Categories: ଜାତୀୟ

ମଧ୍ୟପ୍ରଦେଶରେ କଂଗ୍ରେସକୁ ଆଉ ଏକ ଝଟ୍‌କା

ଭୋପାଳ,୧୭।୭: ଗୋଟିଏ ପଟେ ରାଜସ୍ଥାନ କଂଗ୍ରେସରେ ସଙ୍କଟ ଦେଖାଦେଇଥିବା ବେଳେ ଅନ୍ୟପଟେ ମଧ୍ୟପ୍ରଦେଶ କଂଗ୍ରେସକୁ ଲାଗିଛି ଝଟ୍‌କା। ସେଠାରେ ଏବେ ଉପନିର୍ବାଚନର ପ୍ରସ୍ତୁତି ଚାଲିଥିବା ବେଳେ ଆଉଜଣେ କଂଗ୍ରେସ ବିଧାୟକ ଇସ୍ତଫା ଦେବା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ବୁରହାନପୁର ଜିଲା ନେପାନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟିକା ସୁମିତ୍ରା ଦେବୀ ଶୁକ୍ରବାର ଦଳରୁ ଇସ୍ତଫା ଦେଇଛନ୍ତି। ସେ ସଚିବାଳୟକୁ ଲିଖିତ ଇସ୍ତଫା ପତ୍ର ପଠାଇଥିବା ସୂଚନା ମିଳିଛି। ମାତ୍ର ସପ୍ତାହକ ମଧ୍ୟରେ କଂଗ୍ରେସ ପାଇଁ ଏହା ଏକ ବଡ ଝଟ୍‌କା। ସୂଚନାଯୋଗ୍ୟ, ଏହା ପୂର୍ବରୁ ଗତ ରବିବାର ମଲହରା ଆସନରୁ କଂଗ୍ରେସ ବିଧାୟକ ପ୍ରଦ୍ମୁମ୍ନ ସିଂ ଲୋଧି ବିଧାନସଭା ସଦସ୍ୟତା ପଦରୁ ଇସ୍ତଫା ଦେଇଥିଲେ। ଏହାସହ ଲୋଧି ଭାରତୀୟ ଜନତା ପାର୍ଟି(ଭାଜପା)ରେ ସାମିଲ ହୋଇଥିଲେ। ଏବେ ଆଲୋଚନା ହେଉଛି କି ସୁମିତ୍ରା ଦେବୀ ମଧ୍ୟ ଭାଜପାରେ ସାମିଲ ହୋଇପାରନ୍ତି। ପୂର୍ବରୁ ମଧ୍ୟପ୍ରଦେଶରେ କଂଗ୍ରେସ ପାଇଁ ବଡ ସଙ୍କଟ ସୃଷ୍ଟି କରିଥିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ। ସେ ୨୨ ବିଧାୟକଙ୍କୁ ନେଇ ଭାଜପାରେ ସାମିଲ ହୋଇଥିଲେ। ଏହାପରେ ୨ ବିଧାୟକଙ୍କ ମୃତ୍ୟୁ ଓ ଲୋଧିଙ୍କ ସହ ସୁମିତ୍ରାଙ୍କ ଇସ୍ତଫାକୁ ନେଇ ୨୬ ବିଧାନସଭା ଆସନ ଖାଲି ହୋଇଯାଇଛି। ଯାହା ପାଇଁ ଏବେ ଉପ ନିର୍ବାଚନ ହେବ।

Share