Posted inଫୁରସତ

ଯାଦୁଖେଳ: ପୂର୍ବ ଆକର୍ଷଣ କମିଛି, ତଥାପି ଏହି ଯାଦୁକର ଛାଡ଼ି ପାରିନାହାନ୍ତି ପେସାକୁ…

ଦିନ ଥିଲା, ମଧ୍ୟାହ୍ନ ହେଉ କି ଅପରାହ୍ନ; ଗାଁ ମଝିରେ କିମ୍ବା ଛକଜାଗା ଅଥବା ସ୍କୁଲ ପରିସରରେ ଯେବେ ଆରମ୍ଭ ହେଉଥିଲା ଯାଦୁଖେଳ ଦର୍ଶକଙ୍କ ମଧ୍ୟରେ ଅହେତୁକ ଉତ୍କଣ୍ଠା ଭରି ଯାଉଥିଲା। ଯାଦୁକର କିଛି ଅଦ୍ଭୁତ ବା ଚମତ୍କାର ଖେଳ ଦେଖାଇବା ପୂର୍ବରୁ ପ୍ରଥମେ ନାନାପ୍ରକାର ବାକ୍‌ଚାତୁରୀରେ ଯେମିତିକି ଯନ୍ତର- ମନ୍ତର- ତନ୍ତର- ଫୁସ୍‌… କହି ଯାଦୁଖେଳ ପ୍ରଦର୍ଶନ କରିଥା’ନ୍ତି। ଖେଳ ପ୍ରଦର୍ଶନ ବେଳେ ଶୂନ୍ୟରୁ ମିଠେଇ, ପଇସା, ଚକୋଲେଟ୍‌ ଓ ବିସ୍କୁଟ ଆଦି ସୃଷ୍ଟି କରିବାର କୌଶଳକୁ ଦେଖାଇଥା’ନ୍ତି। ବିନା ଦିଆଶିଲିରେ ଶୂନ୍ୟରେ ନିଆଁ ଜଳାଇଥା’ନ୍ତି। ଚା, ଅଣ୍ଡାଭଜା, ମୁଣ୍ଡ ଉପରେ ରୋଷେଇ କରିବା ସହ ପୁଅକୁ ଝିଅ କରିବାର କଳାକୌଶଳ ପ୍ରଦର୍ଶନ କରିଥା’ନ୍ତି। ମଣିଷଙ୍କୁ ଶୂନ୍ୟରେ ଭାସମାନ ଅବସ୍ଥାରେ ଶୁଆଇ ରଖିବା, ହଜାର ହଜାର ଦର୍ଶକଙ୍କ ସମ୍ମୁଖରୁ ନିଜକୁ ହଠାତ୍‌ ଉଭାନ୍‌ କରିବା, ଶୂନ୍ୟରେ ଗୋଟିଏ ଝିଅକୁ ଚକ୍ରାକାରରେ ଘୂରାଇବା ପରି ଆଶ୍ଚର୍ଯ୍ୟଜନକ ଖେଳ ଦେଖାଇଥା’ନ୍ତି। କୌଣସି ଦ୍ରବ୍ୟ କିମ୍ବା ପ୍ରାଣୀଙ୍କୁ କପଡ଼ାରେ ଘୋଡ଼ାଇ ତାକୁ ଖଣ୍ଡଖଣ୍ଡ କରି କାଟି ପୁଣିଥରେ ଯୋଡ଼ିବା ଇତ୍ୟାଦି ଦୃଶ୍ୟ ଦର୍ଶକଙ୍କ ମନରେ ନିଆରା ଭାବ ସୃଷ୍ଟି କରିଥାଏ। କିନ୍ତୁ ଯାଦୁକରମାନେ ବିଭିନ୍ନ ଧାରାରେ ନାନାପ୍ରକାର କଳାକୌଶଳକୁ ଅବଲମ୍ବନ କରି ଖେଳ ପ୍ରଦର୍ଶନ କରିଥା’ନ୍ତି। ଯେପରିକି ଦର୍ଶକ ଯାଦୁକାରଙ୍କ ଖେଳ ଦେଖି ଆଶ୍ଚର୍ଯ୍ୟ ବା ଆଚମ୍ବିତ ହୋଇଥାନ୍ତି। ହେଲେ ଯାଦୁବିଦ୍ୟା ସମ୍ପୂର୍ଣ୍ଣ ବିଜ୍ଞାନର ବିଭିନ୍ନ ନିୟମ ଉପରେ ନିର୍ଭରଶୀଳ। ଆଜିକାଲି ବିଭିନ୍ନ ସାଂସ୍କୃତିକ ମଞ୍ଚରେ ଯାଦୁଖେଳ ଦେଖିବାକୁ ମିଳୁଛି। ଓଡ଼ିଶାରେ ଯାଦୁବିଦ୍ୟାରେ ନିଜର ନିଆରା ପରିଚୟ ସୃଷ୍ଟି କରିଥିବା କେତେଜଣ ଯାଦୁକରଙ୍କ ସମ୍ପର୍କରେ।

