ବମ୍ବେ: ପ୍ରଥମ ବିବାହ ବିଫଳ ହେବା ପରେ କରିଥିଲେ ଦ୍ୱିତୀୟ ବିବାହ। ହେଲେ ତାହା ବି ଚାଲିଲା ନାହିଁ। ଶେଷରେ ସ୍ତ୍ରୀ ସ୍ମିତା ଗାଟେଙ୍କଠାରୁ ଅଲଗା ହେବା ଲାଗି ନିଷ୍ପତ୍ତି ନେଇଛନ୍ତି ଟେଲି ପରଦାର ଐତିହାସିକ ଧାରାବାହିକ ‘ମହାଭାରତ’ରେ କୃଷ୍ଣଙ୍କ ଭୂମିକାରେ ନଜର ଆସିଥିବା ଅଭିନେତା ନୀତିଶ ଭରଦ୍ୱାଜ। ସେ ଛାଡ଼ପତ୍ର ଲାଗି କେସ୍ ଫାଇଲ୍ କରିଥିବା ବେଳେ ମାମଲା ଏବେ କୋର୍ଟରେ ରହିଛି।
ସ୍ମିତା ପେସାରେ ଜଣେ ଆଇଏଏସ୍ ଅଫିସର। ଉଭୟଙ୍କ ଜାଆଁଳା କନ୍ୟା ସନ୍ତାନ ରହିଛି। ଏବେ ଝିଅମାନେ ସ୍ମିତାଙ୍କ ସହ ଇନ୍ଦୋରରେ ରହୁଛନ୍ତି। ନିକଟରେ ଏକ ସାକ୍ଷାତକାରରେ ଛାଡ଼ପତ୍ର ବିଷୟରେ କଥା ହୋଇଛନ୍ତି ନୀତିଶ।
ସେ କହିଛନ୍ତି, ‘୨୦୧୯ ସେପ୍ଟେମ୍ବରରେ ବମ୍ବେ ଫାମିଲି କୋର୍ଟରେ ସେ ଛାଡ଼ପତ୍ର ପାଇଁ ଅପିଲ କରିଥିଲେ। ମାମଲା ଏବେ ବି କୋର୍ଟରେ ରହିଛି। କେବଳ ଏତିକି କହିବି ବେଳେ ବେଳେ ଛାଡ଼ପତ୍ର ମୃତ୍ୟୁଠାରୁ ବି ଅଧିକ କଷ୍ଟକର ହୋଇଥାଏ। ବିବାହ ଉପରେ ବିଶ୍ୱାସ କରୁଥିଲି, ହେଲେ .ଏହି ମାମଲାରେ ମୁଁ ଭାଗ୍ୟବାନ ନୁହେଁ। ଅପରପକ୍ଷେ ବାପାମା’ ଅଲଗା ହେଉଥିଲେ ପିଲାମାନେ ବିଶେଷ ଭାବେ ପ୍ରଭାବିତ ହୋଇଥାନ୍ତି। ଏଣୁ ସେମାନଙ୍କୁ କିଭଳି ବୁଝାଯାଇପାରିବ ସେଥିପ୍ରତି ସମସ୍ତେ ଯତ୍ନବାନ ହେବା ଉଚିତ। ’
କହିରଖୁଛୁ, ସ୍ମିତାଙ୍କ ପୂର୍ବରୁ ନୀତିଶ ୧୯୯୧ରେ ମୋନିଶା ପାଟିଲଙ୍କୁ ବିବାହ କରିଥିଲେ। ଉଭୟଙ୍କ ଦୁଇ ସନ୍ତାନ ଅଛି। ହେଲେ ୨୦୦୫ରେ ସେମାନେ ପରସ୍ପର ସହ ସମ୍ପର୍କ ଛିନ୍ନ କରି ଛାଡ଼ପତ୍ର ନେଇଥିଲେ।