ଭୋପାଳ,୪।୪: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ରାଜ୍ୟର ବର୍ଡର ସିଲ୍ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ର ବର୍ଡରକୁ ସିଲ୍ କରାଯିବା ସହିତ ଦୁଇ ରାଜ୍ୟ ମଧ୍ୟରେ ସମସ୍ତ ଚଳାଚଳ ଉପରେ କଟକଣା ଲଗାଯାଇଛି। ଏହା ସହିତ ଛତିଶଗଡ଼ ଏବଂ ମଧ୍ୟପ୍ରଦେଶ ମଧ୍ୟରେ ପରିବହନ ଓ ଚଳାଚଳ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି। ମଧ୍ୟପ୍ରଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨ ହଜାର ୮୩୯ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଏହି ସମୟ ମଧ୍ୟରେ ରାଜ୍ୟରେ କରୋନାରେ ଆକ୍ରାନ୍ତ ହୋଇ ୧୫ ଜଣଙ୍କ ମୃତ୍ୟୁ ଘଟିଛି।