Categories: ଜାତୀୟ

ମଦ୍ରାସା ଭଙ୍ଗାକୁ ନେଇ ଜଳୁଛି ହଲଦ୍ୱାନି: ୬ ମୃତ, ୧୦୦ ଆହତ, ଇଣ୍ଟରନେଟ୍‌ ସେବା ବନ୍ଦ

ହଲଦ୍ୱାନି,୯।୨:ଉତ୍ତରାଖଣ୍ଡର ହଲଦ୍ୱାନିରେ ପ୍ରଶାସନ ପକ୍ଷରୁ ଗୁରୁବାର ଏକ ବେଆଇନ ମଦ୍ରାସାକୁ ଭାଙ୍ଗିଦିଆଯିବାରୁ ବ୍ୟାପକ ହିଂସାକାଣ୍ଡ ଘଟିଛି। ଉତ୍ତ୍ୟକ୍ତ ଲୋକେ ପୋଲିସ ଉପରକୁ ଟେକାମାଡ଼ କରିବା ସହ ବହୁ ଗାଡ଼ି ପୋଡ଼ିଦେଇଛନ୍ତି। ଏହି ଆକ୍ରମଣରେ ୬ ଜଣ ଆକ୍ରମଣକାରୀଙ୍କ ମୃତ୍ୟୁ ହୋଇଛି। ୧୦୦ରୁ ଅଧିକ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ହାଲଡୱାନୀରେ ଇଣ୍ଟରନେଟ ସେବା ବନ୍ଦ ରହିଛି। ଏହି ଘଟଣା ପରେ ସମଗ୍ର ରାଜ୍ୟରେ ପୋଲିସ ସତର୍କ ରହିଛି। ଉତ୍ତେଜନାପୂର୍ଣ୍ଣ ସ୍ଥିତିକୁ ଦେଖି ହଲଦ୍ୱାନିକୁ ଅତିରିକ୍ତ ସୁରକ୍ଷା ବଳ ମଗାଯାଇଛି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ବରିଷ୍ଠ ଅଧିକାରୀମାନଙ୍କ ଏକ ବୈଠକ ଡାକିଛନ୍ତି।
ବନଭୁଲପୁରା ଥାନା ନିକଟରେ ବେଆଇନ ଭାବେ ନିର୍ମିତ ମଦ୍ରାସାକୁ ହଲଦ୍ୱାନି ପୌରନିଗମ ଅଧିକାରୀମାନେ ଭାଙ୍ଗିଦେଇଥିଲେ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। ଦଳେ ଲୋକ ପୋଲିସ ଅଫସରଙ୍କ ଉପରକୁ ଟେକାମାଡ଼ କରିବାରୁ କେତେଜଣ ଆହତ ହୋଇଛନ୍ତି। ପୋଲିସ ଗାଡ଼ି ସମେତ ଅନେକ ଗାଡ଼ିକୁ ଉତ୍ତ୍ୟକ୍ତ ଲୋକେ ନିଆଁ ଲଗାଇଦେବା ସହ ଭଙ୍ଗାରୁଜା କରିଛନ୍ତି। ଲୋକେ ଏକ ଟ୍ରାନ୍ସଫର୍ମର ଜାଳିଦେଇଥିବାରୁ ଉକ୍ତ ଅଞ୍ଚଳ ଅନ୍ଧାରରେ ରହିଛି। ସ୍ଥାନୀୟ ଲୋକେ ଥାନାକୁ ଘେରାଉ କରି ରଖିଥିବାରୁ ସେଠାରେ ବହୁ ଖବରଦାତା ଓ ପ୍ରଶାସନିକ ଅଧିକାରୀ ଫସି ରହିଛନ୍ତି।

Share