ଇନ୍ଦୋର,୩୧।୭: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଧ୍ୟ ପ୍ରଦେଶର ଭାରତୀୟ ଜନତା ପାର୍ଟି(ଭାଜପା) ୟୁନିଟକୁ ସବୁଠାରୁ ଭଲ ସଂଗଠନ ବୋଲି କହିଛନ୍ତି। ଇନ୍ଦୋରରେ ଆୟୋଜିତ ବୁଥ ସ୍ତରର କର୍ମକର୍ତ୍ତାଙ୍କ ସମ୍ମିଳନୀରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ମଧ୍ୟପ୍ରଦେଶର ଦଳ ସଂଗଠନ ହେଉଛି ଦେଶର ଏକ ନମ୍ବର ସଂଗଠନ। ସେ କହିଛନ୍ତି ଯେ, ଏହାକୁ ତିଆରି କରିବା ସମୟରେ ସ୍ବର୍ଗତ କୁଶାଭାଉ ଠାକରେ ଦଧିଚିଙ୍କ ଭଳି ତାଙ୍କ ହାଡ଼କୁ ତରଳାଇ ଦେଇଥିବାବେଳେ ରାଜମାତା ରାଜ ପରିବାରର ସମ୍ମାନ ଅତିକ୍ରମ କରି ଗାଁରୁ ଗାଁ ଏବଂ ପ୍ରତ୍ୟେକ ରାସ୍ତାରେ ବୁଲୁଥିଲେ।
ସେ କହିଛନ୍ତି, ମୁଁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଉଛି, ଯେଉଁମାନେ ୨୦୧୪ ଏବଂ ୨୦୧୯ ନିର୍ବାଚନରେ ଭାଜପାକୁ ଭୋଟ ଦେଇଥିଲେ ଏବଂ ୧୫ମାସ ବ୍ୟତୀତ ୨୦୦୩ ମସିହାରୁ ରାଜ୍ୟରେ କ୍ରମାଗତ ଭାବରେ ଭାଜପା ସରକାର ଗଠନ କରିଥିଲେ। ଚାରିମାସ ପରେ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି ଏବଂ ଆଜି ଆମେ ମାଲୱାରୁ ଆମର ନିର୍ବାଚନ ପ୍ରଚାର ଆରମ୍ଭ କରୁଛୁ। ଇନ୍ଦୋର ପରେ ସମଗ୍ର ରାଜ୍ୟରେ ଏମିତି କର୍ମୀ ସମ୍ମିଳନୀ ଅନୁଷ୍ଠିତ ହେବ।