ଯାଦୁବିଦ୍ୟା କୌଣସି ଗୁଣିଗାରେଡ଼ି ନୁହେଁ- ମୁଠାଏ ତାସ, ରଶି, କାଗଜଫୁଲ, ଆଖିରେ କପଡ଼ା ବାନ୍ଧି ମୋଟରସାଇକେଲ ଚଲାଇବା, ବାର୍‌ଲାଇଟ ଭାଙ୍ଗି ଖାଇବା, ଘଣ୍ଟା ଇତ୍ୟାଦିକୁ ନେଇ ସେ ନାନା ପ୍ରକାରର ଯାଦୁଖେଳ ଦେଖାଇଥାନ୍ତି। ପିଲାଦିନେ ଗାଁରେ ଯେଉଁଠି ଯାଦୁଖେଳ ହେବାର ଶୁଣନ୍ତି ସେ ସେଠାକୁ ଯାଇ ଯାଦୁଖେଳ ଦେଖିନ୍ତି। ସେ ହେଲେ ବିମଳ ବିଶ୍ୱାଳ। ଢେଙ୍କାନାଳ ଜିଲାର ହିନ୍ଦୋଳ ବ୍ଲକ ବଙ୍ଗୁ ଗ୍ରାମରେ ସେ ରୁହନ୍ତି। ସେ କୁହନ୍ତି, ସ୍କୁଲରେ ପାଠ ପଢ଼ୁଥିବା ସମୟରେ ମହେଶ୍ୱର ମହାରଣାଙ୍କ ଯାଦୁଖେଳ ପ୍ରତି ଆକର୍ଷିତ ହୋଇଥିଲି। ନିଜେ କିପରି ଜଣେ ଯାଦୁକର ହୋଇପାରିବି ଏଥିପାଇଁ ଉପାୟ ଖୋଜୁଥିଲି । ଏମିତିରେ ୮ମ ଶ୍ରେଣୀରୁ ଏଥିପାଇଁ ପାଠପଢ଼ା ବଦଳରେ ଅଧିକାଂଶ ସମୟ ଯାଦୁଖେଳରେ ବିତୁଥିଲା। ଅଣ୍ଡାରୁ ପାରା ବାହାର କରିବା, ମଣିଷଙ୍କୁ ଗାଏବ କରିବା, ଶୂନ୍ୟରେ ଶୁଆଇବା ଇତ୍ୟାଦି ଯାଦୁକୌଶଳ ଦେଖାଇ ଦର୍ଶକଙ୍କ ମନରେ ହସ ଭରିଥାଉ। ୧୯୯୯ ମସିହାରୁ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ସଂଗୀତ ନାଟକ ବିଭାଗ ଦ୍ୱାରା ପଞ୍ଜୀକୃତ ଯାଦୁକର ଭାବେ ମାନ୍ୟତା ମିଳିଛି। ରୟାଲ ମ୍ୟାଜିକ୍‌ ଶୋ ଗଠନ କରିଛି। ରାଜ୍ୟ ଓ ରାଜ୍ୟ ବାହାରେ ଯଥା- ସିକିମ୍‌, ନେପାଳ, ଆନ୍ଧ୍ରପ୍ରଦେଶ, କେରଳ ଆଦି ରାଜ୍ୟରେ ଯାଦୁଖେଳ ପ୍ରଦର୍ଶନ କରିପାରିଛି। ପ୍ରାୟ ୨ ହଜାରରୁ ଅଧିକ ମଞ୍ଚରେ ଯାଦୁଖେଳ ଦେଖାଇ ସାରିଲାଣି। ହସ୍ତକୌଶଳ ଦ୍ୱାରା ଇନ୍ଦ୍ରଜାଲ ସୃଷ୍ଟି କରି ଲୋକଙ୍କ ମନୋରଞ୍ଜନ କରିଥାଉ। ଯାଦୁବିଦ୍ୟା କୌଣସି ଗୁଣିଗାରେଡ଼ି ନୁହେଁ। ଏହା ଏକ କୌଶଳ କଳା। ଏହା ମୋ ପାଇଁ ପେସା ପାଲଟି ଯାଇଛି। ତେବେ କରୋନା କଟକଣା ସମୟରେ ସିନା ବିଭିନ୍ନ ଗାଁକୁ ବୁଲିବାକୁ ଯାଇପାରୁନୁ ହେଲେ ଟିଭି ମାଧ୍ୟମରେ ଏହି ଖେଳ ଦେଖାଇଥାଉ। ଏପରିକି କରୋନା ସଚେତନତା ସମ୍ପର୍କରେ ମଧ୍ୟ ଖେଳ ଦେଖାଇଛୁ। ଏହି ଯାଦୁଖେଳ ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟ, ଓଡ଼ିଶା ପ୍ରେସ୍‌ ଏକାଡେମୀ, ନାଲ୍‌କୋ, ସିକିମ୍‌ ପ୍ରଶାସନ ଏବଂ ଓଡ଼ିଶା ସରକାରଙ୍କ ସମେତ ଅନେକ କ୍ଷେତ୍ରରୁ ପୁରସ୍କୃତ ହୋଇଛି।
