ମୋରେନା,୨୦।୧୦: ଦୀପାବଳି ପୂର୍ବରୁ ମଧ୍ୟପ୍ରଦେଶ ମୋରେନା ଜିଲା ଅଧୀନ ବାନ୍ମୋର ସହରରେ ଗୁରୁବାର ଏକ ଅଘଟଣ ଘଟିଛି। ବାଣ ବିସ୍ଫୋରଣ ଘଟି ଏକ ୨ ମହଲା କୋଠା ଭୁଶୁଡ଼ି ପଡ଼ିଛି। ଫଳରେ ଘରେ ଥିବା ପରିବାରର ୩ ସଦସ୍ୟଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ଉକ୍ତ ଘରେ ବାଣ ଗଚ୍ଛିତ ରହିଥିଲା ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି।
ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ଘରଟି ସମ୍ପୂର୍ଣ୍ଣ ମାଟିରେ ମିଶିଯାଇଛି। ପାଖରେ ଥିବା ଅନ୍ୟ ଦୁଇ ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଘର ଭଡ଼ା ନେଇଥିବା ବ୍ୟକ୍ତିଙ୍କ ସ୍ତ୍ରୀ, ୮ ବର୍ଷର ଝିଅ, ୧୮ ବର୍ଷର ପୁଅ ଏବଂ ଅନ୍ୟ ଜଣେ ପ୍ରାଣ ହରାଇଛନ୍ତି। ନିର୍ମଳ ଚନ୍ଦ୍ର ଜୈନ ନାମକ ବ୍ୟକ୍ତି ଉକ୍ତ ଘରର ପ୍ରଥମ ମହଲାକୁ ଜମିଲ ଖାନ୍ ନାମକ ବ୍ୟକ୍ତିଙ୍କୁ ଭଡ଼ା ଦେଇଥିଲେ।