ବିଧାୟକଙ୍କ ମହାନତା: କୋଡି, ଶାବଳ ଧରି ନିର୍ମାଣ କଲେ ଅସ୍ଥାୟୀ ଚେକ୍‌ଡ୍ୟାମ

ପୁରୁଷୋତ୍ତମପୁର,୧୪।୧୦(ସିମାଞ୍ଚଳ ମିଶ୍ର): ସରକାର ଚାଷୀଙ୍କ ଜମିକୁ ଜଳସେଚନର ସୁବିଧା ଲାଗି ଯୋଜନା ପରେ ଯୋଜନା କରୁଥିବା ବେଳେ ଲିପ୍ଟ ଇରିଗେସନ ବିଭାଗୀୟ କର୍ମଚାରୀଙ୍କ ଦାୟିତ୍ୱହୀନତା ଓ ମନଇଛା କାର୍ଯ୍ୟ ଯୋଗୁ ଚାଷୀଙ୍କ ଜମିକୁ ପାଣି ଯୋଗାଣ ହୋଇ ନ ପାରି ଫସଲ ନଷ୍ଟ ହେବାକୁ ନେଇ ଚାଷୀକୁଳ ହତାସ ହୋଇପଡିଛନ୍ତି। ଚାଷୀଙ୍କ ଏଭଳି ଦୟନୀୟ ସ୍ଥିତିକୁ ଦେଖି କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ନିଜସ୍ବ ଉଦ୍ୟମରେ ପୁରୁଷୋତ୍ତମପୁର ବ୍ଲକର ଅନ୍ତରିଗାଁଠାରେ ଋଷିକୂଲ୍ୟା ନଦୀ ମଧ୍ୟରେ ସୋମବାର ଏକ ଅସ୍ଥାୟୀ ଚେକଡ୍ୟାମ ନିର୍ମାଣ କରିବାରେ ଲାଗିପଡିଛନ୍ତି। ଏହାଦ୍ବାରା ଚାଷୀକୁଳ ଏକପ୍ରକାରର ଫସଲ ପୋଡି ଦାଉରୁ ରକ୍ଷାପାଇପାରିବେ ବୋଲି ଆଶା କରାଯାଉଛି।

ଅଞ୍ଚଳର ହଜାର ହଜାର ଚାଷଜମିକୁ ଜଳସେଚନ ଲାଗି ସରକାର ପାଣ୍ଡିଆପଞ୍ଚାୟତର ଖାଲୁଆ ସ୍ଥାନ ଦେଉଳପଲ୍ଲୀ ଠାରେ ମେଗା ଇରିଗେସନ ପ୍ରୋଜେକ୍ଟ ନିର୍ମାଣ ଲାଗି ୪୩ କୋଟି ଟଙ୍କାର ଅନୁଦାନ ଯୋଗାଇ ଦେଇଥିଲେ। ମାତ୍ର ଏହି ପ୍ରୋଜେକ୍ଟଟିକୁ ଦେଉଳପଲ୍ଲୀ ଠାରେ ନିର୍ମାଣ କରିବା ବଦଳରେ ବିଭାଗୀୟ ଯନ୍ତ୍ରୀମାନେ ନିଜ ଇଚ୍ଛା ମୁତାବକ ଭାବରେ ଦେଉଳପଲ୍ଲୀଠାରୁ ପ୍ରାୟ ୧୦ କିଲୋମିଟର ଦୂର ଅନ୍ତରିଗାଁର ଏକ ଉଚ୍ଚ ସ୍ଥାନରେ ନିର୍ମାଣ କରିଛନ୍ତି। ଇନଟେକୱେଲଟି ଉଚ୍ଚ ସ୍ଥାନରେ ନିର୍ମାଣ କରାଯାଇଥିବାରୁ ପାଣି ଉଠାଣ ହୋଇ ନ ପାରି ଏହି ପ୍ରୋଜେକ୍ଟଟି ନିର୍ମାଣ ପରଠାରୁ ଦୁଇବର୍ଷରୁ ଉର୍ଦ୍ଧ ହେଲା ପଡିରହି ଖତଖାଇବାରେ ଲାଗିଥିଲା।
ଚାଷଜମିକୁ ପାଣି ଯୋଗାଣ ହୋଇ ନ ପାରି ଫସଲ ନଷ୍ଟ ହେଉଥିବାର ନେଇ ଚାଷୀକୁଳ ବିଧାୟକଙ୍କ ଠାରେ ଗୁହାରୀ କରିଥିଲେ। ଏହାକୁ ନେଇ ବିଧାୟକ ପ୍ରତାପଚନ୍ଦ୍ର ନାୟକ ଓ ଯୁବନେତା ସୀତାରାମ ପାଣିଗ୍ରାହୀ ସୋମବାର ଘଟଣାସ୍ଥଳକୁ ଆସି ଦେଖିବା ସହ ଚାଷୀଙ୍କ ଦୁଃଖକୁ ହୃଦୟଙ୍ଗମ କରି ସଙ୍ଗେ ସଙ୍ଗେ ଜେସିବି ମେଶିନ ଡକାଇବା ସହ ଦଳୀୟ କର୍ମୀ ଓ ଚାଷୀମାନଙ୍କୁ ନେଇ ନିଜେ କୋଡି ଶାବଳ ଧରି ଋଷିକୂଲ୍ୟା ନଦୀରେ ଖୋଳିବା ସହ ବାଲିବସ୍ତା ବୋହି ନେଇ ଏକ ଅସ୍ଥାାୟୀ ଚେକଡ୍ୟାମ ନିର୍ମାଣ କରିବାରେ ଲାଗିପଡିଛନ୍ତି। ବିଧାୟକ ସଙ୍ଗେ ସଙ୍ଗେ ପଦକ୍ଷେପ ନେଇ କାର୍ଯ୍ୟ କରିଥିବାକୁ ନେଇ ଚାଷୀକୁଳ ବିଧାୟକ ପ୍ରତାପ ନାୟକ ଓ ସୀତାରାମ ପାଣିଗ୍ରାହୀଙ୍କୁ ଧନ୍ୟବାଦ ଦେଇଛନ୍ତି। ଏପରିକି ଆଗାମୀ ଦିନରେ ଏଥିପ୍ରତି ପଦକ୍ଷେପ ନେଇ ଏହାର ସ୍ଥାୟୀ ସମାଧାନ କରାଯିବ ବୋଲି ବିଧାୟକ କହିଛନ୍ତି।

Share