ମ୍ୟାଜିକ୍‌ ବିଜ୍ଞାନର ଏକ ନିଆରା କୌଶଳ- ସ୍କୁଲରେ ଯାଦୁକରଙ୍କ ଖେଳ ଦେଖି କିଛିି ଯାଦୁଖେଳ ଶିଖିଥିଲେ। ସମୟ କ୍ରମେ ଯାଦୁଖେଳର ତାଲିମ ପାଇଲେ। ଏବେ ଓଡ଼ିଶାରେ ଜଣେ ପରିଚିତ ଯାଦୁକର। ସେ ହେଲେ ଅଚ୍ୟୁତାନନ୍ଦ ଗୌଡ଼(ଅଜୁବା)। ତାଙ୍କ ପିତା ଜୟକୃଷ୍ଣ ଗୌଡ଼ ଜଣେ ଅଧ୍ୟାପକ । ଘର ଗଞ୍ଜାମ ଜିଲାର ପୋଲସରାରେ । ସେ କୁହନ୍ତି- ସ୍କୁଲରେ ପାଠ ପଢ଼ିବା ବୟସରେ ବିଭିନ୍ନ ଯାଦୁକରଙ୍କ ଯାଦୁଖେଳ ଦେଖି ଖୁସି ହେଉଥିଲି। ତାଙ୍କଠାରୁ ଯାଦୁଖେଳ ଶିଖିବା ପାଇଁ ମନ ବଳାଇଥିଲି। କିନ୍ତୁ ସେତେବେଳେ ଏହି କଳା ଶିଖିବା ପାଇଁ ବିଶେଷକିଛି ସୁଯୋଗ ନଥିଲା। ୨୦୧୧ରୁ ଯାଦୁଖେଳ ଶିଖିବାକୁ ଚେଷ୍ଟା କରୁଥିଲି, ମାତ୍ର ୨୦୧୪ରେ ମୋ ଗୁରୁ ସନ୍ତୋଷ କୁମାର ଚୌଧୁରୀ ଏବଂ ସୁକେଶ ପଟ୍ଟନାୟକଙ୍କଠାରୁ ଯାଦୁବିଦ୍ୟା ଶିକ୍ଷା ଲାଭ କରିଥିଲି। ପରେ କଲିକତା, ଗୁଜରାଟ, କେରଳ, ଛତିଶଗଡ଼ ଆଦି ସ୍ଥାନକୁ ଯାଇ ଯାଦୁ କଳା ଶିଖିଲି। ଯାଦୁଖେଳରେ ଶୂନ୍ୟରୁ ବିଭିନ୍ନ ପ୍ରକାର ଜିନିଷ ବାହାର କରିବା, କିଛି ମିଠାଇ, ବିଭୂତି ବାହାର କରିବା, ଏପରିକି ଅନ୍ୟ ଜଣେ କ’ଣ ଭାବୁଛି ତାହା ଜାଣିପାରିବା; ଯାହାକୁ (ଟେଲିପୋଟେସନ) କୁହାଯାଏ। ଏମିତି ଯାଦୁବିଦ୍ୟାରେ ଦକ୍ଷତା ହାସଲ କରିପାରିଛି। ରାଜ୍ୟ ଓ ରାଜ୍ୟ ବାହାରର ବିଭିନ୍ନ ସ୍ଥାନରେ ଏଯାଏ ପ୍ରାୟ ୨ ହଜାରରୁ ଅଧିକ ସ୍ଥାନରେ ଯାଦୁକଳା ଦେଖାଇସାରିଲାଣି। ଏମିତିରେ ପ୍ରାୟ ଦୀର୍ଘ ୭ ବର୍ଷ ହୋଇଯିବ ଯାଦୁଖେଳ କରିଆସୁଛି। ମୋ ମତରେ ମ୍ୟାଜିକ୍‌ ବିଜ୍ଞାନର ଏକ ନିଆରା କୌଶଳ। ଏହାର ସ୍ବତନ୍ତ୍ର କୌଶଳ ଓ ଅଭ୍ୟାସ ଦ୍ୱାରା ଦର୍ଶକଙ୍କୁ ଚମତ୍କାର ଲାଗେ। ମ୍ୟାଜିକବାଲା କ’ଣ ଦେଖାଏ ବଡ଼ କଥା ନୁହେଁ, କିନ୍ତୁ ଦର୍ଶକଙ୍କୁ କିପରି ଚମତ୍କାର କଳାରେ ଆକର୍ଷିତ କରିହେବ ଏହାହିଁ ବଡ଼କଥା। ମ୍ୟାଜିକ୍‌ବାଲା କିଛି ସାମଗ୍ରୀକୁ ଲୁଚାଇ ରଖିଥିବେ, ଯେପରି କି ଏହି ଖେଳ ଦେଖୁଥିବା ଦର୍ଶକ ସେତେବେଳେ କେହି ଦେଖି ନଥିବେ ବା ଜାଣିପାରିନଥିବେ । କୌଶଳକ୍ରମେ ଯାଦୁକର ହଠାତ୍‌ ଦେଖାଇଦେବାରୁ ଲୋକଙ୍କୁ ଆଶ୍ଚର୍ଯ୍ୟ ଲାଗିଥାଏ। ଏବେ ଓଡ଼ିଶାର ଜଣେ ପରିଚିତ ଯାଦୁକର ଭାବେ ପରିଚିତ ହୋଇପାରିଛି। ମୋତେ ଯାଦୁକର ‘ଅଜୁବା’ ନାମରେ ପରିଚୟ ମିଳିଚି। ଭବିଷ୍ୟତରେ ଗୋଟିଏ ଯାଦୁଶିକ୍ଷା କେନ୍ଦ୍ର ଖୋଲିବା ପାଇଁ ଆଶା କରିଛି। ଏଯାଏ ପ୍ରାୟ ୪୦ଜଣ ଏହି ବିଦ୍ୟା ଶିଖିସାରିଲେଣି।

