ନୂଆଦିଲ୍ଲୀ,୩।୫: ମହାନଦୀ ଜଳ ବଣ୍ଟନକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ବିବାଦ ଲାଗିରହିଥିବାବେଳେ ରାଜ୍ୟ ସରକାର ସୋମବାର ମହାନଦୀ ଜଳବିବାଦ ଟ୍ରବ୍ୟୁନାଲରେ ପ୍ରଥମ ସାକ୍ଷୀ କୃଷି ମହାବିଦ୍ୟାଳୟର ପୂର୍ବତନ ଡିନ୍ ଡ. ଦିବାକର ନାୟକଙ୍କ ସତ୍ୟପାଠ ଦାଖଲ କରିଛନ୍ତି। ଏଥିସହିତ ମହାନଦୀ ଅବବାହିକାରେ ଦୀର୍ଘଦିନ ଧରି ଚାଲିଆସିଥିବା କୃଷି ସମ୍ପର୍କିତ ରିପୋର୍ଟ ମଧ୍ୟ ଦାଖଲ ହୋଇଛି। କୃଷି ପାଇଁ କେତେ ପାଣି ଆବଶ୍ୟକ ତାହା ଆକଳନ କରି ଡ. ନାଏକ ସତ୍ୟପାଠରେ ଦର୍ଶାଇଛନ୍ତି। ମହାନଦୀ ଅବବାହିକାରେ ଜଳସେଚିତ ୨୪.୦୬ ଲକ୍ଷ ହେକ୍ଟର ଖରିଫ ଏବଂ ୧୪.୪୬ ଲକ୍ଷ ହେକ୍ଟର ରବି ଚାଷଜମି ପାଇଁ ମୋଟ ଜଳସେଚନ ଆବଶ୍ୟକତା ୧୭.୧୨ ନିୟୁତ ଏକର ଫୁଟ୍ ହୋଇଥିବାବେଳେ ଗ୍ରସ୍ ଜଳସେଚନ ଆବଶ୍ୟକତା ୨୬.୩୩ ନିୟୁତ ଏକର ଫୁଟ୍ ବୋଲି ଏଥିରେ ଉଲ୍ଲେଖ ରହିଛି।