ମଧ୍ୟବର୍ତ୍ତିକାଳୀନ ରାୟ ପ୍ରକାଶ କରୁ ମହାନଦୀ ଟ୍ରିବ୍ୟୁନାଲ

ଭୁବନେଶ୍ୱର,୨୫।୯ (ବନ୍ଦନା ସେଠୀ):ବିଶ୍ୱ ନଦୀ ଦିବସ ଅବସରରେ ରବିବାର ମହାନଦୀ ବଞ୍ଚାଅ ଜୀବିକା ବଞ୍ଚାଅ ଅଭିଯାନ ପକ୍ଷରୁ ଭର୍ଚୁଆଲରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ନଦୀ ସୁରକ୍ଷା ଓ ପୁନର୍ଜୀବିତ କାର୍ଯ୍ୟକ୍ରମରେ ସାମିଲ ବ୍ୟକ୍ତି ଓ ସଂଗଠନର ସଦସ୍ୟମାନେ ଯୋଗଦେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ଅନେକ ନଦୀ ମୃତପ୍ରାୟ ଅବସ୍ଥାକୁ ଚାଲିଯାଉଛି। ତେଣୁ ନଦୀର ସୁରକ୍ଷା, ସଂରକ୍ଷଣ ଓ ପୁନଃଜୀବନ ପାଇଁ ଏକ ଜାତୀୟ ଅଭିଯାନ ବିଶ୍ୱ ନଦୀ ଦିବସରୁ ଆରମ୍ଭ ହୋଇଛି। ଏହି ଅଭିଯାନରେ ବିଶ୍ୱ ମାନବିକ ଅଧିକାର ଦିବସ ଡିସେମ୍ବର ୧୦ ପର୍ଯ୍ୟନ୍ତ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ ବୋଲି ମହାନଦୀ ବଞ୍ଚାଅ ଜୀବିକା ବଞ୍ଚାଅ ଅଭିଯାନର ଜାତୀୟ ଆବାହକ ସୁଦର୍ଶନ ଛୋଟରାୟ ସୂଚନା ଦେଇଛନ୍ତି। ମହାନଦୀ ଜଳ ବଣ୍ଟନ ନେଇ ଛତିଶଗଡ ଓ ଓଡ଼ିଶା ମଧ୍ୟରେ ବିବାଦ ଲାଗିରହିଛି। ତେବେ ମହାନଦୀ ଟ୍ରିବ୍ୟୁନାଲରୁ ତୁରନ୍ତ ନ୍ୟାୟ ମିଳିବା ସମ୍ଭାବନା କମ୍‌ ଥିବାରୁ ଚାଷୀ, ମତ୍ସ୍ୟଜୀବୀ ଓ କାରିଗରଙ୍କ ସ୍ବାର୍ଥ ଦୃଷ୍ଟିରୁ ତୁରନ୍ତ ମଧ୍ୟବର୍ତ୍ତିକାଳୀନ ରାୟ ଜାରି କରିବାକୁ ଅଭିଯାନ ପକ୍ଷରୁ ଦାବି କରାଯାଇଛି। ଏଥିସହ ମହାନଦୀର ବର୍ତ୍ତମାନ ସ୍ଥିତି, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ଉଭୟ ଛତିଶଗଡ ଏବଂ ଓଡ଼ିଶା ସରକାର ଶ୍ୱେତପତ୍ର ପ୍ରକାଶ କରିବାକୁ ଆଲୋଚନାଚକ୍ରରେ ଆହ୍ବାନ ଦିଆଯାଇଥିଲା। ଶିଳ୍ପଭିତ୍ତିଭୂମି ଓ ବିକାଶ ନାମରେ ନଦୀଗୁଡ଼ିକର ପ୍ରାକୃତିକ ପ୍ରବାହକୁ ରୋକାଯାଉଛି। ନଦୀଜଳକୁ ବ୍ୟବସାୟିକ ସ୍ବାର୍ଥ ପାଇଁ ଲଗାଯାଉଛି। ସେହିପରି ସହରରୁ ବାହାରୁଥିବା ଆବର୍ଜନା, ପ୍ଲାଷ୍ଟିକ ଆଦି ସାମଗ୍ରୀ ନଦୀଗର୍ଭକୁ ଛଡ଼ା ଯାଉଥିବାରୁ ସାଧାରଣରେ ନଦୀଜଳ ମଣିଷ ଓ ଜୀବଜନ୍ତୁଙ୍କ ବ୍ୟବହାରଯୋଗ୍ୟ ହୋଇପାରୁ ନ ଥିବାରୁ ଚିନ୍ତା ପ୍ରକଟ କରାଯାଇଛି। କାର୍ଯ୍ୟକ୍ରମରେ ଏନ୍‌ଜିଟି ଆଡ୍‌ଭୋକେଟ ଶଙ୍କର ପ୍ରସାଦ ପାଣି, ନାରୀ ନେତ୍ରୀ ସ୍ନିଗ୍ଧା ପାଣିଗ୍ରାହୀ, ପକ୍ଷୀ ବିଶାରଦ ପ୍ରମୋଦ କୁମାର ଧଳ, ଅବସରପ୍ରାପ୍ତ ପ୍ରାଧ୍ୟାପକ ନନ୍ଦ କିଶୋର ମହାକୁଡ଼, ସାମାଜିକ କର୍ମୀ ସଚିକାନ୍ତ ପ୍ରଧାନ ଓ ବିପିନ ବାରିକ ପ୍ରମୁଖ ଯୋଗଦେଇ କ୍ଷୋଭ ପ୍ରକାଶ କରିବା ସହ ଏହା ଉପରେ ମତ ରଖିଥିଲେ।

Share