ମ୍ୟାଜିକ୍‌ରେ କୌଶଳ ଓ ବାକ୍‌ଚାତୁରୀ ଥାଏ- ପିଲାଙ୍କଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଯାଦୁଖେଳ ଦେଖିବାକୁ ଭଲପାଆନ୍ତି। କେହିକେହି ସାଙ୍ଗମାନଙ୍କ ଆଗରେ ଯାଦୁଖେଳ ଦେଖାଇ ମଜା କରିଥାନ୍ତି। ହେଲେ ସେ ସ୍କୁଲ ବୟସରୁ ଯାଦୁଖେଳ ପ୍ରତି ମନ ବଳାଇଥିଲେ । ଏବେ ଓଡ଼ିଶାର ଜଣେ ଜଣାଶୁଣା ଯାଦୁକର । ସେ ହେଲେ ଜୀବନ ମିଶ୍ର। ସେ କୁହନ୍ତି- ହାଇସ୍କୁଲରେ ପଢୁଥିବା ସମୟରେ ଥରେ ସ୍କୁଲରେ ଯାଦୁକର ପି.ଏଲ୍‌. ସୁନ୍ଦରାଙ୍କ ଯାଦୁଖେଳ ଦେଖି ମନେମନେ ଠିକ୍‌ କଲି ମୁଁ ନିଜେ କିପରି ଜଣେ ଯାଦୁକର ହେବି। ଏଥିପାଇଁ ଚିନ୍ତା ଘାରିଥିଲା। କିଛି ଛୋଟଛୋଟ ଯାଦୁଖେଳକୁ ଅଭ୍ୟାସ କରି ଶିଖିଲି। ସମୟକ୍ରମେ ରେଢ଼ାଖୋଳରେ +୨ ପଢ଼ୁଥିବାବେଳେ ଯାଦୁଖେଳ ପ୍ରତି ଅଧିକ ଆଗ୍ରହୀ ହେଲି। ଯୋଗକୁ ଏହି ସମୟରେ ଆନ୍ଧ୍ରରୁ ଆସି ସାଇକେଲରେ ବୁଲିବୁଲି ଗାଁ ଗାଁରେ ଯାଦୁଖେଳ ଦେଖାଉଥିବା କେ. ରାଜାରାଓଙ୍କ ସହିତ ସାକ୍ଷାତ୍‌ ହେଲି। ତାପରେ ତାଙ୍କଠାରୁ ବିଭିନ୍ନ ଯାଦୁଖେଳର କୌଶଳ ଶିଖିଲି। ଏମିତିରେ ସ୍କୁଲରେ ସାଙ୍ଗ ଓ ସାରଙ୍କୁ ଖେଳ ଦେଖାଇଥିବାରୁ ସମସ୍ତେ ପ୍ରଶଂସା କଲେ। ତା’ପରେ ଏହି ନିଶା ମତେ ଜଣେ ଯାଦୁକର ଭାବେ ପରିଚୟ ଦେଇଛି। ଏଥିପାଇଁ ଜାତୀୟ ସ୍ତରରେ ବି ନିଆରା ପରିଚୟ ରହିଛି। ଜୀବନସ୍‌ ଇନ୍ଦ୍ରଜାଲ ନାମକ ଏକ ମ୍ୟାଜିକ ଦଳ ଗଠନ କରିଥିଲି। ଏଥିରେ ପ୍ରାୟ ୨୦ଜଣ ସଦସ୍ୟ। ପ୍ରଥମ ଶୋ ହେଇଥିଲା ୧୯୯୬ ମସିହାରେ ରଥାଯାତ୍ରାକୁ। ତାପରେ ଓଡ଼ିଶା ସମେତ ଛତିଶଗଡ଼, ଆନ୍ଧ୍ରପ୍ରଦେଶ ଆଦି ଅନେକ ରାଜ୍ୟର ବିଭିନ୍ନ ସ୍ଥାନରେ ଯାଦୁଖେଳ ପ୍ରଦର୍ଶନ କରିସାରିଲାଣି । ଏଥିସହିତ ବି ପାଠପଢ଼ା ଚାଲିଥାଏ, ମାତ୍ର ଚାକିରି ପାଇଁ ଉଦ୍ୟମ ନ କରି ପୂରା ସମୟ ଯାଦୁଖେଳରେ ବିତାଇଲି। ୨୦୦୪ ମସିହାରୁ ଭୁବନେଶ୍ୱରରେ ରହୁଥିବାବେଳେ ଅନେକ ସଂଘର୍ଷ କରିବାକୁ ପଡ଼ିଥିଲା। ବୁଲିବୁଲି ସ୍କୁଲ, କଲେଜ, ଗାଁ, ବଜାର ଆଦି ବିଭିନ୍ନ ସ୍ଥାନରେ ଯାଦୁଖେଳ ଦେଖାଇଛି। କିନ୍ତୁ ବିଧିବଦ୍ଧ ଭାବେ ସେମିତି କିଛି ସୁଯୋଗ ମିଳୁ ନ ଥିଲା । ନିଜ ଦକ୍ଷତାର ଉପଯୋଗ ପାଇଁ ଚିନ୍ତାକଲି। ଏମିତିରେ ସୁକେଶ ପଟ୍ଟନାୟକ ଓ ସନ୍ତୋଷ ଚୌଧୁରୀଙ୍କ ଏସ୍‌ଏଏସ ମ୍ୟାଜିକ ଏକାଡେମୀରୁ କ୍ଲୋଜ-ଅଫ ମ୍ୟାଜିକ ଶିଖିଲି। ଆମେ ଦେଖୁଥିବା ଚିତ୍ତାକର୍ଷକ ମ୍ୟାଜିକଠାରୁ ଏହା ସମ୍ପୂର୍ଣ୍ଣ ଭିନ୍ନ। ଏଥିରେ ବିଶେଷକରି ସାଧାରଣ ଭାବେ ପକେଟ ଓ ହାତ ଜରିଆରେ ବିଭିନ୍ନ ଯାଦୁଖେଳ ଦେଖାଇ ହୁଏ। ବିଭିନ୍ନ ପ୍ରକାରର ଜିନିଷକୁ ଦେଖାଇ ଚମତ୍କାର କରିହୁଏ। ସବୁଠୁ ବଡ଼କଥା ହେଉଛି ଏଥିପାଇଁ କୌଣସି ବଡ଼ମଞ୍ଚ କି ସ୍ବତନ୍ତ୍ର ସାଜସଜ୍ଜାର ଦରକାର ପଡ଼େନି। କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ କି ସଭାରେ ଅଧଘଣ୍ଟାରେ ବି ବୁଲିବୁଲି ଦର୍ଶକଙ୍କ ମଧ୍ୟରେ ଯାଦୁଖେଳକୁ ଦେଖାଇହୁଏ। ମ୍ୟାଜିସିଆନ ଭାବେ ଓଡ଼ିଶାରେ ହୋଟେଲ ଇଣ୍ଡଷ୍ଟ୍ରିରେ ଚାକିରି ପାଇଲି। ସବୁବେଳେ ଅତିଥିମାନଙ୍କୁ ମ୍ୟାଜିକ ଦେଖାଇ ମନୋରଞ୍ଜନ କରିଆସୁଛି। ବର୍ତ୍ତମାନ କ୍ଲୋଜ୍‌ଅପ ମ୍ୟାଜିକରେ ଏତେ ସୁଯୋଗ ରହିଛି ଯେ ଜଣେ ଦକ୍ଷ ମ୍ୟାଜିସିଆନ ମାସକୁ ପ୍ରାୟ ୫୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ରୋଜଗାର କରିବା କିଛି କଷ୍ଟ ନୁହେଁ। ମ୍ୟାଜିକ୍‌ ପାଇଁ ଅଭ୍ୟାସ ହିଁ ଅଧିକ ଆକର୍ଷଣ କରିଥାଏ। ମ୍ୟାଜିକ୍‌ରେ କେବଳ କୌଶଳ ଓ ବାକ୍‌ଚାତୁରୀ ଥାଏ। ଲୋକଙ୍କ ମନରୁ ଅନ୍ଧବିଶ୍ୱାସ ଦୂର କରିବା ଲାଗି ମ୍ୟାଜିକ ଶୋର ଆୟୋଜନ କରୁଛୁ। ଏଥିପ୍ରତି ଦିନକୁ ଦିନ ଆଗ୍ରହ ବଢୁଛି।

