Advertisement

ୟେଦୁରପ୍ପାଙ୍କ ପରେ କରୋନାକୁ ହରାଇଲେ ଏହି ମୁଖ୍ୟମନ୍ତ୍ରୀ

ଭୋପାଳ, ୧୧।୮: କର୍ନାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପା ସୋମବାର କରୋନାରୁ ଆରୋଗ୍ୟ ଲାଭ କରିଥିଲେ। ଏହାର ଦିନକ ପରେ ମଙ୍ଗଳବାର ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କରୋନାକୁ ମାତ୍‌ ଦେଇଛନ୍ତି। କରୋନାରୁ ସୁସ୍ଥ ହୋଇଥିବା ନେଇ ନିଜେ ଶିବରାଜ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି। ‘ମୋର କୋଭିଡ୍‌-୧୯ ରିପୋର୍ଟ ନେଭେଟିଭ ଆସିଛି। ଡାକ୍ତରଙ୍କ ପରାମର୍ଶକ୍ରମେ କାଲି ପର୍ଯ୍ୟନ୍ତ ଆଇସୋଲେଶନରେ ରହିବି। ଡାକ୍ତର, ନର୍ସ ଓ ସମସ୍ତ ମେଡିକାଲ ଟିମ୍‌କୁ ହୃଦୟରୁ ଧନ୍ୟବାଦ ଜଣାଉଛି। ଆପଣମାନଙ୍କ ସହ ସମସ୍ତ ଶୁଭେଚ୍ଛୁମାନେ ମୋର ଆରୋଗ୍ୟ କାମନା କଲେ, ଏଥିଲାଗି ତୁମମାନଙ୍କ ନିକଟରେ ସର୍ଦଦା ଋଣୀ ରହିବି’ ବୋଲି ଶିବାରାଜ ଟୁଇଟ୍‌ କରି ଉଲ୍ଲେଖ କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ୬୧ ବର୍ଷୀୟ ଶିବରାଜ ୨୫ ଜୁଲାଇରେ କରୋନା ସଂକ୍ରମିତ ହୋଇଥିବା ନେଇ ଜଣାପଡ଼ିଥିଲେ। ଏହାପରେ ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଅଗଷ୍ଟ ୩ରେ ତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିଲେ ମଧ୍ୟ ୫ ଅଗଷ୍ଟରେ ତାଙ୍କୁ ହସ୍ପିଟାଲରୁ ଡିସ୍‌ଚାର୍ଜ କରାଯାଇଥିଲା। ଶିବରାଜଙ୍କୁ ଚିକିତ୍ସା କରୁଥିବା ଚିରାୟୁ ହସ୍ପିଟାଲ ପକ୍ଷରୁ କୁହାଯାଇଥିଲା, ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ଆଇସିଏମ୍‌ଆର୍‌)ର ନିର୍ଦ୍ଦେଶନାମା ଅନୁଯାୟୀ ତାଙ୍କୁ ହସ୍ପିଟାଲରୁ ଛୁଟି ଦିଆଯାଇଥିଲା। ସେବେଠାରୁ ସେ ଘରେ ଆଇସୋଲେଶନରେ ରହୁଥିଲେ। ମଙ୍ଗଳବାର ତାଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share