ମହାନଦୀ ଟ୍ରିବ୍ୟୁନାଲ ଅବଧି ୨୦୨୬ ଏପ୍ରିଲ ୧୩ ଯାଏ ବୃଦ୍ଧି

ଭୁବନେଶ୍ୱର,୨୯।୬ (ଅନିଲ ଦାସ)ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଅବଧିକୁ କେନ୍ଦ୍ର ସରକାର ୨୦୨୬ ଏପ୍ରିଲ ୧୩ ବୃଦ୍ଧି କରିଛନ୍ତି। ଧାର୍ଯ୍ୟ ସମୟସୀମା ମଧ୍ୟରେ ଟ୍ରିବ୍ୟୁନାଲ ଏହି ବିବାଦର ସମାଧାନ କରିବାରେ ସକ୍ଷମ ହୋଇ ନ ଥିବାରୁ କେନ୍ଦ୍ର ସରକାର ଏହି ଅବଧି ବୃଦ୍ଧି କରିଛନ୍ତି। ମହାନଦୀ ଜଳକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଥିବା ବିବାଦର ସମାଧାନ ପାଇଁ ଏହି ଟ୍ରିବ୍ୟୁନାଲ ଗଠନ ହୋଇଛି। ଏହାର କାର୍ଯ୍ୟକାଳ ପୂର୍ବରୁ ୨ ବର୍ଷ ପାଇଁ ବୃଦ୍ଧି ହୋଇଥିଲା। କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଆନ୍ତଃରାଜ୍ୟ ନଦୀ ଜଳ ବିବାଦ ଆଇନ-୧୯୫୬ର ଧାରା-୫(୨) ଅନୁସାରେ ଟ୍ରିବ୍ୟୁନାଲ ନିଜର ରିପୋର୍ଟ ଓ ନିଷ୍ପତ୍ତି ୩ ବର୍ଷ ମଧ୍ୟରେ ଦାଖଲ କରିବା ଆବଶ୍ୟକ। କିନ୍ତୁ ୨୦୨୧ ମାର୍ଚ୍ଚ ୧୧ ତାରିଖର ଧାର୍ଯ୍ୟ ସମୟସୀମା ଶେଷ ହେଉଥିଲେ ମଧ୍ୟ ଟ୍ରିବ୍ୟୁନାଲ ରିପୋର୍ଟ ଦେବାରେ ବିଫଳ ହେବା ପରେ କେନ୍ଦ୍ର ସରକାର ଏହି ଅବଧିକୁ ଆଉ ୨ ବର୍ଷ ଅର୍ଥାତ୍‌ ୨୦୨୩ ମାର୍ଚ୍ଚ ୧୧ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। କୋଭିଡ୍‌ ମହାମାରୀ ଯୋଗୁ ୨୦୨୦ ମାର୍ଚ୍ଚରୁ ୨୦୨୧ ଜୁନ୍‌ ପର୍ଯ୍ୟନ୍ତ କାର୍ଯ୍ୟ କରିପାରି ନ ଥିବା ଦର୍ଶାଇ ଟ୍ରିବ୍ୟୁନାଲ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ପୁଣିଥରେ ଅବଧି ବୃଦ୍ଧି ପାଇଁ ଅନୁରୋଧ କରାଯାଇଥିଲା।
ଉଲ୍ଲେଖଯୋଗ୍ୟ, ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳକୁ ନେଇ ବିବାଦ ଦେଖାଦେବା ପରେ ଏହାର ସମାଧାନ ପାଇଁ କେନ୍ଦ୍ର ସରକାର ଜଳଶକ୍ତି ମନ୍ତ୍ରଣାଳୟ ଅଧୀନରେ ଏକ କମିଟି ଗଠନ କରିଥିଲେ। ୨୦୧୭ ମେ’ରେ କମିଟି ରିପୋର୍ଟ ପ୍ରଦାନ କରିଥିଲେ। ତେବେ ଏହି କମିଟି ବିବାଦ ସମାଧାନ କରିବାରେ ସଫଳ ହୋଇ ନ ଥିଲା। ଫଳରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦ୍ର ସରକାର ୨୦୧୮ ମାର୍ଚ୍ଚ ୧୨ରେ ୩ ଜଣିଆ ଖଣ୍ଡପୀଠଙ୍କୁ ନେଇ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଗଠନ କରିଥିଲେ। ଟ୍ରିବ୍ୟୁନାଲ ସଦସ୍ୟ ଇତିମଧ୍ୟରେ ମହାନଦୀ ପ୍ରବାହିତ ହେଉଥିବା ଓଡ଼ିଶା ସମେତ ଛତିଶଗଡ଼କୁ ଯାଇ ଏହାର ବାସ୍ତବ ସ୍ଥିତି ଅନୁଧ୍ୟାନ କରିଛନ୍ତି।
ଏପଟେ ବୁଧବାର ରାଜ୍ୟ ଜଳସମ୍ପଦ ବିଭାଗର ମୁଖ୍ୟଯନ୍ତ୍ରୀ ତଥା ଗୋୱାଟର ସବ୍‌କମିଟି ଆବାହକ ଦେବୀଦତ୍ତ ଆର୍‌. ପଟ୍ଟନାୟକ ମହାନଦୀ, ବ୍ରାହ୍ମଣୀ, ବୈତରଣୀ ଓ ଋଷିକୁଲ୍ୟା ନଦୀର ୫ଦିନର ଜଳସ୍ତର କ’ଣ ରହିଛି ତା’ର ରିପୋର୍ଟ ଦେବାକୁ କ୍ଷେତ୍ରସ୍ତରର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମହାନଦୀ ପ୍ରବାହିତ ହେଉଥିବା ଶରଡିହି, ହୀରାକୁଦ, ବେଲଗାଁ, ପଥରଳା, ଖଇରିମାଳ, ବରମୂଳ ଓ ମୁଣ୍ଡୁଳିଠାରେ ନଦୀର ଜଳସ୍ତର ଗତ ୫ଦିନ ଧରି କ’ଣ ରହିଛି ତାହା ଜଣାଇବାକୁ କହିଛନ୍ତି। ସେହିପରି ବ୍ରାହ୍ମଣୀ ନଦୀର ପାନପୋଷ, ରେଙ୍ଗାଳି, ତାଳଚେର ଓ ଜେନାପୁରଠାରେ ଜଳସ୍ତର, ବୈତରଣୀର ଚମ୍ପୁଆ, ଆନନ୍ଦପୁର, ଆଖୁଆପଦା ଓ ସାଳନ୍ଦୀ ଏବଂ ଋଷିକୁଲ୍ୟା ନଦୀର ପୁରୁଷୋତ୍ତମପୁରଠାରେ ଜଳସ୍ତର ଗତ ୫ଦିନ ଧରି କ’ଣ ରହିଛି ତାହା ଜଣାଇବାକୁ କହିଛନ୍ତି।

Share