‘ସୁନ୍ଦରୀ’ ସ୍ଥିତି ଜଣାଇବାକୁ ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, ୨୩ା୧୧(ବ୍ୟୁରୋ):ସାତକୋଶିଆରେ ଏବେ ବନ୍ଦୀ ଜୀବନ ବିତାଉଛି ବାଘୁଣୀ ‘ସୁନ୍ଦରୀ’। ସୁନ୍ଦରୀର ଘର ବାହୁଡ଼ା ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇପାରୁନି। ଏ ସଂକ୍ରାନ୍ତରେ ମଧ୍ୟପ୍ରଦେଶ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲାର ଶୁଣାଣି ହୋଇଛି। ଏକ ସଂସ୍ଥା ପକ୍ଷରୁ ଉକ୍ତ ମାମଲା ଦାଏର କରାଯାଇଥିଲା। ସୁନ୍ଦରୀ କାହିଁକି ଏନ୍‌କ୍ଲୋଜରରେ ରହିଛି, ସାତକୋଶିଆରେ ବାଘ ବଂଶ ବୃଦ୍ଧି ପାଇଁ କରାଯାଇଥିବା ଯୋଜନା କାହିଁକି ଫେଲ୍‌ ମାରିଲା, ଦୀର୍ଘଦିନ ପରେ ମଧ୍ୟ ସୁନ୍ଦରୀ ବାବଦରେ କାହିଁକି କୌଣସି ନିଷ୍ପତ୍ତି ନିଆଯାଇ ପାରୁନାହିଁ ବୋଲି ଅଭିଯୋଗ ହୋଇଥିଲା। ମାମଲାର ଶୁଣାଣି କରି ସମସ୍ତ ରିପୋର୍ଟ ସହ ସୁନ୍ଦରୀର ବର୍ତ୍ତମାନର ସ୍ଥିତି ଜଣାଇବା ପାଇଁ ରାଜ୍ୟ ବନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମଧ୍ୟପ୍ରଦେଶ ହାଇକୋର୍ଟ। ନିର୍ଦ୍ଦେଶାନୁସାରେ, ଆସନ୍ତା ସପ୍ତାହରେ ଓଡ଼ିଶା ବନ ବିଭଗ ପକ୍ଷରୁ ଅନୁଗୋଳ ଡିଏଫ୍‌ଓ ମଧ୍ୟପ୍ରଦେଶ ହାଇକୋର୍ଟରେ ହାଜର ହୋଇ ପକ୍ଷ ରଖିବେ।
ସେପଟେ ବନ ବିଭାଗ ପକ୍ଷରୁ କୁହାଯାଇଛି ଯେ, ବାରମ୍ବାର ପତ୍ର ଲେଖିବା ପରେ ମଧ୍ୟ ମଧ୍ୟପ୍ରଦେଶ ବନ ବିଭାଗ ସୁନ୍ଦରୀକୁ ଫେରାଇ ନେବାରେ ବିଳମ୍ବ କରୁଛି। ଅନ୍ୟପଟେ ବାଘୁଣୀ ଏତେଦିନ ଏନ୍‌କ୍ଲୋଜର ଭିତରେ ରହିଥିବାରୁ ତା’ର ବ୍ୟବହାରରେ ପରିବର୍ତ୍ତନ ହୋଇଯାଇଥିବ। ତେଣୁ ଆଉ ଜଙ୍ଗଲରେ ଛାଡ଼ି ହେବ ନାହିଁ। ତାକୁ ଚିଡ଼ିଆଖାନାରେ ରଖାଯାଉ ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞମାନେ ମତପ୍ରକାଶ କରୁଛନ୍ତି।
ଉଲ୍ଲେଖଯୋଗ୍ୟ, ରାଜ୍ୟରେ ବ୍ୟାଘ୍ର ବଂଶ ବୃଦ୍ଧି କରିବା ପାଇଁ ମଧ୍ୟପ୍ରଦେଶରୁ ଦୁଇଟି ବାଘ ଆସିଥିଲା। ସେଥିମଧ୍ୟରୁ ଗୋଟିଏ ବାଘ ‘ମହାବୀର’ର ମୃତ୍ୟୁ ଘଟିଥିବାବେଳେ ମଣିଷ ମାରିବା ଅଭିଯୋଗ ହେବା ପରେ ‘ସୁନ୍ଦରୀ’କୁ ଏନ୍‌କ୍ଲୋଜରରେ ରଖାଯାଇଛି।

Share