ପହଣ୍ଡିରେ ଝୁଲିଝୁଲି ଆସୁଛନ୍ତି ମହାବାହୁ

ପୁରୀ,୭ା୭: ଆଜି ମହାବାହୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ଭକ୍ତିମୟ ହୋଇଉଠିଛି ବଡ଼ଦାଣ୍ଡ। ପ୍ରଥମେ ଚକ୍ରରାଜ ଶ୍ରୀ ସୁଦର୍ଶନଙ୍କ ପହଣ୍ଡି ହୋଇଥିଲା। ପରେ ବଳଭଦ୍ରଙ୍କର ପହଣ୍ଡି ଏବଂ ଏହା ପରେ ମା’ ସୁଭଦ୍ରାଙ୍କ ପହଣ୍ଡି ହୋଇଥିଲା। ଏବେ ମହାବାହୁ ଜଗତର ନାଥ ଜଗନ୍ନାଥଙ୍କ ପହଣ୍ଡି ଆରମ୍ଭ ହୋଇଛି।

ଘୋଷଯାତ୍ରାର ଅବ୍ୟବହିତ ପୂର୍ବରୁ ଶନିବାର ପ୍ରତିପଦା ତିଥିରେ ଶ୍ରୀମନ୍ଦିରରେ ସକାଳଧୂପ ଶେଷ ହେବାପରେ ରଥଖଳାକୁ ଆଜ୍ଞାମାଳ ବିଜେ ହୋଇଥିଲା। ୩ ଜଣ ପୂଜାପଣ୍ଡା ପଟିଦିଅଁଙ୍କଠାରୁ ଆଜ୍ଞାମାଳ ଆଣିଥିଲେ। ଏହାପରେ ଘଣ୍ଟ ଛତା କାହାଳୀ ସହ ପୂଜାପଣ୍ଡା ସାମନ୍ତ ରଥଖଳାକୁ ଆଜ୍ଞାମାଳା ବିଜେ କରିଥିଲେ। ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ରଥରେ, ଦ୍ୱିତୀୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ, ଶେଷରେ ମା’ ସୁଭଦ୍ରାଙ୍କ ଦେବଦଳନ ରଥରେ ଆଜ୍ଞାମାଳ ବିଜେ କରାଯାଇଥିଲା। ଏହାପରେ ଭୋଇ ସେବକମାନେ ରଥରେ ଦଉଡି଼ ସଂଯୋଗ କରିଥିଲେ। ବିଜେ କାହାଳୀ ଦିଆଯିବା ପରେ ପରମ୍ପରା ଅନୁଯାୟୀ ପ୍ରଥମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖକୁ ଟଣାଯାଇଥିଲା। ପରେ ଦେବଦଳନ ରଥ ଏବଂ ଶେଷରେ ତାଳଧ୍ୱଜ ରଥକୁ ଟଣାଯାଇ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପହଞ୍ଚାଯାଇଥିଲା। ସିଂହଦ୍ୱାର ସମ୍ମୁଖରେ ଲାଗିବା ପରେ ତିନି ରଥକୁ ପୋଲିସ ପକ୍ଷରୁ ଲୁହା ବ୍ୟାରିକେଡ୍‌ ଦ୍ୱାରା ଆବଦ୍ଧ କରାଯାଇଥିଲା। ଅପରପକ୍ଷରେ ତିଥି କ୍ଷୟ ଯାଉଥିବାରୁ ଚଳିତ ବର୍ଷ ରଥଯାତ୍ରା ଦିନ ହିଁ ନବଯୌବନ ଓ ନେତ୍ରୋତ୍ସବ ପଡୁଛି। ତେଣୁ ଭକ୍ତମାନେ ମହାପ୍ରଭୁଙ୍କର ନବଯୌବନ ଦର୍ଶନରୁ ବଞ୍ଚିତ ହୋଇଛନ୍ତି। ରବିବାର ରଥ ଉପରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ସହ ରଥଟାଣି ନିଜକୁ ଧନ୍ୟ ମନେକରିବେ।

Share