ଲୋକଙ୍କୁ ଖୁସି ବାଣ୍ଟୁଥିବାରୁ ଖୁସି ଲାଗେ- ଗଞ୍ଜାମ ଜିଲା ଛତ୍ରପୁର ଅଧୀନ ଲଣ୍ଡାବାଉଁଶର ସୁନୀଲ ଜଣେ ଯାଦୁକର। ସେ କୁହନ୍ତି- ପିଲାଦିନରୁ ମୋର ଯାଦୁଖେଳ ଦେଖିବାକୁ ଓ ଦେଖେଇବାକୁ ବହୁତ ଇଚ୍ଛା ଥିଲା। ଦିନେ ମୁଁ ଜଣେ ଯାଦୁକରକୁ ଦେଖିଥିଲି। ସେ ବହୁତ ବିଚକ୍ଷଣ ଯାଦୁ ଦେଖାଉଥିଲେ। ତାଙ୍କର ଯାଦୁ ଦେଖି ମୋ ମନରେ ଆଗ୍ରହ ବଢିଥିଲା। କିନ୍ତୁ ଘରର ସହଯୋଗ ବହୁତ କମ ଥିବାରୁ ସେତେବେଳେ ଯାଦୁବିଦ୍ୟା ଶିଖି ପାରି ନ ଥିଲି। କିଛିଦିନ ପରେ {ଯାଦୁଗର ଜେ. କେ}ଙ୍କ ସହିତ ଦେଖାହୋଇଥିଲି ା ସେ ମତେ ବହୁତ ଯାଦୁଖେଳ ଦେଖେଇଲେ ଓ ଶିଖେଇଥିଲେ । ପରେ ଶିଖିଥିବା ଯାଦୁଖେଳକୁ ଲୋକମାନଙ୍କୁ ଦେଖେଇ ବହୁତ ପ୍ରଶଂସା ପାଇଲି। ଦିନେ ସେ ମତେ {ଯାଦୁକର ଅଜୁବା} ଅଚ୍ୟୁତାନନ୍ଦ ଗୌଡ଼ଙ୍କ ସହିତ ସାକ୍ଷାତ୍‌ କରେଇଲେ। ତାଙ୍କ ଯାଦୁ ଦେଖି ଅଧିକ ମଜ୍ଜିତ ହେଇଗଲି। ସେ ଅନେକ ପ୍ରକାରର ଯାଦୁଖେଳ ଜାଣନ୍ତି। ସେ ବହୁତ ଲୋକଙ୍କୁ ଯାଦୁ ଶିଖେଇ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ମୁଁ ବି ତାଙ୍କ ସହିତ ମିଶିଲା ପରେ ମୋ ଯାଦୁରେ ବହୁତ ପରିବର୍ତ୍ତନ ଆସିଲା। ମୋତେ ସେ କିଛି ଯାଦୁ ଶିଖେଇଲେ ଆଉ ତାଙ୍କ {ଯାଦୁକର ଅଜୁବା} ଗ୍ରୁପରେ ଯୋଗଦେଇଛି। ଏଥିରେ ଲୋକଙ୍କୁ ଖୁସି ବାଣ୍ଟୁଥିବାରୁ ମତେ ଖୁସିଲାଗେ।

