ମହାନଦୀ କୂଳର ସଭ୍ୟତା ବହୁ ପ୍ରାଚୀନ

ସୋନପୁର,୧୮।୩(ନି.ପ୍ର.): ପୃଥିବୀରେ ମାନବ ସଭ୍ୟତା ଗଢି ଉଠିବାରେ ବଡ଼ ବଡ଼ ନଦୀଗୁଡିକର ପ୍ରମୁଖ ଭୂମିକା ରହିଛି । ଏହି କ୍ରମରେ ଓଡିଶାର ଜୀବନରେଖା କୁହାଯାଉଥିବା ମହାନଦୀ ଅବବାହିକାରେ ପୁରାତନ ମାନବ ସଭ୍ୟତା ଗଢି ଉଠିଥିଲା । ମହାନଦୀ କୂଳରେ ଥିବା ସୁବର୍ଣ୍ଣପୁରର ସଭ୍ୟତା ବହୁ ପ୍ରାଚୀନ ଓ ସ୍ବତନ୍ତ୍ର । ଏହାର ପ୍ରମାଣ ପୁରାଣ, ଧର୍ମ ଗ୍ରନ୍ଥ ଓ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣରୁ ଜଣାପଡିଛି । ସୁବର୍ଣ୍ଣପୁର ରୟାଲ ପଡିଆରେ ଅନୁଷ୍ଠିତ ପଞ୍ଚମ ବାର୍ଷିକ ପୁସ୍ତକ ଓ ସାରସ୍ବତ ଉତ୍ସବ ଇଙ୍କ୍‌ଫେଷ୍ଟର ଚତୁର୍ଥ ସନ୍ଧ୍ୟାରେ ମହାନଦୀ ସଭ୍ୟତା ଓ ସୁବର୍ଣ୍ଣପୁର ଭୂଖଣ୍ଡ ଶୀର୍ଷକ ଆଲୋଚନାଚକ୍ରରେ ଅତିଥି ଓ ଆଲୋଚକ ଯୋଗଦାନ କରି ଏହି ମତପ୍ରକାଶ କରିଛନ୍ତି । ଐତିହାସିକ ତଥା ସୋନପୁର କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଡ. କେଦାରନାଥ ମିଶ୍ର ଯୋଗଦେଇ ନଦୀ କୂଳର ସଭ୍ୟତା ମଧ୍ୟରୁ ସୁବର୍ଣ୍ଣପୁର ଭୁଖଣ୍ଡର ବିଶେଷତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ । ଅଞ୍ଚଳର ସୁସମୃଦ୍ଧ କୃଷି ପରମ୍ପରା, ଧାର୍ମିକ ବିଶ୍ୱାସ, କଳା, ସଂସ୍କୃତି ଓ ସାମାଜିକ ଜୀବନ ଚର୍ଚ୍ଚା ମହାନଦୀ ସଭ୍ୟତାର ଅନନ୍ୟ ପରିଚୟ ବୋଲି ଡକ୍ଟର ମିଶ୍ର କହିଥିଲେ । ସୋନପୁର କଲେଜର ଅଧ୍ୟାପକ ସୁଦାମ ଦୀପ ତାଙ୍କ ବକ୍ତବ୍ୟରେ ସୁବର୍ଣ୍ଣପୁର ଭୂଖଣ୍ଡର ସଭ୍ୟତା ବହୁ ପୁରାତନ ଓ ସମୃଦ୍ଧ ବୋଲି କହିଥିଲେ । ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଗତ ଦିନରେ ସୁବର୍ଣ୍ଣପୁର ଭୂଖଣ୍ଡର ସିଣ୍ଢୋଲ, ହିକୁଡି, ଭୁଦୋବର ଓ ଖମ୍ବେଶ୍ୱରୀପାଲି ଏବଂ ମହାନଦୀ ଓ ତେଲନଦୀ ସଙ୍ଗମସ୍ଥଳୀର ଅସୁରଗଡ ପ୍ରଭୃତି ସ୍ଥାନରେ ହୋଇଥିବା ଖନନ ସମୟରେ ମିଳିଥିବା ଭଗ୍ନାବଶେଷ ତଥା ମିଳିଥିବା ଶିଳାଲେଖା, ତାମ୍ର ଫଳକ ଓ ଅନ୍ୟାନ୍ୟ ପ୍ରାମାଣିକ ଦସ୍ତାବିଜ ଏହାର ପ୍ରମାଣ ବୋଲି ଦୀପ ମତପ୍ରକାଶ କରିଥିଲେ । ଡ. ଜ୍ୟୋତିରଞ୍ଜନ ବହିଦାର ସଭାରେ ଅଧ୍ୟକ୍ଷତା କରି ଅଞ୍ଚଳର କୃଷି, ଅର୍ଥନୀତି, ଶିକ୍ଷା ଓ ମାନବ ସମ୍ବଳର ଉତ୍କର୍ଷତା ସମ୍ବନ୍ଧରେ ଆଲୋଚନା କରିଥିଲେ । ବେଣୁଧର ପ୍ରଧାନ ପ୍ରାରମ୍ଭିକ ସୂଚନା ପ୍ରଦାନ କରି ପ୍ରାୟ ୪ ହଜାର ବର୍ଷ ପୂର୍ବରୁ ସୁବର୍ଣ୍ଣପୁର ଭୂଖଣ୍ଡର ବୀରମହାରାଜପୁର ନିକଟସ୍ଥ ଖମ୍ବେଶ୍ୱରୀପାଲିରେ ଉନ୍ନତ ମାନବ ସଭ୍ୟତା ଥିବାର ପ୍ରମାଣ ମିଳିଥିବା କହିଥିଲେ । ସେହିପରି ନଦୀ ସଭ୍ୟତାର ସ୍ଥିତି, ଗତି ଓ ମାନବ ଚେତନା ବିଷୟରେ ପ୍ରଧାନ ଆଲୋଚନା କରିଥିଲେ । ଅଧ୍ୟାପକ ଦେବାଶିଷ ପଧାନ ଧନ୍ୟବାଦ ପ୍ରଦାନ କରିଥିଲେ । ଇଙ୍କ୍‌ଫେଷ୍ଟ ସଭାପତି ସ୍ବାଧୀନ ମେହେର, ଉପସଭାପତି ଗତିକୃଷ୍ଣ ମିଶ୍ର, ସମ୍ପାଦକ ଅମ୍ବୁଜ ଶତପଥୀ, ଡ. ଦେବାଶିଷ ପାଣ୍ଡିଆ, ଡ. ପୁରୁଷୋତ୍ତମ ମିଶ୍ର, ଡ. ସୌରଭ ରଞ୍ଜନ ଖମାରୀ, ରଘୁମଣି ବେହେରା, ଅନନ୍ତରାମ ପାଢୀ, କବି ଆର୍ତ୍ତତ୍ରାଣ ବାବୁ ଓ ଜଗନ୍ନାଥ ଧରୁଆଙ୍କ ସମେତ ସହରର ବହୁ ବିଶିଷ୍ଟ ବ୍ୟକ୍ତି ଓ ସାହିତି୍ୟକ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

 

Share