Categories: ଜାତୀୟ

ନିର୍ବାଚନ ପୂର୍ବରୁ ବଡ଼ ଘୋଷଣା: ସରକାରୀ ଚାକିରିରେ ମହିଳାଙ୍କ ଲାଗି ୩୫% ସଂରକ୍ଷଣ

ଭୋପାଳ,୫।୧୦: ଚଳିତ ବର୍ଷ ଶେଷରେ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଥିନେଇ ଯେକୌଣସି ସମୟରେ ତାରିଖ ଘୋଷଣା କରାଯାଇପାରେ। ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ଶିବରାଜ ସିଂହଙ୍କ ସମେତ ବହୁ ଭାଜପା ନେତା ରାଲି କରୁଛନ୍ତି। ଆଚରଣ ସଂହିତା କାର୍ଯ୍ୟକାରୀ ହେବା ପୂର୍ବରୁ ଏବେ ଶିବରାଜ ବଡ଼ ଗୋଟି ଚାଳନା କରିଛନ୍ତି। ରାଜ୍ୟର ଅଧା ଜନସଂଖ୍ୟାକୁ ନିଜ ଆଡ଼କୁ କରିବା ଲାଗି ମୁଖ୍ୟମନ୍ତ୍ରୀ ବଡ଼ ନିଷ୍ପତ୍ତି ସ୍ବରୂପ ସରକାରୀ ଚାକିରିରେ ମହିଳାଙ୍କୁ ୩୫% ସଂରକ୍ଷଣ ଦେବାକୁ ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ସାଧାରଣ ପ୍ରଶାସନ ବିଭାଗ ମଧ୍ୟ ଏହାର ବିଜ୍ଞପ୍ତି ଜାରି କରିଛି। ଜଙ୍ଗଲ ବିଭାଗ ବ୍ୟତିତ ଅନ୍ୟ ସମସ୍ତ ବିଭାଗରେ ୩୫% ସଂରକ୍ଷଣର ଫର୍ମୁଲା ରହିବ। ନିକଟରେ ମୁଖ୍ୟମନ୍ତ୍ରୀ ଶିବରାଜ ପୋଲିସରେ ୩୫% ଝିଅଙ୍କୁ ନିଯୁକ୍ତି ଦେବାକୁ ଘୋଷଣା କରିଥିଲେ। ପୂର୍ବରୁ ଏହା ୩୦% ଥିଲା। ଏବେ ଅବଶିଷ୍ଟ ସରକାରୀ ଚାକିରିରେ ୩୫% ଝିଅଙ୍କ ନିଯୁକ୍ତି ହେବ। ନିର୍ବାଚନ ପୂର୍ବରୁ ଏହା ଏକ ବଡ଼ ଘୋଷଣା ବୋଲି କୁହାଯାଉଥିଲେ ହେଁ ରାଜ୍ୟର ମହିଳାମାନଙ୍କୁ ସଶକ୍ତିକରଣ ଏବଂ ଆତ୍ମନିର୍ଭରଶୀଳ କରିବା ଦିଗରେ ଏହା ବଡ଼ ପଦକ୍ଷେପ ବୋଲି ହେବ।

ମଧ୍ୟପ୍ରଦେଶର ଜନସଂଖ୍ୟା ବର୍ତ୍ତମାନ ପ୍ରାୟ ୮.୭୭ କୋଟି। ଏଥିରେ ୩୫,୦୧୪,୫୦୩ ହେଉଛନ୍ତି ମହିଳା, ଯାହାକି ରାଜ୍ୟ ଜନସଂଖ୍ୟାର ୪୮.୩୦%। ଏବେ ଶିବରାଜ ସରକାର ରାଜ୍ୟର ଅଧା ଜନସଂଖ୍ୟାର ମନ ଜିଣିବାକୁ ଚେଷ୍ଟା କରୁଥିବା ଚର୍ଚ୍ଚା ଜୋର ଧରିଛି।

Share