ପାରାଦୀପ,୧୨ା୫ (ସ୍ବ.ପ୍ର.): ପାରାଦୀପର ଚଉମୁହାଣିଠାରୁ ମହାନଦୀର ମୁହାଣ ପର୍ଯ୍ୟନ୍ତ ପ୍ରାୟ ୧୨ କିମି ଜଗତ୍ସିଂହପୁର ଜିଲା ସୀମା ଅଞ୍ଚଳରେ ଏବେ କୂଳ ଖାଇବାରେ ଲାଗିଛି। ଯାହାଦ୍ୱାରା ନୂଆଗଡ ପଞ୍ଚାୟତ, ଏଏମ୍ଏନ୍ଏସ୍, ଇଫ୍କୋ କମ୍ପାନୀ, ବିଜୟଚାନ୍ଦପୁର, ପାରାଦୀପ ମାଛଧରା ବନ୍ଦର ଆଦି ସ୍ଥାନ ପ୍ରତି ବିପଦ ଉପୁଜିଛି। ଏପରି କି ମାଛଧରା ବନ୍ଦର ପୋତାଶ୍ରୟ ସଂଲଗ୍ନ ୬୦ ମିଟର ବର୍ଥ ନଦୀରେ ଲୀନ ହୋଇଗଲାଣି। ଏବେ ଜଳସମ୍ପଦ ବିଭାଗ ଚଉମୁହାଣିଠାରୁ ବାହାକୁଦ ଘାଟ ପର୍ଯ୍ୟନ୍ତ ସୀମା ମଧ୍ୟରେ ମହାନଦୀର କୂଳ କ୍ଷୟ ରୋକିବା ଲାଗି ୪ଟି ପଥର ସ୍ପର ନିର୍ମାଣ ଚାଲାଛି। ଅବଶିଷ୍ଟ ମହାନଦୀ ସୀମା ତାଙ୍କ ଅଧୀନରେ ଯାଉନାହିଁ କହି କୌଣସି ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଇନାହିଁ।
ଦେଶ ସ୍ବାଧୀନତା ସମୟରୁ ଚଉମୁହାଣିଠାରେ ଜଳସମ୍ପଦ ବିଭାଗର ଏକ କାର୍ଯ୍ୟାଳୟ ଅଛି। ୪ ନଦୀର (ହଳଦୀପାଣି, ଲୁଣା, ଚିତ୍ରତ୍ପୋଳା, ମହାନଦୀ) ମିଳନ ସ୍ଥଳକୁ ଚଉମୁହାଣି ନାମିତ କରାଯାଇଛି। ସେହି ସ୍ଥାନରୁ ପାରାଦୀପର ନେହେରୁ ବଙ୍ଗଳା ସମୁଦ୍ର ମୁହାଣ ପର୍ଯ୍ୟନ୍ତ ମହାନଦୀ ଦୁଇ ଜିଲାର (କେନ୍ଦ୍ରାପଡ଼ା ଓ ଜଗତ୍ସିଂହପୁର) ମଧ୍ୟସ୍ଥଳ। ଜଗତ୍ସିଂହପୁର ସୀମା ମଧ୍ୟରେ ରହିଛି ନୂଆଗଡ ପଞ୍ଚାୟତ, ଏଏମ୍ଏନ୍ଏସ୍ (ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍), ଇଫ୍କୋ, ନବନିର୍ମିତ ନଦୀଭିତ୍ତିକ ବନ୍ଦର, ପାରାଦୀପ ମାଛଧରା ବନ୍ଦର ଓ ନେହେରୁ ବଙ୍ଗଳା। ନୂଆଗଡ ପଞ୍ଚାୟତ ବାଲିଡିଆ ଗ୍ରାମ ସୀମାଠାରୁ ମହାନଦୀ କୂଳ ଖାଉଥିବା ଦେଖିବାକୁ ମିଳେ। ଏବେର ଏଏମ୍ଏନ୍ଏସ୍ ପୂର୍ବରୁ ଏସାର ଷ୍ଟିଲ୍ କମ୍ପାନୀ ଥିଲା। ୨୦୦୮/୦୯ ମସିହାରେ ଏସାର ଷ୍ଟିଲ୍ କମ୍ପାନୀ ଆରମ୍ଭ ବେଳେ ମହାନଦୀ ଖନନ କରି ତା’ର ଅଞ୍ଚଳକୁ ପୋତିଥିଲା। ସେବେଠାରୁ ମହାନଦୀ ଅତଡା ଖାଉଛି ବୋଲି ହାଣ୍ଡିଆ ବାସିନ୍ଦା ତୋଫାନ ସ୍ବାଇଁ କୁହନ୍ତି। ଏବେ ଏଏମ୍ଏନ୍ଏସ୍ କମ୍ପାନୀ ନିଜର ଅଞ୍ଚଳକୁ ସୁରକ୍ଷା ଦେବାକୁ ସୁଉଚ୍ଚ ବନ୍ଧ ନିର୍ମାଣ କରୁଛି। ଅପରପକ୍ଷେ ଜଳସମ୍ପଦ ବିଭାଗ ପକ୍ଷରୁ କୋଟିଏରୁ ଊଦ୍ଧର୍ବ ଟଙ୍କା ବ୍ୟୟରେ ପଥର ସ୍ପର କରାଯାଇଛି। କିନ୍ତୁ ବାହାକୁଦ ଘାଟଠାରୁ ନେହେରୁ ବଙ୍ଗଳା ପର୍ଯ୍ୟନ୍ତ ନଦୀର ସୁରକ୍ଷା ବ୍ୟବସ୍ଥା ଜଳସମ୍ପଦ କରୁନାହିଁ। ଏ ସମ୍ପର୍କରେ ବିଭାଗର କନିଷ୍ଠ ଯନ୍ତ୍ରୀ ଅଶ୍ୱିନୀ କୁମାର ସେନାପତି କୁହନ୍ତି, ଆମ ବିଭାଗର ସୀମା ଚଉମୁହାଣିଠାରୁ ବାହାକୁଦ ଘାଟ ପର୍ଯ୍ୟନ୍ତ ୬ କିମି ମହାନଦୀ। ଅବଶିଷ୍ଟ ନଦୀ ସୀମା ସାଲାଇନ୍ ସେକ୍ସନ ଅଧୀନରେ ଯାଉଛି। ଏପରି କି ଏବେ ଓଡ଼ିଶାର ପ୍ରଥମ ନଦୀଭିତ୍ତିକ ବନ୍ଦର ଆମ ଅଧୀନରେ ନାହିଁ। ସେଥିପାଇଁ ଆମେ ସେସବୁ ଉପରେ ଧ୍ୟାନ ଦେଉନାହୁଁ।