IAS ସ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିଲେ ଲୋକପ୍ରିୟ ‘ମହାଭାରତ’ ଧାରାବାହିକର କୃଷ୍ଣ, ନିଜ ଝିଅଙ୍କୁ ଭେଟିବାକୁ ବାରଣ

ମୁମ୍ବାଇ: ରିଲ୍‌ ଲାଇଫରେ ‘ମହାଭାରତ’ କୃଷ୍ଣ ହୋଇ ହୃଦୟ ଜିଣିଥିବା ନିତୀଶ ଭରଦ୍ୱାଜ ଏବେ ବ୍ୟକ୍ତିଗତ ଜୀବନକୁ ନେଇ ମାନସିକ ଚାପରେ ଅଛନ୍ତି। ବିଆର ଚୋପ୍ରାଙ୍କ ମେଗା ଲୋକପ୍ରିୟ ଧାରାବାହିକ ‘ମହାଭାରତ’ର ଶ୍ରୀକୃଷ୍ଣ ଭୂମିକାରେ ସେ ଅଭିନୟ କରିଛନ୍ତି। ରିପବ୍ଲିକ ଭାରତର ରିପୋର୍ଟ ଅନୁସାରେ ଅଭିନେତା ନିତୀଶ ତାଙ୍କ ଆଇଏଏସ ସ୍ତ୍ରୀ ସ୍ମିତା ଗେଟ୍‌ଙ୍କ ବିରୋଧରେ ଭୋପାଲ ଥାନାରେ ଅଭିଯୋଗ ରୁଜୁ କରିଛନ୍ତି। ତାଙ୍କୁ ସେ ମାନସିକ ନିର୍ଯାତନା ଦେଉଥିବା ସେ ଅଭିଯୋଗ କରିଛନ୍ତି। ଏହି ମାମଲାରେ ଭୋପାଲ ପୋଲିସ କମିଶନର ଆଡିସନାଲ ଡିସିପି ଶାଲିନୀ ଦିକ୍ଷୀତଙ୍କୁ ଏ ସମ୍ପର୍କରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ ନିତୀଶ ଭରଦ୍ୱାଜଙ୍କ ପତ୍ନୀ ସ୍ମିତା ମଧ୍ୟପ୍ରଦେଶ ମାନବ ଅଧିକାର ଆୟୋଗରେ ଅଛନ୍ତି। ସ୍ମିତା ତାଙ୍କର ଦ୍ୱିତୀୟ ସ୍ତ୍ରୀ। ସେ ୨୦୦୯ ମାର୍ଚ୍ଚ ୧୪ରେ ସ୍ମିତାଙ୍କୁ ବିବାହ କରିଥିଲେ। ସେମାନଙ୍କର ଜାଆଁଳା ଝିଅ ଅଛନ୍ତି। କିନ୍ତୁ ୧୦ବର୍ଷ ପରେ ଦୁହେଁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ୨୦୧୯ରେ କୋର୍ଟରେ ତାଙ୍କର ଛାଡପତ୍ର ହୋଇଥିଲା।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ନିତୀଶଙ୍କ ଘର କଳି ଏବେ ଦାଣ୍ଡରେ ପଡିଛି। ଗତ କିଛିଦିନ ଧରି ଏନେଇ ସେ ମାନସିକ ଚାପରେ ଅଛନ୍ତି। ନିତୀଶଙ୍କୁ ତାଙ୍କ ସ୍ତ୍ରୀ ତାଙ୍କ ଝିଅଙ୍କୁ ଭେଟିବାକୁ ମଧ୍ୟ ଦେଉ ନାହାନ୍ତି। ଏବେ ନିତୀଶ ଓ ତାଙ୍କ ସ୍ତ୍ରୀ ସ୍ମିତାଙ୍କ କେସ ମୁମ୍ବାଇର ଏକ କୋର୍ଟରେ ଚାଲିଛି। ନିତୀଶ ଯେପରି ତାଙ୍କ ଝିଅମାନଙ୍କୁ ଭେଟି ନ ପାରନ୍ତି ସେଥିପାଇଁ ସ୍ମିତା ସେମାନଙ୍କ ସ୍କୁଲ ବଦଳାଇ ଦେଉଛନ୍ତି। ଏଥିରେ ଅତିଷ୍ଠ ହୋଇ ଶେଷରେ ନିତୀଶ ଭୋପାଳ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି।

Share