Categories: ଜାତୀୟ

ମହାନଦୀ ବିବାଦ: ଟ୍ରିବ୍ୟୁନାଲରେ ୯ ସାକ୍ଷୀଙ୍କ ତାଲିକା ଦେଲା ଓଡ଼ିଶା

ନୂଆଦିଲ୍ଲୀ,୧୩।୨: ମହାନଦୀ ଜଳ ବିବାଦ ମାମଲାର ଅନୁଧ୍ୟାନ ଲାଗି ଓଡ଼ିଶା ସରକାର ଟ୍ରିବ୍ୟୁନାଲରେ ୯ ଜଣ ସାକ୍ଷୀଙ୍କ ତାଲିକା ଦାଖଲ କରିଛନ୍ତି। ସେହିପରି ଶୁଣାଣି ବେଳେ ଛତିଶଗଡ଼ ୭ ଜଣ ସାକ୍ଷୀଙ୍କ ପ୍ରସ୍ତାବ ଦେଇଛି। କେନ୍ଦ୍ରୀୟ ଜଳ ଆୟୋଗର ପୂର୍ବତନ ସଦସ୍ୟ ଇଞ୍ଜିନିୟର ଏମ୍‌. ଇ. ହକ୍‌ ମହାନଦୀ ବେସିନ୍‌ରେ ଜଳ ଉପଲବ୍ଧତା ଆକଳନ ଉପରେ ସାକ୍ଷ୍ୟ ଦେବେ। ସେହିପରି ସିଡବ୍ଲ୍ୟୁସିର ପୂର୍ବତନ ଅଧ୍ୟକ୍ଷ ରାଜେଶ କୁମାର ଆନ୍ତଃରାଜ୍ୟ ସୀମାରେ ଜଳ ସୁନିଶ୍ଚିତ କରିବା ପାଇଁ ଛତିଶଗଡ଼ରେ ଯୋଜନା ଓ ନିୟମାବଳୀ ସମ୍ପର୍କରେ ସାକ୍ଷ୍ୟ ପ୍ରଦାନ କରିବେ। ଓଡ଼ିଶା ଜଳସମ୍ପଦ ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ହରମୋହନ ପ୍ରଧାନ ହୀରାକୁଦ ଜଳଭଣ୍ଡାର, ମହାନଦୀ ତ୍ରିକୋଣଭୂମି ସମ୍ପର୍କରେ ସାକ୍ଷ୍ୟ ରଖିବାକୁ ଥିବାବେଳେ ଜଳସମ୍ପଦ ବିଭାଗର ପୂର୍ବତନ ଇଞ୍ଜିନିୟର-ଇନ୍‌-ଚିଫ୍‌ ଆର୍‌.ସି. ତ୍ରିପାଠୀ, କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡର ପୂର୍ବତନ ବୈଜ୍ଞାନିକ ଗୁଲାବ ପ୍ରସାଦ, କୃଷି ମହାବିଦ୍ୟାଳୟର ପୂର୍ବତନ ଡିନ୍‌ ଦିବାକର ନାଏକ, ଗ୍ରୀଡ୍‌କୋର ପୂର୍ବତନ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ପ୍ରଧାନ, ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇକୋନୋମିକ୍‌ ଗ୍ରୋଥ୍‌ର ପୂର୍ବତନ ନିର୍ଦ୍ଦେଶକ ମନୋଜ କୁମାର ପଣ୍ଡା ଏବଂ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲର ପୂର୍ବତନ ସଦସ୍ୟ ଡ. ପି.ସି. ମିଶ୍ର ମଧ୍ୟ ସାକ୍ଷ୍ୟ ରଖିବେ। ଗତବର୍ଷ ଡିସେମ୍ବରରେ ଟ୍ରିବ୍ୟୁନାଲ ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କୁ ସାକ୍ଷୀ ତାଲିକା ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
ସୂଚନାଯୋଗ୍ୟ, ଦୁଇ ରାଜ୍ୟ ମଧ୍ୟରେ ନଦୀଜଳ ବଣ୍ଟନକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲରେ ପିଟିଶନ ଦାଏର କରିଥିଲେ। ଛତିଶଗଡ଼ ସରକାର ନଦୀରେ ଅନେକ ବ୍ୟାରେଜ ନିର୍ମାଣ କରିଥିବାରୁ ଜଳପ୍ରବାହ ବାଧାପ୍ରାପ୍ତ ହୋଇଥିବା ଓଡ଼ିଶା ଅଭିଯୋଗ କରିଥିଲା। ବ୍ୟାରେଜ ନିର୍ମାଣ ଏବଂ ପୂର୍ବରୁ ନିର୍ମିତ ବ୍ୟାରେଜ୍‌ର କାର୍ଯ୍ୟକାରିତା ଉପରେ ସ୍ଥଗିତାଦେଶ ଲଗାଇବା ସହ ଅଣମୌସୁମୀ ଋତୁ (ନଭେମ୍ବରରୁ ମେ’)ରେ ନିର୍ଦ୍ଦିଷ୍ଟ ପରିମାଣର ଜଳପ୍ରବାହ ଜାରି ରଖିବା ପାଇଁ ଓଡ଼ିଶା ପକ୍ଷରୁ ଆବେଦନ କରାଯାଇଥିଲା।

Share