Categories: ଜାତୀୟ

ରାଜ୍ୟପାଳ ଘରେ ଖାଇବାରୁ ଆସିଲା ୧୪ ହଜାର ଟଙ୍କାର ବିଲ୍‌

ଭୋପାଳ,୨୬।୧୨: ବୁଧରାମ ଆଦିବାସୀ ମଧ୍ୟପ୍ରଦେଶର ବିଦିଶା ଜିଲାରେ ଏକ ଭଙ୍ଗା କୁଡ଼ିଆ ଘରେ ରହୁଥିଲେ। ଗତ ଅଗଷ୍ଟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତାଙ୍କୁ ପକ୍କା ଘର ଯୋଗାଇ ଦିଆଯାଇଥିଲା। ଏପରି କି ତାଙ୍କୁ ଘରର ଚାବି ହସ୍ତାନ୍ତର କରିଥିଲେ ରାଜ୍ୟପାଳ ମଙ୍‌ୁଭାଇ ସି ପଟେଲ। କେବଳ ଏତିକି ନୁହେଁ ରାଜ୍ୟପାଳ ତାଙ୍କ ନୂଆ ଘରେ ମଧ୍ୟାହ୍ନ ଭୋଜନ କରିଥିଲେ। ଏହା ବୁଧରାମଙ୍କ ପାଇଁ ଏବେ ଚିନ୍ତାର କାରଣ ପାଲଟିଛି।

ଗତ ଅଗଷ୍ଟ ୨୪ରେ ବୁଧରାମଙ୍କ ଗୃହ ପ୍ରବେଶ ଉତ୍ସବାରେ ଯୋଗ ଦେବା ସହ ମଧ୍ୟାହ୍ନ ଭୋଜନ କରିଥିଲେ ରାଜ୍ୟପାଳ। ଗାଁକୁ ଭିଭିଆପି ଆସୁଥିବାରୁ ପଞ୍ଚାୟତ ସଦସ୍ୟ ତାଙ୍କ ଘରେ ନୂଆ ଗେଟଠାରୁ ଆରମ୍ଭ କରି ଫ୍ୟାନ ପର୍ଯ୍ୟନ୍ତ ସବୁ କିଛି ଆସବାପତ୍ର ରଖିଥିଲେ। କିନ୍ତୁ ସେହି ଦିନ ରାଜ୍ୟପାଳ ଫେରିଯିବା ପରେ ପଞ୍ଚାୟତ ସଦସ୍ୟ ଫ୍ୟାନ ଫେରାଇ ନେବା ସହ ତାଙ୍କ ଠାରୁ ଗେଟ୍‌ ବାବଦକୁ ମାଗିଥିଲେ ୧୪ ହଜାର ଟଙ୍କା।

“ଅଧିକାରୀମାନେ ଆସିଥିଲେ। ସେମାନେ କହିଥିଲେ, ରାଜ୍ୟପାଳ ବାବୁ ଲଞ୍ଚ କରିବେ। ୧୪ ହଜାର ଟଙ୍କାର ଗେଟ୍‌ ଲଗାଇଥିଲେ। ସେମାନେ ଏବେ ଗେଟ୍‌ ପାଇଁ ଟଙ୍କା ମାଗୁଛନ୍ତି। ମୋ ପାଖରେ ନାହିଁ। ମୋତେ ଗେଟ୍‌ ଲଗାଇବା ଲାଗି ଟଙ୍କା ଦେବାକୁ ପଡ଼ିବ ଜଣାଥିଲେ, ମୁଁ ଏହାକୁ ଲଗାଇ ନ ଥାନ୍ତି” ବୋଲି ବୁଧରାମ କହିଛନ୍ତି।

ଏ ସମ୍ପର୍କରେ ସହରୀ ବିକାଶ ମନ୍ତ୍ରୀ ଭୁପେନ୍ଦ୍ର ସିଂ କହିଛନ୍ତି, ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହା ଘଟିବା ଉଚିତ ନୁହେଁ। ଅତିଥି ଆସିଲେ ଘରକୁ ସଜାଇବାର ପରମ୍ପରା ରହିଛି। ଏହା ରାଜ୍ୟପାଳଙ୍କ ମର୍ଯ୍ୟଦା ବିରୋଧରେ।

Share