନା କଲେ ଯେ ଯେମିତି ଚାଷୀ ଜଣକ ସପକ୍ଷରେ ଠିଆ ହେବାକୁ ନ ଥିବେ ଜଣେ କେହି ଓକିଲ। ଯୋଜନା ଅନୁୁସାରେ ସବୁ ଓକିଲଙ୍କଠାରୁ ଓକଲାତ୍ ନାମାରେ ସେ ଦସ୍ତଖତ କରାଇ ନେଲେ ନିଜ ଲ’ ଏଜେଣ୍ଟଙ୍କ ଜରିଆରେ। ବାକି ରହି ଯାଇଥିଲେ ଏକମାତ୍ର ନୂଆ ଓଡ଼ିଆ ଓକିଲ ମଧୁବାବୁ। ସେ ମହନ୍ତଙ୍କ ଅର୍ଥ ପ୍ରଲୋଭନକୁ ପ୍ରତ୍ୟାଖ୍ୟାନ କରି ଠିଆ ହେଲେ ଗରିବ ଚାଷୀଟି ସପକ୍ଷରେ। ସବୁ ବଡ଼ ବଡ଼ ଓକିଲ ତାଙ୍କ ପାଇଁ ଲଢୁଥିବାରୁ ଏ ନୂଆ ଓଡ଼ିଆ ଓକିଲକୁ ନେଇ କିଛି ଫରକ ପଡ଼ିବନି ବୋଲି ଭାବିଥିଲେ ମହନ୍ତ। ମାତ୍ର ବିିିଧିର ବିଧାନ ଥିଲା ଅଲଗା। ମଧୁୁୁବାବୁଙ୍କ ବଳିଷ୍ଠ ଜମାନବନ୍ଦୀ ଓ ମୋକଦ୍ଦମା ପରିଚାଳନା କୌଶଳ ଆଗରେ ହାର୍ ମାନିଲେ ସବୁ ନାମୀଦାମୀ ଓକିଲ। ଜିତାପଟ ନେଲା ଗରିବ ଚାଷୀ। ତା’ପରଠାରୁ ଆକାଶଛୁଆଁ ହେଲା ମଧୁବାବୁଙ୍କ ସୁନାମ। ମଧୁବାବୁ ବାରିଷ୍ଟରୀ ପଢି ନ ଥିଲେ, କିନ୍ତୁ ଲୋକେ ତାଙ୍କୁ ସ୍ବତଃ କହିବାକୁ ଲାଗିଲେ ସମ୍ମାନ ମଧୁ ବାରିଷ୍ଟର। ବାରିଷ୍ଟର ବୋଲାଇଲା ପରେ ବି ବଦଳି ନ ଥିଲା ତାଙ୍କ ଖାଦ୍ୟପେୟ ଓ ସରଳ ଜୀବନ ଯାପନ ଶୈଳୀ। ଜଣେ ଖାଣ୍ଟି ଓଡ଼ିଆ ପୁଅର ସ୍ବଭାବ ଓ ରୁଚି ନେଇ ସେ ଖାଉଥିଲେ ବଗଡ଼ା ଚାଉଳର ଭାତ ଓ ମଦରଙ୍ଗା ଶାଗ।
ଉତ୍କଳର ପରିଚୟ ଗଠନ ଥିଲା ମଧୁବାବୁଙ୍କ ଜୀବନବ୍ୟାପୀ ସାଧନାର ଲକ୍ଷ୍ୟ। ସେହି ଲକ୍ଷ୍ୟ ହାସଲ ପାଇଁ ସେ ନିଜେ ବତି ଭଳି ଜଳି ଜଳି ଖୋଜୁଥିଲେ ଆଗକୁ ବଢ଼ିବାର ରାସ୍ତା। ଭାଷାଭିତ୍ତିକ ସ୍ବତନ୍ତ୍ର ରାଜ୍ୟ ଗଠନ ପାଇଁ ଜାତିପ୍ରାଣମାନଙ୍କୁ ଏକାଠି କରି ଗଢ଼ିଥିଲେ (୧୯୦୩) ଜାତୀୟ ମହାମଞ୍ଚ ଉତ୍କଳ ସମ୍ମିଳନୀ। ସମ୍ମିଳନୀର ମହାମନ୍ତ୍ର ଘୋଷଣା କରି ଲେଖିଥିଲେ-”ଏଇ ସମ୍ମିଳନୀ ଜାତି ପ୍ରାଣ ସିନ୍ଧୁ କୋଟି ପ୍ରାଣ ବିନ୍ଦୁ ଧରେ, ତୋର ପ୍ରାଣ ବିନ୍ଦୁ ମିଶାଇ ଦେ ଭାଇ ଡେଇଁ ପଡି ସିନ୍ଧୁ ନୀରେ।