ଟ୍ରକ ଧକ୍କାରେ ଚ୍ରାଫିକ କନଷ୍ଟେବଳ ମଧୁସୂଦନଙ୍କ ମୃତ୍ୟୁ ଘଟଣା: ୩ ଦିନ ପରେ ଚାଳକ ଗିରଫ

ଭୁବନେଶ୍ୱର,୨।୭(ସତ୍ୟଜିତ୍‌ ରାଉତ): ଟ୍ରକ ଧକ୍କାରେ ଟ୍ରାଫିକ କନଷ୍ଟେବଳ ମଧୁସୂଦନ କିର୍ସାନୀଙ୍କ ମୃତ୍ୟୁ ଘଟଣାରେ କମିଶନରେଟ୍‌ ପୋଲିସ ଅଭିଯୁକ୍ତ ଚାଳକଙ୍କୁ ମଙ୍ଗଳବାର ଗିରଫ କରିଛି। ସେ ହେଲେ କଟକ ଜିଲା ବୈଦେଶ୍ୱର ଥାନା ଅନ୍ତର୍ଗତ ଗହୀରଗଡିଆ ଗ୍ରାମର ପ୍ରଶାନ୍ତ କୁମାର ନାଏକ (୨୮)। ତାଙ୍କ ନିକଟରୁ ଦୁର୍ଘଟଣା ଘଟାଇଥିବା ଟ୍ରକ ଆଇଚର୍‌ ଟ୍ରକ(ଓଡି୦୫ବିପି-୯୯୧୫)କୁ ମଧ୍ୟ ପୋଲିସ ଜିବତ କରିଛି। ଅଭିଯୁକ୍ତ ପ୍ରଶାନ୍ତଙ୍କୁ କୋର୍ଟଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଶନିବାର ସାରେ ରାଜଧାନୀରେ ପ୍ରବଳ ବର୍ଷା ହେବା ସହ ଟ୍ରାଫିକ୍‌ ଜାମ ମଧ୍ୟ ହୋଇଥିଲା। ରାମ ମନ୍ଦିର ଛକରେ ମଧୁସୂଦନ ଡ୍ୟୁଟି ସାରି ରାତି ୧୦ଟାରେ ନିଜ ବାଇକ ଯୋଗେ ଖଣ୍ଡଗିରିସ୍ଥିତ ଭଡ଼ା ଘରକୁ ଫେରୁଥିଲେ। ରାତି ପ୍ରାୟ ୧୦ଟା ୧୦ରେ ଜାତୀୟ ରାଜପଥରେ ଜୟଦେବ ବିହାର ଓଭରବ୍ରିଜ୍‌ ପାର୍‌ ହେଉଥିବାବେଳେ ଟ୍ରକ ତାଙ୍କୁ ଧକ୍କା ଦେଇ ଚାଲିଯାଇଥିଲା। ଟ୍ରକଟି ମଧୁସୂଦନଙ୍କ ମୁଣ୍ଡ ଉପରେ ଚଢ଼ିଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଅପରପକ୍ଷରେ ଦୁର୍ଘଟଣା ଘଟାଇ ପ୍ରଶାନ୍ତ ଘଟଣାସ୍ଥଳରୁ ଟ୍ରକ୍‌ ନେଇ ଫେରାର ହୋଇଯାଇଥିଲେ। ଏହି ଘଟଣୀରେ ନୟାପଲ୍ଲୀ ଥାନା ପକ୍ଷରୁ ଆଇପିସି ଦଫା ୨୭୯, ୩୦୪ରେ ମାମଲା (ନଂ.୩୯୦/୨୦୨୪) ରୁଜୁ ହୋଇଥିଲା। ତେବେ ମଙ୍ଗଳବାର ସକାଳ ପ୍ରାୟ ୭ାଟା ୩୦ ବେଳେ ପ୍ରଶାନ୍ତ ରଶୁଲଗଡରେ ଥିବା ଜଣାପଡିବା ପରେ ପୋଲିସ ଚଢ଼ଉ କରି ତାଙ୍କୁ କାବୁ କରିଥିଲା।

Share