ମଧୁରଝୋଳ ଗାଁ ଶୂନ୍‌ଶାନ

କବିସୂର୍ଯ୍ୟନଗର,୨୯ା୧୦(ଡି.ଏନ.ଏ.): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା କନିଆରୀ ପଞ୍ଚାୟତ ମଧୁରଝୋଳ ଗ୍ରାମରେ ଗୁଣିଗାରେଡିକୁ କେନ୍ଦ୍ରକରି ଗତ ବୁଧବାର ଜଣେ ମହିଳାଙ୍କୁ ହତ୍ୟା ସହ ୩ ପରିବାରକୁ ଆକ୍ରମଣ କରାଯାଇଥିଲା। ଏହି ଘଟଣାରେ ପୋଲିସ ଗୁରୁବାର ୩୩ ଜଣଙ୍କୁ ଗିରଫ କରଛି। ଏବେ ବି ୨୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଅଟକ ରଖିଛି। ଏପଟେ ମଧୁରଝୋଳ ଗାଁ ଜନଶୂନ୍ୟ ହୋଇଛି। ଗ୍ରାମରେ କୋକୁଆ ଭୟ ସୃଷ୍ଟି ହୋଇଛି। ଗାଁ ବାହାରେ ପୋଲିସ ପହରା ଦେଉଛି। ଗ୍ରାମରେ ପ୍ରାୟ ୨୦୦ ପରିବାର ରହୁଥିବା ବେଳେ ଅଧିକାଂଶଙ୍କ ଘରେ ତାଲା ଝୁଲୁଛି। କେତେଜଣ ବୟସ୍କ ଏକାକୀ ରହିଛନ୍ତି। ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନେକେ ସେମାନଙ୍କ ଗୃହପାଳିତ ପ୍ରାଣୀ ଓ ଯାନବାହନ ପାଖ ଗାଁ ବନ୍ଧୁ ସମ୍ପର୍କୀୟଙ୍କ ଘରେ ରଖିଥିବା ଦେଖିବାକୁ ମିଳିଛି।
ଏଭଳି ଅପ୍ରୀତିକର ଘଟଣା ପଛର ସତ ବଖାଣିଛନ୍ତି ଗ୍ରାମର ଜଣେ ବୃଦ୍ଧ। କିଛି ଦିନ ପୂର୍ବରୁ ଗ୍ରାମରେ ଅନେକ ଶିଶୁ ଅସୁସ୍ଥ ହୋଇଥିଲେ। ସେଥିମଧ୍ୟରୁ କେତେଜଣଙ୍କ ଜୀବନ ଯାଇଥିଲା। ଏହାର ପ୍ରତିକାର ନିମନ୍ତେ ଗ୍ରାମବାସୀ ବୈଠକ କରି ତାନ୍ତ୍ରିକ ଡକାଇଥିଲେ। ତାନ୍ତ୍ରିକ ଆସି ଗ୍ରାମରେ ଗୁଣି କରିଥିବା ବ୍ୟକ୍ତିଙ୍କ ସମ୍ବନ୍ଧରେ ସୂଚନା ଦେବାପରେ ଗଣ୍ଡଗୋଳ ଘଟିଥିବା ବୃଦ୍ଧ ଜଣକ କହିଥିଲେ। ଏହି ଘଟଣାରେ ପୋଲିସ ବର୍ତ୍ତମାନ ସୁଦ୍ଧା ୫ଟି ମାମଲା ରୁଜୁ କରି ୩୩ ଜଣଙ୍କୁ କୋର୍ଟ ଚାଲାଣ କରିଛି। ଅନ୍ୟପଟେ ଘଟଣା ପଛର ମାଷ୍ଟରମାଇଣ୍ଡ ତାନ୍ତ୍ରିକଙ୍କୁ ପୋଲିସ କେବେ ଗିରଫ କରି କ’ଣ କାର୍ଯ୍ୟାନୁଷ୍ଠାନ ନେଉଛି ତାହା ଦେଖିବାକୁ ଅପେକ୍ଷା ରହିଛି। କବିସୂର୍ଯ୍ୟନଗର ଆଇଆଇସି ଗ୍ରାମରେ ଶାନ୍ତି ପ୍ରତିଷ୍ଠା ଲାଗି ଶାନ୍ତି କମିଟି ଗଠନ କରାଯାଇଥିଲେ ବି ଏଭଳି ଘଟଣା ଘଟିଥିବା କହିଛନ୍ତି। ଗାଁ ସ୍କୁଲ ଓ ଅଙ୍ଗନୱାଡିକୁ ଶୁକ୍ରବାର କୌଣସି ପିଲା ଆସି ନଥିବା ପ୍ରଧାନ ଶିକ୍ଷକ ସୁବ୍ରତ ରାଓ ଦୋରା କହିଛନ୍ତି। ଅଧିକାଂଶ ଗ୍ରାମବାସୀ ଖଟିଖିଆ, ଦିନ ମଜୁରିଆ ଶ୍ରେଣୀର ହେତୁ ସେମାନଙ୍କ ଜୀବନଜୀବିକା ଉପରେ ବହୁ ପ୍ରଭାବ ପଡିବ। ଆଇଆଇସି ପ୍ରଭାତ ସାହୁ କହିଛନ୍ତି ଏବେ ବି କେତେଜଣ ଅଭିଯୁକ୍ତ ଫେରାର ଅଛନ୍ତି। ଆଗକୁ ଗିରଫ ସଂଖ୍ୟା ବଢ଼ିପାରେ ବୋଲି ସେ କହିଛନ୍ତି।

Share