Categories: ଜାତୀୟ

ମାମୁ ଶିବରାଜଙ୍କ ଶାସନରେ ମଧ୍ୟପ୍ରଦେଶ ସହିଛି ବହୁ ଆର୍ଥିକ କ୍ଷତି: କଂଗ୍ରେସ…

ଭୋପାଳ,୨୭।୯ : ମଧ୍ୟପ୍ରଦେଶର ଗୁନାରେ ନିର୍ବାଚନ ସମାବେଶକୁ ସମ୍ବୋଧିତ କରିବାବେଳେ ପୂର୍ବତନ ମନ୍ତ୍ରୀ ତଥା ଦିଗବିଜୟ ସିଂଙ୍କ ପୁଅ ଜୟବର୍ଦ୍ଧନ ସିଂ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ତାଙ୍କ ସମର୍ଥିତ ବିଧାୟକଙ୍କ ସମେତ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କୁ କଡ଼ା ସମାଲୋଚନା କରିଛନ୍ତି। ମଧ୍ୟପ୍ରଦେଶର ରାଧୋଗଢର ବିଧାୟକ ଜୟବର୍ଦ୍ଧନ ସିଂ ଗୁନାରେ ଏକ ନିର୍ବାଚନ ରାଲିରେ ଶିବରାଜଙ୍କୁ ମାମୁ ବୋଲି ସମ୍ବୋଧିତ କରିଛନ୍ତି।

ସେ କହିଛନ୍ତି ମାମୁଙ୍କ ଶାସନରେ ମଧ୍ୟପ୍ରଦେଶ ବିପୁଳ ଆର୍ଥିକ କ୍ଷତି ସହିଛି। ପୂର୍ବତନ ସିଏମ କମଲ ନାଥଙ୍କୁ ପ୍ରଶଂସା କରି ଜୟବର୍ଦ୍ଧନ କହିଛନ୍ତି କମଲ ନାଥଙ୍କ ୧୫ମାସ ଶିବରାଜ ସିଂଙ୍କ ୧୫ ବର୍ଷ ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ। ଯଦି କମଲ ନାଥ ପୁଣି ମଧ୍ୟପ୍ରଦେଶର ସିଏମ ହୁଅନ୍ତି, ତେବେ ରାଜ୍ୟ  ବିକାଶ ଧାରାରେ ଗତି କରିବ।

ଗତ ସାଢ଼େ ତିନି ବର୍ଷ ମଧ୍ୟରେ ମଧ୍ୟପ୍ରଦେଶରେ ଏକ କିଣା ସରକାର ଗଠନ କରାଯାଇଛି। ସେବେଠାରୁ ଯଦି କେହି ଧନୀ ହୋଇଛନ୍ତି ସେମାନେ ହେଉଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ, ସିଏମ ଶିବରାଜ ଏବଂ ତାଙ୍କ ମନ୍ତ୍ରୀମାନେ। ମାତ୍ର ରାଜ୍ୟବାସୀ ଅବହେଳିତ ହେବାରେ ଲାଗିଛନ୍ତି।

ସେ ସିଏମଙ୍କ ଲାଡଲି ବହେନ ଯୋଜନା ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ମଧ୍ୟପ୍ରଦେଶରେ କେବଳ ୪୦ ପ୍ରତିଶତ ମହିଳା ଲାଡଲି ବହେନ ଯୋଜନାର ଲାଭ ପାଇଛନ୍ତି। ଅପରପକ୍ଷରେ ୬୦ ପ୍ରତିଶତ ମହିଳା ଏହି ଯୋଜନାରୁ ବଞ୍ଚିତ ହୋଇଛନ୍ତି। ସରକାର ଦରଦାମ ବୃଦ୍ଧିକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି। ରାଜ୍ୟରେ ସିଲିଣ୍ଡରର ମୂଲ୍ୟ ୧୧୦୦ରୁ ଅଧିକ ରହିଛି।

ଜୟବର୍ଦ୍ଧନ ସିଂଙ୍କ ବିବୃତ୍ତିକୁ ବିରୋଧ କରି ଭାଜପା ପ୍ରାର୍ଥୀ ହିରେନ୍ଦ୍ର ସିଂ ବଣ୍ଟି କହିଛନ୍ତି କମଲନାଥ ସରକାରଙ୍କ ୧୫ ମାସ ମଧ୍ୟରେ କୃଷକଙ୍କ କେତେ ଋଣ ଛାଡ କରାଯାଇଛି ତାହା କହିବା ଆବଶ୍ୟକ। ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମ୍ମାନକୁ ଆଘାତ ଲାଗିଥିଲା। ଏହି କାରଣରୁ ସେ କଂଗ୍ରେସ ଛାଡି ଭାଜପାରେ ଯୋଗ ଦେଇଥିଲେ।

Share