ଯାଜପୁର ଅଫିସ,୮।୫: ରାଜ୍ୟରେ ପ୍ରବାହିତ ମହାନଦୀ ଓ ବ୍ରାହ୍ମଣୀ ନଦୀର ୧୯ଟି ସ୍ଥାନର ଜଳରେ ବିଭିନ୍ନ ବିଷାକ୍ତ ଦ୍ରବ୍ୟ ରହିଥିବାରୁ ତାହା ବ୍ୟବହାର ଅନୁପଯୋଗୀ। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍ପିସିବି) ପକ୍ଷରୁ ୨୦୨୧ ବର୍ଷ ପାଇଁ ୧୧ଟି ନଦୀର ୧୨୯ଟି ସ୍ଥାନରୁ ହୋଇଥିବା ଜଳନମୁନା ପରୀକ୍ଷାରୁ ଏହା ସ୍ପଷ୍ଟ ହୋଇଛି। ଏହି ମର୍ମରେ ଜଳ ସମ୍ପଦ ବିଭାଗର ସ୍ବତନ୍ତ୍ର ସଚିବଙ୍କୁ ଗତ ଏପ୍ରିଲ ୨୭ରେ ଏସ୍ପିସିବିର ସଦସ୍ୟ ସଚିବ ସବିଶେଷ ଜଳନମୁନା ପରୀକ୍ଷା ରିପୋର୍ଟ ପ୍ରଦାନ କରିଛନ୍ତି। ଏହି ରିପୋର୍ଟ ଉପରେ ଜଳ ସମ୍ପଦ ବିଭାଗର ସ୍ବତନ୍ତ୍ର ସଚିବ ଚନ୍ଦ୍ରଶେଖର ପାଢ଼ୀ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ବିଭାଗୀୟ ସେଚ ସଦନର ଚିଫ୍ ଇଞ୍ଜିନିୟରଙ୍କୁ ଗତ ୬ ତାରିଖରେ ସୂଚନା ଦେଇଛନ୍ତି। ଶିଳ୍ପ କାରଖାନା ଏବଂ ସହରର ବର୍ଜ୍ୟଜଳ ନିଷ୍କାସନରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ରିପୋର୍ଟରୁ ଜଣାପଡିଛି। ତେବେ ଯାଜପୁର ଓ କେନ୍ଦୁଝର ଜିଲାର ଖଣି ସମେତ ଶିଳ୍ପ କାରଖାନାରୁ ନିର୍ଗତ ପାଣି ବ୍ୟବହାର ଉପଯୋଗୀ ବୋଲି ରିପୋର୍ଟରେ ଦର୍ଶାଯାଇଥିବାରୁ ପରୀକ୍ଷାର ସତ୍ୟତା ଉପରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଓଡ଼ିଶାରେ ପ୍ରବାହିତ ବିଭିନ୍ନ ନଦୀକୁ ଲୋକଙ୍କ ଜୀବନରେଖା ଭାବେ ଅଭିହିତ କରାଯାଇଥାଏ। ଏହି କ୍ରମରେ ନଦୀଜଳକୁ ସ୍ବଚ୍ଛ ରଖିବା ସରକାରଙ୍କ ପ୍ରଥମ କର୍ତ୍ତବ୍ୟ ହୋଇଛି। ତେଣୁ ଏସ୍ପିସିବି ପ୍ରତିବର୍ଷ ନଦୀକୂଳର ବିଭିନ୍ନ ସ୍ଥାନରୁ ଜଳନମୁନା ସଂଗ୍ରହ କରି ପରୀକ୍ଷା ରିପୋର୍ଟ ସରକାରଙ୍କୁ ବିହିତ ପଦକ୍ଷେପ ନେବାକୁ ପ୍ରଦାନ କରିଥାଏ। କିନ୍ତୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହାର ପ୍ରତିକାର ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିଲେ ହେଁ ତାହା ନିର୍ଦ୍ଧାରିତ ସମୟରେ ସମ୍ପନ୍ନ ହେଉ ନ ଥିବାରୁ ଅଞ୍ଚଳବାସୀ ବିଭିନ୍ନ ଜଳବାହିତ ରୋଗରେ ଆକ୍ରାନ୍ତ ହେଉଥିବା ନଜିର ରହିଛି। ୨୦୨୧ରେ ମହାନଦୀର ୫୫ଟି ସ୍ଥାନରୁ ହୋଇଥିବା ଜଳନମୁନା ପରୀକ୍ଷାରେ ୪୦ଟି ସ୍ଥାନର ଜଳ ସହ୍ୟ କରିବାର ସୀମିତ (ଟଲରେନ୍ସ ଲିମିଟ) ବୋଲି ଦର୍ଶାଯାଇଛି। ତେବେ ଏହି ନଦୀର ୮ଟି ସ୍ଥାନ ଯଥା କଟକ କାଠଯୋଡ଼ି, ସେରୁଆ, ଦୟା ନଦୀ ଭୁବନେଶ୍ୱର, ରାଜଧାନୀ ଇଞ୍ଜିନିୟର କଲେଜ ନିକଟ, ପଳାଶୁଣୀ, ସାମନ୍ତରାପୁର ଓ ଭାଡିମୁଲରୁ ଉଭୟ ବିଓଡି (ବାୟୋକେମିକାଲ ଅକ୍ସିଜେନ ଡିମାଣ୍ଡ) ଏବଂ ଟିସି (ଟୋଟାଲ କୋଲିଫର୍ମ) ଭଳି ବିଷାକ୍ତ ଦ୍ରବ୍ୟ ଯେତିକି ରହିବା କଥା ତା’ଠାରୁ ଅଧିକ ମିଳିଛି। ସେହିପରି ଗୋଲସାହି(ମଙ୍ଗଳା) ନିକଟରୁ କେବଳ ବିଓଡି ଅଧିକ ରହିଛି। ଅନ୍ୟପକ୍ଷେ ୬ଟି ସ୍ଥାନ କାଠଯୋଡ଼ି ମତଗଜପୁର, ଦୟା ନଦୀର ଗେଲପୁର ଓ କଣାସ, କୁଶଭଦ୍ରା ନଦୀର ଭିଙ୍ଗାରପୁର, ନିମାପଡ଼ା ଓ ଗୋପ ନିକଟରୁ କେବଳ ଟିସି ରାସାୟନିକ ଦ୍ରବ୍ୟ ଅଧିକ ମିଳିଛି। ମଣିଷ ବ୍ୟବହାର, ଭୁବନେଶ୍ୱର ଓ କଟକ ସହରର ବର୍ଜ୍ୟଜଳ ଉପରୋକ୍ତ ନଦୀରେ ମିଶୁଥିବାରୁ ଜଳ ବ୍ୟବହାର ଉପଯୋଗୀ ହୋଇ ପାରିନାହିଁ। ସେହିପରି ରାଜ୍ୟର ବ୍ରାହ୍ମଣୀ ନଦୀର ୪୧ଟି ସ୍ଥାନରୁ ହୋଇଥିବା ଜଳ ନମୁନା ପରୀକ୍ଷାରେ ୩୭ଟି ସ୍ଥାନର ଜଳ ବ୍ୟବହାର ଉପଯୋଗୀ। ଅଥଚ ଏହି ନଦୀର ୩ଟି ସ୍ଥାନ ଯଥା ପାନପୋଷ, ରାଉରକେଲା ଓ ଗୁରଡିହ ନାଳରେ ଉଭୟ ବିଓଡି ଓ ଟିିସି ଅଧିକ ରହିଛି। ଏହାବାଦ୍ ଗୋଟିଏ ସ୍ଥାନ ରାଉରକେଲା ଅଟାଘାଟ ନିକଟରେ କେବଳ ବିଓଡି ରହିଥିବା ସୂଚନା ମିଳିଛି। ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଏବଂ ସହରରୁ ନିର୍ଗତ ବର୍ଜ୍ୟପାଣି ଯୋଗୁ ଏଭଳି ବିପଦ ଦେଖା ଦେଇଛି। ଅନ୍ୟପକ୍ଷେ ବୈତରଣୀର ୧୪, ଋଷିକୁଲ୍ୟାର ୬, ନାଗବଳିର ୩, ସୁବର୍ଣ୍ଣରେଖା ୧, ବୁଢାବଲଙ୍ଗ ନଦୀର ୪, କୋଲାବ ନଦୀର ୧, ବଂଶଧରାର ୨, ଇନ୍ଦ୍ରାବତୀର ୧ ଓ ବାହୁଦା ନଦୀର ଗୋଟିଏ ସ୍ଥାନର ଜଳନମୁନାରେ ବିଭିନ୍ନ ରାସାୟନିକ ଦ୍ରବ୍ୟ ସୀମିତ ମଧ୍ୟରେ ରହିଥିବା ରିପୋର୍ଟରେ ପ୍ରକାଶ ପାଇଛି।
ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ୧ା୭ା୨୦୨୧ ଓ ୨ା୭ା୨୦୨୧ରେ କଳିଙ୍ଗନଗର ଅଞ୍ଚଳସ୍ଥିତ ବ୍ରାହ୍ମଣୀ, ଖରସ୍ରୋତା ଓ ଗଣ୍ଡନାଳା ପାଣି ନମୁନା ପରୀକ୍ଷାରେ ସାଏନାଇଡ ପ୍ରାୟ ୨ ଗୁଣ ଓ ଫେନୋଲିକ୍ କମ୍ପାଉଣ୍ଡ ୧୫ ଗୁଣ ଅଧିକ ରହିଥିବା ଜଣାପଡିଥିଲା। ସେହିପରି ବ୍ରାହ୍ମଣୀରେ ମିଶିଥିବା ସୁକିନ୍ଦା ଖଣି ଅଞ୍ଚଳରେ ପ୍ରବାହିତ ଡମଶାଳା ପାଣି ବ୍ୟବହାର ଅନୁଯୋଗୀ ବୋଲି ସମ୍ପୃକ୍ତ ଅଞ୍ଚଳବାସୀ ଅଭିଯୋଗ କରି ଆସୁଛନ୍ତି। କିନ୍ତୁ ଏସ୍ପିସିବିର ଏହି ରିପୋର୍ଟରେ ଗଣ୍ଡନାଳା ଓ ଡମଶାଳା ନଦୀଜଳକୁ କ୍ଲିନ୍ଚିଟ୍ ମିଳିଥିବା ନେଇ ସାଧାରଣରେ ଭିନ୍ନ ମତପ୍ରକାଶ ପାଇଛି। ବିଷାକ୍ତ ଜଳ ନିଃଶ୍ୱାସ-ପ୍ରଶ୍ୱାସ ସ୍ନାୟକୁ ଅକାମୀ କରିଦିଏ, ସ୍ମରଣଶକ୍ତି ହ୍ରାସ କରେ, ଦନ୍ତ କର୍କଟ, ଓଜନ ବୃଦ୍ଧି କରେ, ହୃତ୍ପିଣ୍ଡର ଗତିକୁ ଶିଥିଳ କରିବା ସହ ରୋଗ ପ୍ରତିରୋଧକ ଶକ୍ତି ସଂରକ୍ଷଣ, ସଂରଚନାରେ ବାଧା ସୃଷ୍ଟି କରିଥାଏ। ମସ୍ତିଷ୍କକୁ ଅଚଳ କରିଦିଏ ଏବଂ ହରମୋନ କ୍ଷରଣ ବନ୍ଦ କରିଦିଏ। ଆସ୍ତେ ଆସ୍ତେ ମଣିଷକୁ ମୃତ୍ୟୁ ମୁହଁକୁ ଠେଲିଦିଏ। ଏଭଳି ସ୍ଥିତିରେ ନଦୀଜଳର ସ୍ବଚ୍ଛତା ଏବଂ ନିରପେକ୍ଷ ପରୀକ୍ଷା ନିହାତି ଆବଶ୍ୟକ ବୋଲି ମତପ୍ରକାଶ ପାଇଛି।
ହର୍ଷବର୍ଦ୍ଧନ ବେହେରା