“ ସମ୍ମିଳନୀ ମଣ୍ଡପରୁ ଗାନ କରାଯାଇଥିବା ଏହି କବିତା ଥିଲା ସମଗ୍ର ଓଡ଼ିଆ ଜାତିକୁ ଏକାଠି କରିବାର ଏକ ଅଗ୍ନିମୟ ଆହ୍ବାନ। ତା’ର ପ୍ରତିଟି ଶବ୍ଦ ଅନୁଭବସିଦ୍ଧ ସତ୍ୟତା ବିଶ୍ବାସର ବହ୍ନିରେ ଏଭଳି ପ୍ରଜ୍ବଳିତ ଥିଲା ଯେ ତା’ର ଯାଦୁକରୀ ମାୟାରେ ଚେଇଁ ଉଠିଥିଲା ସୁପ୍ତ ଓଡ଼ିଆ ଜାତି। ସତ୍ୟର ଜୟଗାନରେ ଜୀବନ ଯାହାର ବ୍ରତୀ, ଆତ୍ମ ତ୍ୟାଗର ଦୁର୍ଗମ ପଥରେ ଯାତ୍ରା ପାଇଁ ପ୍ରାଣ ଯା’ର ସଂକଳ୍ପବଦ୍ଧ, ସେଇ କେବଳ କବିତାରେ ପଚାରିପାରେ-”ଜାତି ନନ୍ଦିଘୋଷ ଚଳିବକି ଭାଇ ସ୍ବାର୍ଥକୁ ସାରଥି କଲେ, ଟାଣେକିରେ ଗାଡ଼ି ଦାନାର ତୋବଡ଼ା ଘୋଡ଼ା ମୁହେଁ ବନ୍ଧା ଥିଲେ।“ ଓଡ଼ିଆ ସ୍ବାଭିମାନର ଓଁକାର ଥିଲା ମଧୁବାବୁଙ୍କ ଦୁକୁଦୁକିର ପ୍ରତିନିୟତ ପ୍ରତିଧ୍ବନି। ସେଥିପାଇଁ ଉତ୍କଳ ମାତାକୁ ପାଇବା ପାଇଁ ଅହରହ ଛଟପଟ ହେଉଥିଲା ତାଙ୍କ ଓଡ଼ିଆ ପ୍ରାଣ। ଉତ୍କଳ ମା’ କହିଲେ ସେ ବୁଝିଥିଲେ ଗଂଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ପରିବ୍ୟାପ୍ତ ବିଶାଳ ଭୂଖଣ୍ଡ, ଯେଉଁ ଭୂୂଖଣ୍ଡର ଲୋକେ ଜଗନ୍ନାଥ ଦାସଙ୍କ ‘ଭାଗବତ’ ଓ ବଳରାମ ଦାସଙ୍କ ‘ଲକ୍ଷ୍ମୀ ପୁରାଣ’ ପଢ଼ନ୍ତି ଖୁବ୍ ଶ୍ରଦ୍ଧା ଓ ଭକ୍ତିରେ। ମଧୁବାବୁଙ୍କ ଦୃଷ୍ଟିରେ ଏହା ସାମାନ୍ୟ ଖଣ୍ଡେ ଭୂମି ନୁହେଁ, ଜନନୀ ଜନ୍ମଭୂମି। ସେହି ଜନ୍ମଭୂମିର ଚରଣ ବନ୍ଦନା ପାଇଁ ପ୍ରାଣର ବେଦନାକୁ ନିଃଶ୍ବାସର ନୈବେଦ୍ୟ କରି ସେ ଗାଇଛନ୍ତି-”ମା’ ମା’ ବୋଲି କେତେ ମୁଁ ଡାକିଲି ମା’କୁ ପାଇଲି ନାହିଁ, ଭାଇ ଭାଇ ବୋଲି କେତେ ମୁଁ ଡାକିଲି ଉତ୍ତର ମିଳିଲା ନାହିଁ।“
