Categories: ଜାତୀୟ

ଖବରଦାତାଙ୍କ ପୋଷାକ ଖୋଲିଦେଲା ଏମ୍‌ପି ପୋଲିସ

ଭୋପାଳ,୭।୪: ମଧ୍ୟପ୍ରଦେଶର ଏକ ଥାନାରେ ପୋଲିସ ନିର୍ଦ୍ଦେଶରେ ଜଣେ ଖବରଦାତା, ଯାତ୍ରା କଳାକାରଙ୍କ ସମେତ ୮ଜଣଙ୍କୁ ପ୍ୟାଣ୍ଟସାର୍ଟ ଖୋଲିବାକୁ ପଡ଼ିଛି। ଉକ୍ତ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଦୋଷୀ ପୋଲିସ ଅଫିସରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଫଟୋରେ ସ୍ଥାନୀୟ ଖବରଦାତା ତଥା ୟୁଟ୍ୟୁବରଙ୍କୁ ଚିହ୍ନଟ କରାଯାଇଛି। ମଧ୍ୟପ୍ରଦେଶର ସିଧି ଜିଲାରେ ଗତ ଶନିବାର ଏହି ଘଟଣା ଘଟିଛି। ସ୍ଥାନୀୟ ଭାଜପା ବିଧାୟକଙ୍କ ବିରୋଧରେ ବିକ୍ଷୋଭ ଚାଲିଥିବା ବେଳେ ଖବର ସଂଗ୍ରହ ପାଇଁ ଯାଇଥିବା ଉକ୍ତ ଖବରଦାତା ଓ ଅନ୍ୟମାନଙ୍କୁ ପୋଲିସ କର୍ମଚାରୀମାନେ ଗାଳିଦେବା ସହ ମାଡ଼ ମାରିଥିଲେ ଏବଂ ପୋଷାକ ଖୋଲିବାକୁ କହିଥିଲେ। ଖବର ଅନୁଯାୟୀ ଯାତ୍ରା କଳାକାର ନୀରଜ କୁନ୍ଦର ଜାଲ୍‌ ଫେସ୍‌ବୁକ୍‌ ପ୍ରୋଫାଇଲ ବ୍ୟବହାର କରି ସ୍ଥାନୀୟ ଭାଜପା ବିଧାୟକ କେଦାରନାଥ ଶୁକ୍ଳା ଓ ତାଙ୍କ ପୁଅଙ୍କ ବିରୋଧରେ କେତେକ ମନ୍ତବ୍ୟ ଲେଖିଥିବାରୁ ତାଙ୍କୁ ଗିରଫ କରାଯାଇଥିଲା। ଗିରଫଦାରି ବିରୋଧରେ ବିକ୍ଷୋଭ ଚାଲିଥିବାବେଳେ ଖବର ସଂଗ୍ରହ ଲାଗି କନିଷ୍କ ତିଓ୍ବାରି ଯାଇଥିଲେ। ତାଙ୍କ ସମେତ କ୍ୟାମେରାମ୍ୟାନଙ୍କୁ ଗିରଫ କରାଯାଇଥିଲା। କ’ଣ ପାଇଁ ବିଧାୟକଙ୍କ ବିରୋଧରେ ଖବର ପ୍ରକାଶ କରି ଶାନ୍ତି ଭଙ୍ଗ କରୁଛ ବୋଲି ପୋଲିସ ସେମାନଙ୍କୁ ପଚାରିଥିଲା। ତିଓ୍ବାରିଙ୍କ ସହ ୮ ଜଣଙ୍କୁ ହାଜତରେ ୧୮ ଘଣ୍ଟା ରଖାଯାଇଥିଲା। କୁନ୍ଦରଙ୍କ ଗିରଫଦାରିର ପ୍ରତିବାଦ କରିଥିବା ସାମାଜିକ କର୍ମୀ ଓ ଯାତ୍ରା କଳାକାରମାନଙ୍କୁ ପୋଲିସ ପିଟିଥିବା ସେମାନେ ଅଭିଯୋଗ କରିଛନ୍ତି। ଥାନା ଭାରପ୍ରାପ୍ତ ଅଧିକାରୀ ଅଭିଷେକ ସିଂ ପରିହାର ସେମାନଙ୍କ ଉଲଗ୍ନ ଅବସ୍ଥାର ଫଟୋ ଉଠାଇଥିଲେ। ଖବର ପ୍ରକାଶ କଲେ ଉଲଗ୍ନ କରି ରାସ୍ତାରେ ପରେଡ କରାଇବେ ବୋଲି ସେ ଧମକ ଦେଇଥିବା ତିଓ୍ବାରି କହିଛନ୍ତି।

Share