୭୦୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ଚଳଚ୍ଚିତ୍ର ‘ମହାଭାରତ’!

ମୁମ୍ବାଇ: ମହାଭାରତ ସିରିୟଲ ଟେଲିଭିଜନରେ ଏକ ବହୁ ଆଦୃତ ସିରିଏଲର ମାନ୍ୟତା ପାଇଥିଲା । ଏବେ ଏହି ମହାଭାରତ ଉପରେ ଚଳଚ୍ଚିତ୍ର ନିର୍ମାଣ ପାଇଁ ଯୋଜନା ଚାଲିଥିବା ଶୁଣିବାକୁ ମିଳିଛି । ରିପୋର୍ଟ ଅନୁଯାୟୀ, ଫିଲ୍ମ ହେରାଫେରି ଓ ୱେଲକମ ଭଳି କ୍ଲାସିକ କମେଡି ସିନେମା ଭେଟି ଦେଇଥିବା ନିର୍ଦ୍ଦେଶକ ଫିରୋଜ ନାଡିୟାଡୱାଲା ଏହି ମହାକାବ୍ୟ ମହାଭାରତର ୨ ।୦ ସଂସ୍କରଣର ନୂଆ ଟେକନିକ ସହ ଫିଲ୍ମ ନିର୍ମାଣ ପାଇଁ ପ୍ରସ୍ତୁତ ହୋଇଗଲେଣି । ନିକଟରେ ତାଙ୍କର ନିକଟତମ ସୂତ୍ରରୁ ଏହି ଖବର ମିଳିଥିଲା । ତେବେ ମହାଭାରତର କାମ ଆରମ୍ଭ ହୋଇ ଯାଇଥିବା କୁହାଯାଉଛି । ଏହାର ବଜେଟ ନିର୍ଦ୍ଦେଶକ ୭୦୦ କୋଟି ବା ତା’ଠାରୁ ଅଧିକ ହେବ ବୋଲି ଅନୁମାନ କରିଛନ୍ତି । କାରଣ ନିର୍ଦ୍ଦେଶକ ଏକ ଅସାଧାରଣ ଫିଲ୍ମ ନିର୍ମାଣ ପାଇଁ ପ୍ରସ୍ତୁତ ହେଉଛନ୍ତି । ସୂଚନାଯୋଗ୍ୟ, ୧୯୬୫ରେ ନିର୍ମାତା ଏଜି ନାଡିୟାଡୱାଲା ମହାଭାରତ ନାମକ ଏକ ଫିଲ୍ମ ନିର୍ମାଣ କରିଥିଲେ, ଯାହାକୁ ବକ୍ସ ଅଫିସରେ ବଡ ସଫଳତା ମିଳିଥିଲା ।
ଏବେ ୪-୫ ବର୍ଷ ହେବ ସ୍କ୍ରିପ୍ଟ ଉପରେ କାମ ଚାଲିଥିବା କୁହାଯାଉଛି । ଏହାକୁ ଅତି ସୁନ୍ଦର କରିବାକୁ ପ୍ରି-ପ୍ରଡକଶନରେ କିଛି ବର୍ଷ ସମୟ ଲାଗିବ । ଏହାର ମୁଖ୍ୟ ଫଟୋଗ୍ରାଫି ୨୦୨୫ରେ ଆରମ୍ଭ ହେବ ଓ ଏହା ହିନ୍ଦୀ ଭାଷାରେ ରିଲିଜ କରାଯିବ । ପରେ ଏହାକୁ ଅନ୍ୟ ଭାରତୀୟ ଭାଷାରେ ଡବ କରାଯିବାର ଯାଜନା ରହିଛି । ଏହି ଫିଲ୍ମ ମାଧ୍ୟମରେ ୩ ଘଣ୍ଟାରେ ସମସ୍ତ କାହାଣୀ କହି ଦିଆଯିବ । ଫିଲ୍ମର ଟ୍ୟାଗ ଲାଇନ ‘ରାଇଟ ଓଭର ମାଇଟ’ ରହିବ । ଏଥିରେ ଅଧିକାଂଶ ଆକ୍ସନ ବାସ୍ତବିକ ହେବ । ଖବର ଅନୁଯାୟୀ, ଏହି ଫିଲ୍ମ ଲଡ ଅଫ ସିଙ୍ଗସ, ଷ୍ଟାର ୱାର୍ସ, ହ୍ୟାରି ପୋଟର ଆଦି ସହ ହଲିଉଡର ମାର୍ବଲ ଓ ଡିସି ଫିଲ୍ମକୁ ଟକ୍କର ଦେବ ।

ଫିଲ୍ମର କାଷ୍ଟିଂ ପାଇଁ ପ୍ରଡକସନ ହାଉସ ଅକ୍ଷୟ କୁମାର, ଅଜ ଦେବଗନ, ରଣବୀର ସିଂ, ନାନା ପାଟେକର, ପରେଶ ରାୱଲ ଓ ଅନିଲ କପୁରଙ୍କୁ ନେବାକୁ ଚିନ୍ତା କରୁଛି । ଅଖିଳ ଭାରତୀୟ ରିଲିଜକୁ ଦେଖି ନିର୍ମାତା ଲୋକପ୍ରିୟ ଦକ୍ଷିଣ ଭାରତୀୟ ଅଭିନେତା ଅଭିନେତ୍ରୀଙ୍କୁ କାଷ୍ଟ କରିପାରେ ବୋଲି ବି ଆଲୋଚନା ହେଉଛି ।

Share