ମଧୁବାବୁଙ୍କ ସାଙ୍ଗଠନିକ ନେତୃତ୍ୱ ଓ ଦାବି ଉପସ୍ଥାପନ କୌଶଳ ଯୋଗୁ ୧୯୦୫ରେ ମଧ୍ୟପ୍ରଦେଶ ଓ ବିହାରରୁ ଆସି ଓଡ଼ିଶାରେ ମିଶିଲା ସମ୍ବଲପୁର, କଳାହାଣ୍ଡି, ପାଟଣା, ସୋନପୁର, ବାମଣ୍ଡା, ରେଢାଖୋଲ, ଗାଙ୍ଗପୁର, ବଣେଇ ଓ ଷଢ଼େଇକଳା ଆଦି ଅଞ୍ଚଳ। ୧୯୨୮ରେ ସାଇମନ କମିଶନ ସୁପାରିସ ଜରିଆରେ ଗଠନ ହେଲା (୧୯୩୬)ସ୍ବତନ୍ତ୍ର ଉତ୍କଳ ପ୍ରଦେଶ।
ରାଜନୀତି ଥିଲା ମଧୁବାବୁଙ୍କ କର୍ମମୟ ଜୀବନର ପ୍ରମୁଖ ଅଙ୍ଗ। ମାତ୍ର ରାଜନୀତି ଅର୍ଥ ସେ ବୁଝିଥିଲେ ନିଃସ୍ବାର୍ଥପର ସେବା ବଳରେ ଜନ ମଙ୍ଗଳ। ୧୯୨୧ରେ ବିହାର ଓଡ଼ିଶା ପ୍ରଦେଶର ମନ୍ତ୍ରୀ ଭାବରେ ସେ ଦୃଢ଼ ଭାବରେ ଦାବି କରିଥିଲେ ମନ୍ତ୍ରୀ ପଦକୁ ଅବୈତନିକ କରିବା ପାଇଁ। ଏ ଦାବି ଅଗ୍ରାହ୍ୟ ହୋଇଯିବାରୁ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଭାରତୀୟ ରାଜନୀତିରେ ସୃଷ୍ଟି କଲେ ଏକ ନୂଆ ଇତିହାସ। ନେତୃତ୍ୱ ଯେଉଁଠି ଆଦର୍ଶ ହୋଇ ଦିଗ୍ଦର୍ଶନ ଦିଏ, ସେଠାରେ ଉତ୍ତରପିଢ଼ି ପାଇଁ ତାହା ରହିଯାଏ ଆଲୋକ ବର୍ତ୍ତିକା ହୋଇ।
କେବଳ ଓକିଲାତି ବା ରାଜନୀତି ନୁହେଁ, ସମାଜର ବିକାଶ ପାଇଁ ଅନ୍ୟ ଅନେକ କ୍ଷେତ୍ରରେ ସେ ଥିଲେ ଆଦ୍ୟ ଓ ଏକକ ଉଦ୍ୟୋକ୍ତା। ଓଡ଼ିଆ ଗଣ ଜୀବନକୁ ଭାରତ ମାନଚିତ୍ରରେ ଉଜ୍ଜ୍ୱଳ କରିବା ପାଇଁ ସେ ହିଁ ପ୍ରଥମେ ଆରମ୍ଭ କରିଥିଲେ ଗ୍ରାମ୍ୟ ଶିଳ୍ପ ଆନ୍ଦୋଳନ। ବିଶ୍ବବ୍ୟାପୀ ଓଡ଼ିଶାର ଶିଳ୍ପ ଗୌରବ ପ୍ରଚାର ପାଇଁ ପ୍ରତିଷ୍ଠା କରିଥିଲେ ଉତ୍କଳ ଟ୍ୟାନେରି। ଶ୍ରମ ଓ ଶ୍ରମିକର ମର୍ଯ୍ୟାଦା ନିମନ୍ତେ କଟକରେ ଆରମ୍ଭ କରିଥିଲେ ଭାରତ ବିଖ୍ୟାତ ତାରକସି ଶିଳ୍ପ। ମଧୁବାବୁ ଥିଲେ ସମବାୟ ଆନ୍ଦୋଳନର ଆଦ୍ୟ ଉଦ୍ୟୋକ୍ତା। ଗାନ୍ଧିଜୀଙ୍କ ବହୁ ପୂର୍ବରୁ ସେ ଲୁଣମରା ଅଭିଯାନ ଆରମ୍ଭ କରିଥିଲେ ଓ ସମ୍ମିଳନୀ ମଣ୍ଡପରେ ବସି ସୂତା କାଟିଥିଲେ ଅରଟରେ। ହରିଜନଙ୍କ ପ୍ରତି ସେ ପୋଷଣ କରିଥିବା ଦୃଷ୍ଟିଭଙ୍ଗୀରେ ମୁଗ୍ଧ ହୋଇ ଗାନ୍ଧିଜୀ କହିଥିଲେ-”ସମାଜର ଏକ ଅଂଶ ପ୍ରତି ଆମେ ଯେଉଁ ଅପରାଧ କରି ଚାଲିଛେ, ମଧୁବାବୁ ସେ ସମ୍ପର୍କରେ ମୋର ଆଖି ଖୋଲି ଦେଇଛନ୍ତି।“ କେବଳ କଥାରେ ନୁହେଁ, ମଧୁବାବୁ ଥିଲେ ମନରେ, ପିଣ୍ଡରେ ଓ ପ୍ରାଣରେ ଓଡ଼ିଆ। ଜୀବନରେ ସେ ବିପୁଳ ଅର୍ଥ ଉପାର୍ଜନ କରିଛନ୍ତି କିନ୍ତୁ ଜାତି ପାଇଁ ସବୁ ବିନିଯୋଗ କରି ପାଲଟି ଯାଇଛନ୍ତି ନିଃସ୍ବ। ଶେଷ ଜୀବନରେ ସେ ଶୂନ୍ୟହସ୍ତ ହୋଇ ଯାଇଥିଲେ ବି ଆତ୍ମ ସମ୍ମାନ ହରାଇ ନାହାନ୍ତି ଶେଷ ପର୍ଯ୍ୟନ୍ତ। କାରଣ ତାଙ୍କ ବ୍ୟକ୍ତିଗତ ଜୀବନ ଦର୍ଶନ ଥିଲା – ‘ଆଲୋ ସଖୀ ଆପଣା ମହତ୍ ଆପେ ରଖି।“ ଅବସ୍ଥା ଚକ୍ରରେ ପଡ଼ି ମଧୁବାବୁ ଧର୍ମାନ୍ତରିତ ହୋଇଥିଲେ ସତ, କିନ୍ତୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଥିଲେ ତାଙ୍କ ଆରାଧ୍ୟ ଦେବତା। ବ୍ରିଟିଶ୍ ସରକାରଙ୍କ ଚକ୍ରାନ୍ତରୁ ଗଜପତି ପରମ୍ପରାର ସୁରକ୍ଷା ପାଇଁ ସେ ଯେଉଁ ଅଦାଲତି ଲଢ଼େଇ ଲଢ଼ିଥିଲେ ତାହା ତାଙ୍କ ଜଗନ୍ନାଥପ୍ରାଣତାର ପ୍ରକୃଷ୍ଟ ନିଦର୍ଶନ। ଉତ୍କଳ ସମ୍ମିଳନୀଠାରୁ ଇମ୍ପିରିଆଲ କାଉନ୍ସିଲ ପର୍ଯ୍ୟନ୍ତ ସେ ସବୁଠି ଜଗନ୍ନାଥଙ୍କର ଜୟ ଜୟକାର କରିବା ସହିତ ଓଡ଼ିଆ ଜାତିକୁ ଆହ୍ବାନ ଦେଇ ଲେଖିଛନ୍ତି- ”କୋଟିଏ ଓଡ଼ିଆ ଗୋଟିଏ ସ୍ବରରେ ଡାକ ତ୍ରାହି ଜଗନ୍ନାଥ, ଅନ୍ଧାର ଘୁଞ୍ଚିବ ନିଶ୍ଚୟ ଦେଖିବ ଜାତିର ଉନ୍ନତି ପଥ।“