ଯାଦୁ ହେଉଛି ବିଜ୍ଞାନ ଓ ଅଭ୍ୟାସର କଳା- ପିଲାଦିନେ ସ୍କୁଲରେ ଯାଦୁଖେଳ ଦେଖି ଯାଦୁ ଶିଖିବାକୁ ଆଗ୍ରହ କରିଥିଲେ। ତାପରେ କେତେକ ଯାଦୁବିଦ୍ୟା ବହି ସଂଗ୍ରହ କରି ଆପେଆପେ ଶିଖିବାକୁ ଲାଗିଲେ। ସେ ହେଲେ ସୁଧାଂଶୁ ଦାସ। ଘର କଟକରେ । ସେ କୁହନ୍ତି, ପ୍ରାୟ ୮ ବର୍ଷ ବେଳକୁ ଯାଦୁକର ପି .ଭାସ୍କରଙ୍କ କେତେକ ଯାଦୁ କୌଶଳ ଶିଖିପାରିଲି। ସ୍କୁଲରେ ପଢିଲାବେଳେ ମଧ୍ୟ ଖୁସିରେ ଯାଦୁଖେଳ ଦେଖାଇଲି। ଅନେକ ମତେ ଯାଦୁକର ବୋଲି ଜାଣିଗଲେ। ପରେ ବିଭିନ୍ନ ମଞ୍ଚରେ ଯାଦୁଖେଳ ଦେଖାଇ ଦର୍ଶକଙ୍କୁ ଖୁସି ବାଣ୍ଟିଲି। ମତେ ଅନେକ ପ୍ରଶଂସା କଲେ। ତା’ପରେ ଏକ ଘରୋଇ ସଂସ୍ଥାରେ ଚାକିରି କରିଥିଲି, ମାତ୍ର ଯାଦୁବିଦ୍ୟା ପାଇଁ ଚାକିରି ଛାଡ଼ି ଏବେ ଜଣେ ପେସାଦାର ଯାଦୁକର ଭାବେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବହୁ ସ୍ଥାନରେ ଯାଦୁଖେଳ ପ୍ରଦର୍ଶନ କରିପାରିଛି। ଏଥିଯୋଗୁ ଅନେକ ସମ୍ମାନ ଓ ପୁରସ୍କାର ମିଳିଛି। ଯାଦୁକଳା କିପରି ସମାଜରେ ବିନିଯୋଗ ହୋଇପାରିବ ଏ ବିଷୟରେ ଚିନ୍ତାକରି ଭିନ୍ନକ୍ଷମ ଓ ଜେଲରେ ରହୁଥିବା କେତେକ ବ୍ୟକ୍ତିଙ୍କୁ ଯାଦୁବିଦ୍ୟା ଶିକ୍ଷା ଦେଇ ସଫଳ ହୋଇପାରିଛି। ବିଭିନ୍ନ ସ୍ଥାନରେ ଆୟୋଜିତ ଯାଦୁକର ସମ୍ମେଳନରେ ମଧ୍ୟ ଯୋଗ ଦେଇ କିଛି ଶିଖିପାରିଛିି। ଯାଦୁ କହିଲେ ଗୁଣି ଗାରେଡ଼ି ନୁହେଁ। ଆମେ ଯାହା କରୁ, ସବୁ ବିଜ୍ଞାନ ଓ ଅଭ୍ୟାସର କଳା। ଯାଦୁବିଦ୍ୟାର ବିଭିନ୍ନ ବିଭାଗ ରହିଛି। କିନ୍ତୁ ଜଣେ ପେସାଦାର ଯାଦୁକରଙ୍କ ପାଇଁ ଏସବୁ ବିଭାଗ ବିଷୟରେ ଜାଣିବାର ଆବଶ୍ୟକତା ରହିଛି। ଏବେ ରାଜ୍ୟରେ ଯାଦୁକରଙ୍କ ପ୍ରତି ଶ୍ରଦ୍ଧା ରହିଛି । ଏଥିରେ ଅନେକ ରୋଜଗାରକ୍ଷମ ହୋଇ ପାରୁଥିବାରୁ ଅନେକଙ୍କ ଆଗ୍ରହ ବଢୁଛି। ଓଡ଼ିଶାରେ ଘରୋଇ ଭାବେ ଏସ୍‌ଏସ୍‌ ଯାଦୁକର ଏକାଡେମୀରେ ଏହି ଶିକ୍ଷା ଓ ତାଲିମ ପ୍ରଦାନ କରାଯାଉଛି। ତେବେ ଯାଦୁବିଦ୍ୟାର ଚମତ୍କାରିତା ଅନେକଙ୍କ ପାଇଁ ମନୋରଞ୍ଜନର ଖୋରାକ ଯୋଗାଇ ଥାଏ । ଲୋକଙ୍କ ମନରୁ ଅନ୍ଧବିଶ୍ୱାସ ଦୂର କରିବା ଲାଗି ମ୍ୟାଜିକ ଶୋର ଆୟୋଜନ କରୁଛୁ। ଏଥିପ୍ରତି ଦିନକୁ ଦିନ ଆଗ୍ରହ ବଢୁଛି। ଓଡ଼ିଶାର ବିଭିନ୍ନ ସ୍ଥାନରେ ଅନେକ ଯାଦୁକର ରହିଛିନ୍ତି।

– ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଆନ୍‌ ରକ୍‌ ବ୍ୟାଣ୍ଡ ‘ଅଗ୍ନି’

ଜଳବାୟୁ ପରିବର୍ତ୍ତନ ଏବେ ସାରା ବିଶ୍ୱ ପାଇଁ ଆହ୍ବାନ ସୃଷ୍ଟି କରିଛି। ଏହାର ମୁକାବିଲା କ୍ଷେତ୍ରରେ ଯୁବପିଢ଼ିଙ୍କ ବଡ଼ ଭୂମିକା ରହୁଛି। ସେମାନେ କିପରି ସଚେତନ...

୫୦୬ ବର୍ଷ ପୁରୁଣା ମାରାତ୍ମକ ମହାମାରୀ, ରାସ୍ତା ଉପରେ ନାଚି ନାଚି ୪୦୦ ଲୋକଙ୍କର ହୋଇଥିଲା ମୃତ୍ୟୁ

ଷ୍ଟାର୍ସବର୍ଗ: ଇତିହାସରେ ଏପରି ଅନେକ ଘଟଣା ଘଟିଛି ଯାହା ଆଜି ବି ଲୋକମାନେ ମନେ ପକାଇ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଆଜି ଆମେ ଏପରି ଏକ...

ଲଣ୍ଡନରେ ଲୋକଙ୍କ ପାଟିରୁ ଲାଳ ଗଡାଉଛି କୋଲକାତାର ‘ଝାଲମୁଢି’, ଇଂରାଜୀ ବାବୁଙ୍କ ଠେଲାକୁ ନେଇ ହେଉଛି ଚର୍ଚ୍ଚା

ଲଣ୍ଡନ,୨୧।୧୧: ଆମେ ଖାଦ୍ୟ ବିଷୟରେ ଆଲୋଚନା କରିବା ବେଳେ କେହି କେବେ କୋଲକାତାକୁ ଭୁଲି ପାରନ୍ତି ନାହିଁ ବୋଲି କହାଯାଏ। ପଶ୍ଚିମବଙ୍ଗରେ ବିଭିନ୍ନ ପ୍ରକାରର ଖାଦ୍ୟ...

ଭିଣୋଇଙ୍କ ସହ ଥିଲା ଅନୈତିକ ସମ୍ପର୍କ, ବିବାହ ମଣ୍ଡପରେ କନ୍ୟାଙ୍କ ଭିଡିଓ ଚଲାଇଦେଲେ ବର, ତା’ପରେ…

ବିବାହ ମଣ୍ଡପରେ କନ୍ୟାର କାରନାମା ଭିଡିଓ ମାଧ୍ୟମରେ ଦେଖାଯାଏ, ତେବେ କ’ଣ ହେବ? ଚାଇନାର ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ବର...

ଶିଶୁ ହସିଲେ ଦୁନିଆ ହସିବ

ଆଜିର ଶିଶୁ ଭବିଷ୍ୟତର ନାଗରିକ ଓ ସେହି କ୍ରମରେ ଆଜିର ଶିଶୁଟିଏ ହସିଲେ ନିଶ୍ଚୟ ଆସନ୍ତାକାଲି ଦେଶ ହସିବ। ତେଣୁ ଦେଶରେ ଶିଶୁଟିଏ ସୁରକ୍ଷିତ ଭାବରେ...

‘ଶୌଚାଳୟ: ଶାନ୍ତି ପାଇଁ ଏକ ସ୍ଥାନ’

ପ୍ରତିବର୍ଷ ନଭେମ୍ବର ୧୯ ରେ ବିଶ୍ୱସ୍ତରରେ ଶୌଚାଳୟ ଦିବସ ପାଳନ କରାଯାଏ। ଏହା ହେଉଛି ମିଳିତ ଜାତିସଂଘର ଏକ ବୈଶ୍ୱିକ ପଦକ୍ଷେପ, ଯାହା ଜରୁରୀ ପରିମଳ...

Gmail ରେ ଷ୍ଟୋରେଜ ଫୁଲ୍‌ ହୋଇଯାଇଛି କି? ଜାଣି ନିଅନ୍ତୁ ଉପାୟ

ନୂଆଦିଲ୍ଲୀ,୧୯।୧୧: Gmail ଷ୍ଟୋରେଜ ଫୁଲ ହେବା ଏକ ସାଧାରଣ ସମସ୍ୟା । ଆପଣଙ୍କୁ ଜଣାଇଦେଉଛୁ ଯେ, ଗୁଗୁଲ ଦ୍ୱାରା ପ୍ରତ୍ୟେକ ଉପଭୋକ୍ତାଙ୍କୁ କେବଳ ୧୫ GB...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri