ଭୁବନେଶ୍ୱର,୧୬।୪(ବ୍ୟୁରୋ): ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଦେଖାଦେଇଥିବା ଜଳ ବିବାଦର ସମାଧାନ ପାଇଁ କେନ୍ଦ୍ର ସରକାର ୨୦୧୮ ମାର୍ଚ୍ଚରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଗଠନ କରିଛନ୍ତି। କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ୨୦୨୧ ଡିସେମ୍ବର ପର୍ଯ୍ୟନ୍ତ ଟ୍ରିବ୍ୟୁନାଲ ପାଇଁ ୬.୫୬ କୋଟି ଖର୍ଚ୍ଚ ହୋଇ ସାରିଲେଣି। ବଜେଟରେ ଟିବ୍ର୍ୟୁନାଲ ପାଇଁ ୨୦୨୧-୨୨ ଆର୍ଥିକ ବର୍ଷ ସକାଶେ ୨.୯୬ କୋଟି ଟଙ୍କା ବ୍ୟୟ ବରାଦ କରିଥିଲେ। ତେବେ ୨୦୨୧ ଏପ୍ରିଲରୁ ୨୦୨୧ ଡିସେମ୍ବର ମଧ୍ୟରେ ଟ୍ରିବ୍ୟୁନାଲ ୨.୨୪ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଏହି ସମୟ ମଧ୍ୟରେ ଟ୍ରିବ୍ୟୁନାଲ ୨୫ ଥର ଶୁଣାଣି କରିଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଜଳ ବିବାଦର ସମାଧାନ ସକାଶେ ୩ ବର୍ଷ ପାଇଁ ଟ୍ରିବ୍ୟୁନାଲ ଗଠନ କରାଯାଇଥିଲା। ୨୦୨୧ ମାର୍ଚ୍ଚ ସୁଦ୍ଧା ୩ ବର୍ଷ ଶେଷ ହେଉଥିବା ବେଳେ ଏହାର କାର୍ଯ୍ୟକାଳ ଆଉ ୨ ବର୍ଷ ବୃଦ୍ଧି କରାଯାଇଛି। ଏ ପର୍ଯ୍ୟନ୍ତ ଜଳ ବିବାଦକୁ ନେଇ ଟ୍ରିବ୍ୟୁନାଲ ପକ୍ଷରୁ କୌଣସି ରାୟ ପ୍ରକାଶ ପାଇ ନାହିଁ। ଅଣ ମୌସୁମୀ(ନଭେମ୍ବରରୁ ମେ’ ମାସ) ସମୟରେ ରାଜ୍ୟକୁ ଜଳ ପ୍ରବାହ ସ୍ବାଭାବିକ ରଖିବା ସକାଶେ ନିର୍ମାଣାଧୀନ ବ୍ୟାରେଜ ଉପରେ ସ୍ଥଗିତାଦେଶ ଜାରି କରିବାକୁ ଓଡ଼ିିଶା ସରକାରଙ୍କ ପକ୍ଷରୁ ୨୦୧୯ ଫେବୃୟାରୀରେ ଟ୍ରିବ୍ୟୁନାଲଙ୍କ ନିକଟରେ ଆବେଦନ କରାଯାଇଥିଲା। ଟ୍ରିବ୍ୟୁନାଲ ଏ ସମ୍ପର୍କିତ ଶୁଣାଣିର ଅନ୍ତରୀଣ ରାୟକୁ ସଂରକ୍ଷିତ ରଖିଛନ୍ତି। ଏହାଛଡ଼ା ମହାନଦୀରେ ଅଣମୌସୁମୀ ସମୟରେ ୧.୭୪ ନିୟୁତ ଏକର ଫୁଟ ଜଳ ପ୍ରବାହିତକୁ ନିଶ୍ଚିତ କରିବା ଲାଗି ଛତିଶଗଡ଼ ସରକାରଙ୍କୁ ନିର୍ଦ୍ଦେଶ ଦେବା ଲାଗି ଓଡ଼ିଶା ସରକାରଙ୍କ ପକ୍ଷରୁ ୨୦୧୮ରେ ଟ୍ରିବ୍ୟୁନାଲଙ୍କ ନିକଟରେ ଆବେଦନ କରାଯାଇଥିଲା। ଏଥିସହିତ ମଧ୍ୟପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ର ମହାନଦୀରୁ ୧୦.୮୩ ନିୟୁତ ଏକର ଫୁଟରୁ ଅଧିକ ଜଳ ବ୍ୟବହାର ନ କରିବାକୁ ଆଦେଶ ଦେବା ସକାଶେ ଓଡ଼ିଶା ସରକାର ଟ୍ରିବ୍ୟୁନାଲଙ୍କ ନିକଟରେ ଆବେଦନ କରିଥିଲେ। ୨୦୨୧ ମାର୍ଚ୍ଚ ୧୨ରେ ହୋଇଥିବା ଶୁଣାଣି ବେଳେ ପ୍ରତ୍ୟକ୍ଷଦର୍ଶୀଙ୍କ ପରିଦର୍ଶନ ସମ୍ପର୍କିତ ସତ୍ୟପାଠ ଦାଖଲ କରିବାକୁ ଟ୍ରିବ୍ୟୁନାଲ ଉଭୟ ଓଡ଼ିଶା ଓ ଛତିଶଗଡ଼କୁ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ସରକାର ୯ ପ୍ରତ୍ୟକ୍ଷଦର୍ଶୀ ପାଇଁ ପ୍ରସ୍ତାବ ଦେଇଥିବା ବେଳେ ଛତିଶଗଡ଼ ୮ ପ୍ରତ୍ୟକ୍ଷଦର୍ଶୀ ପାଇଁ ପ୍ରସ୍ତାବ ଦେଇଥିଲା।
ଉଲ୍ଲେଖଯୋଗ୍ୟ ଯେ ମହାନଦୀ ଉପରେ ଛତିଶଗଡ଼ ସରକାର ୧୦ଟି ବୃହତ୍ ବ୍ୟାରେଜ ନିର୍ମାଣ କରୁଛି। ଏହାକୁ ଓଡ଼ିଶା ସରକାର ବିରୋଧ କରିବା ସହ ବ୍ୟାରେଜ ନିର୍ମାଣ ଉପରେ ସ୍ଥଗିତାଦେଶ ଲାଗି ଟ୍ରିବ୍ୟୁନାଲ ନିକଟରେ ଆବେଦନ କରିଛନ୍ତିି। ଏହାଛଡ଼ା ଅଣମୌସୁମୀ ସମୟରେ ମହାନଦୀ ଜଳ ପ୍ରବାହ ସ୍ବାଭାବିକ ରଖିବା ପାଇଁ ଛତିଶଗଡ଼ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଟ୍ରିବ୍ୟୁନାଲଙ୍କ ନିକଟରେ ଆବେଦନ କରିଥିଲେ।