୧୮୪୮ ଏପ୍ରିଲ ୨୮ ତାରିଖ ଅବିଭକ୍ତ କଟକ ଜିଲାର ସତ୍ୟଭାମାପୁରରେ ଜନ୍ମ ନେଇଥିବା ସେ ମହାନାୟକଙ୍କର ମହାପ୍ରୟାଣ ହେଲା ୧୯୩୪ ଫେବୃୟାରୀ ୪ ତାରିଖ ରାତିରେ। ଇତିମଧ୍ୟରେ ବିତି ଗଲାଣି ଦୀର୍ଘ ୮୬ ବର୍ଷ। ମାତ୍ର ଏଯାଏ ସ୍ନେହମୟୀ ଉତ୍କଳ ଜନନୀ ଭୁଲି ନାହିଁ ତା’ର ସର୍ବଶ୍ରେଷ୍ଠ ସନ୍ତାନକୁ ହରାଇବାର ଦୁଃଖ। ଆଜି ଏକ ଅବକ୍ଷୟମାଣ ରାଜନୈତିକ ପୃଷ୍ଠଭୂମିରେ ଏ ଜାତି ମଧୁବାବୁଙ୍କୁ ଯଥୋଚିତ ସମ୍ମାନ ଦେଇପାରିନି ସତ, ହେଲେ ପ୍ରତ୍ୟେକ ଓଡ଼ିଆପ୍ରାଣ ବ୍ୟକ୍ତିଙ୍କ ଭିତରେ ସେ ବଞ୍ଚିଛନ୍ତି ଓ ବଞ୍ଚିବେ କାଳ କାଳ ପାଇଁ। କାରଣ ତାଙ୍କ ଏକନିଷ୍ଠ ସାଧନାର ମୂଳଦୁଆ ଉପରେ ଠିଆ ହୋଇଛି ସ୍ବତନ୍ତ୍ର ଉତ୍କଳ ପ୍ରଦେଶ।
ମଧୁସୂଦନ ଦାସ
୧୮୪୮ ରୁ ୧୯୩୪
ଜନ୍ମ: ୧୮୪୮ ଏପ୍ରିଲ ୨୮, ସତ୍ୟଭାମାପୁର, ବହୁଗ୍ରାମ୍, କଟକ
ପିତା: ଚୌଧୁରୀ ରଘୁନାଥ ଦାସ
ମାତା: ପାର୍ବତୀ ଦେବୀ
୧୮୫୯: ରେଭେନ୍ଶା କଲିଜିଏଟ ସ୍କୁଲ୍ରେ ପାଠପଢ଼ା
୧୮୬୪: ମାଟ୍ରିକ୍ ପାସ୍
୧୮୬୮: ଏଫ୍.ଏ(ଆଇ.ଏ)ପାସ୍
୧୮୭୦: ପ୍ରଥମ ଓଡ଼ିଆ ଗ୍ରାଜୁଏଟ ଭାବେ କଲିକତାରୁ ବିଏ ପାସ୍
୧୮୭୩: ପ୍ରଥମ ଓଡ଼ିଆ ଭାବେ କଲିକତା ବିଶ୍ୱବିଦ୍ୟାଳୟରୁ ଏମ୍ଏ ପାସ୍
୧୮୭୮: ବିଏଲ୍(ଆଇନ ପାସ୍) ଓ ଓକିଲାତି ଆରମ୍ଭ
୧୯୦୩: ଉତ୍କଳ ସମ୍ମିଳନୀ ପ୍ରତିଷ୍ଠା
୧୯୧୩: ବିହାର-ଓଡ଼ିଶା ବିଧାନସଭାରୁ ନିର୍ବାଚିତ
୧୯୩୪: ଫେବୃୟାରୀ ୪ ମହାପ୍ରୟାଣ
ଡ. ପ୍ରଫୁଲ୍ଲ କୁମାର ସାହୁ
ବିଜୁ ପଟ୍ଟନାୟକ ନଗର, ଭଦ୍ରକ
ମୋ-୯୪୩୮୮୫୫୦୮୮