Categories: ଜାତୀୟ

ଟପିଲା ଅତ୍ୟାଚାରର ସବୁ ସୀମା

ଭୋପାଳ, ୧୬।୨ : ମଧ୍ୟପ୍ରଦେଶର ଗୁଣା ଜିଲାର ସାଗାଇ ଓ ବନ୍ସ ଗାଁରୁ ସାମ୍ନାକୁ ଆସିଛି ଏକ ଛାତିଥରା ଘଟଣା। ଜଣେ ଆଦିବାସୀ ମହିଳାଙ୍କୁ ସ୍ବାମୀଙ୍କ ପରିବାରର ଜଣେ ପୁରୁଷ ସଦସ୍ୟକୁ କାନ୍ଧରେ ବସାଇ ୩ କିଲୋମିଟର ଚାଲିବାକୁ ବାଧ୍ୟ କରାଯାଇଛି। ଦେଖଣାହାରୀଙ୍କ ଦ୍ୱାରା କରାଯାଇଥିବା ଏ ଘଟଣାର ଭିଡିଓ ଭାଇରାଲ ହୋଇଯାଇଛି ସୋସିଆଲ ମିଡିଆରେ।

ଜଣେ ଆଦିବାସୀ ମହିଳା ଜଣଙ୍କୁ କାନ୍ଧରେ ବସାଇ ନେଉଛନ୍ତି। ଟିକେ ଥକି ପଡ଼ିଲେ କିମ୍ବା ନଇଁ ପଡ଼ିଲେ ଆରମ୍ଭ ହୋଇଯାଉଛି ଅତ୍ୟାଚାର। ପଛରେ ଚାଲୁଥିବା ଗ୍ରାମବସୀ ବାଡ଼ି ଓ କ୍ରିକେଟ ବ୍ୟାଟ ଦ୍ୱାରା ଆକ୍ରମଣ କରୁଥିବା ଭିଡିଓରେ ଦେଖିବାକୁ ମିଳୁଛି। ତେବେ ଏ ଘଟଣା ସମ୍ପର୍କରେ ମହିଳା ଜଣଙ୍କ ଏତଲା ଦେବା ପରେ ୪ ଜଣଙ୍କୁ ଗିରଫ କରିଛି ପୋଲିସ।

ଅଭିଯୋଗ ଅନୁଯାୟୀ, ମହିଳା ଜଣଙ୍କ ଆପୋଷ ବୁଝାମଣା ମାଧ୍ୟମରେ ସ୍ବାମୀଙ୍କ ଠାରୁ ଅଲଗା ହୋଇ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ରିଲେଶନଶିପ୍‌ରେ ଥିଲେ। ଗତ ସପ୍ତାହରେ ମହିଳାଙ୍କ ଘରକୁ ଯାଇ ନିର୍ଯ୍ୟାତନା ଦେଇଥିଲେ ପୂର୍ବ ସ୍ବାମୀଙ୍କ ପରିବାର ବର୍ଗ ଓ ଗ୍ରାମବାସୀ। ତେବେ ମଧ୍ୟପ୍ରଦେଶରେ ମହିଳାଙ୍କ ଉପରେ ଏଭଳି ଅତ୍ୟାଚାର ଘଟଣା କିଛି ନୂଆ ନୁହେଁ। ଗତବର୍ଷ ଜୁଲାଇରେ ମଧ୍ୟ ସମାନ ଘଟଣା ରିପୋର୍ଟ ହୋଇଥିଲା।

Share