ପ୍ରେମ ପାଇଁ ମହାଭାରତ: ଝିଆରୀକୁ ଦାଦା ହତ୍ୟା କରିଥିବା ଅଭିଯୋଗ

ନବରଙ୍ଗପୁର, ୧୦।୭(ବି.ପ୍ର.): ପ୍ରେମ ପାଇଁ ଝିଆରୀକୁ ହତ୍ୟା କଲେ ସମ୍ପର୍କୀୟ ଦାଦା। ଏ ନେଇ ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ଥାନାରେ ଶୁକ୍ରବାର ଅଭିଯୋଗ ହୋଇଛି।
ପ୍ରକାଶ ଯେ, ତେନ୍ତୁଳିଖୁଣ୍ଟି ଥାନା ଅଞ୍ଚଳର ଭୀଷ୍ମ ହରିଜନ(୨୭) ସମ୍ପର୍କୀୟ ଝିଆରିକୁ ଭଲ ପାଉଥିଲେ। ବିଭିନ୍ନ ସମୟରେ ଭୀଷ୍ମ ବିବାହର ପ୍ରଲୋଭନ ଦେଖାଇ ଝିଆରୀଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲେ। ଗୁରୁବାର ଅପରାହ୍ନରେ କୌଣସି କାରଣ ପାଇଁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ସା ୫ଟାରେ ସ୍ଥାନୀୟ ହାଇସ୍କୁଲ ପରିସରରେ ଦୁହେଁ ଯାଉଥିବା କିଛି ଲୋକେ ଦେଖିବାକୁ ପାଇଥିଲେ l କିନ୍ତୁ ରାତି ୯ଟା ପର୍ଯ୍ୟନ୍ତ ଝିଅ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ l ପରବର୍ତ୍ତି ସମୟରେ ଝିଅର ମୃତଦେହ ସ୍କୁଲ ପରିସରରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ପରିବାର ଲୋକେ ତୁରନ୍ତ ଝିଅକୁ ତେନ୍ତୁଳିଖୁଣ୍ଟି ହସ୍ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତ ଝିଅର ପରିବାର ପକ୍ଷରୁ ଭୀଷ୍ମଙ୍କ ବିରୋଧରେ ତେନ୍ତୁଳୀଖୁଣ୍ଟି ଥାନାରେ ଅଭିଯୋଗ ହେବା ପରେ ପୋଲିସ ଭୀଷ୍ମଙ୍କୁ ଥାନାରେ ଅଟକରଖି ତଦନ୍ତ ଚଳାଇଛି।

Share