Categories: ଜାତୀୟ

କୃଷକ ପରିବାରକୁ ପ୍ରବଳ ପିଟିଲା ପୋଲିସ, ପ୍ରଶାସନ ଆଗରେ ବିଷ ପିଇଦେଲେ ଦମ୍ପତିି

ଭୋପାଳ,୧୬।୭: ମଧ୍ୟ ପ୍ରଦେଶର ଗୁନା ଜିଲାରେ ପୋଲିସର ଏକ ବର୍ବର କାଣ୍ଡ ସାମ୍ନାକୁ ଆସିଛି। ଗୁନାର ଏକ ବିଜ୍ଞାନ କଲେଜ ନାମରେ ଥିବା ଏକ ଜମିକୁ ଖାଲି କରିବା ପାଇଁ ପହଞ୍ଚିଥିଲା ପୋଲିସ ଟିମ। ଏହି ଜମିରେ ଘର କରି ରହିଥିବା ଚାଷୀ ପରିବାର ପ୍ରବଳ ପିଟିଥିଲା ପୋଲିସ। ପୋଲିସର ଏଇ ବର୍ବରତାର ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଚାଷୀ ପରିବାର ପୋଲିସକୁ ଅନୁରୋଧ କରି କହିଥିଲେ, ୨ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏଥର ଚାଷ କରିଛି। ଏଇ ଫସଲ କାଟିବାକୁ ଦିଅ, ତା’ ପରେ ଜମି ଖାଲି କରିଦେବି। ହେଲେ ପୋଲିସ ଅଧିକାରୀ ଏହା ଶୁଣି ନ ଥିଲେ। କେବଳ ଜମିକୁ ଖାଲି କରି ନ ଥିଲେ, ପୋଲିସ କର୍ମଚାରୀ ଅତି ନିର୍ଦ୍ଦୟ ଭାବେ ଏହି ଚାଷୀ ପରିବାରକୁ ରୁଲ୍‌ ବାଡିରେ ପିଟି ଚାଲିଥିଲେ। ଆଖି ଆଗରେ ଫସଲ ନଷ୍ଟ ଏବଂ ତା’ ଉପରେ ପୋଲିସର ବର୍ବର ମାଡ ସହି ନ ପାରି ଶେଷରେ କୃଷକ ଦମ୍ପତି କୀଟନାଶକ ପିଇ ଦେଇଥିଲେ। କୀଟନାଶକ ପିଇବା ପରେ ଦମ୍ପତି ବେହୋଶ ହୋଇ ଯାଇଥିଲେ। ତଥାପି ପୋଲିସ ହୃଦୟ ତରଳି ନ ଥିଲା। ଅଚେତ ଅବସ୍ଥାରେ ପୋଲିସ ଏହି ଦମ୍ପତିକୁ ଘୋଷାଡି ଘୋଷାଡି ଯେପରି ଡାକ୍ତରଖାନା ନେଇଥିଲା। ଏବେ ଦମ୍ପତି ଚିକିତ୍ସିତ ହେଉଛନ୍ତି। ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଉଠିଛି।

Share