ସମାଧାନ ହୋଇପାରିଲାନି ମହାନଦୀ ଜଳ ବିବାଦ

ସମ୍ବଲପୁର,୨୧ା୩(ବ୍ୟୁରୋ): ଗଠନ ହୋଇଥିବା ମହାନଦୀ ଟ୍ରିବ୍ୟୁନାଲ ସମୟ ଅବଧି ଚଳିତ ମାର୍ଚ୍ଚ ୧୧ ତାରିଖରେ ଶେଷ ହୋଇଯାଇଛି। ପ୍ରଥମେ ୩ ବର୍ଷ ଓ ପରେ ବୃଦ୍ଧି ହୋଇଥିବା ଆଉ ୨ବର୍ଷ ସମୟ ଭିତରେ ମଧ୍ୟ ମହାନଦୀ ଜଳ ବିବାଦର ସମାଧାନ ହୋଇପାରି ନାହିଁ। ମହାନଦୀର ଅପମୃତ୍ୟୁ ହୋଇଥିଲା। ଏବେ ଗଠନ ହୋଇଥିବା ଟ୍ରିବ୍ୟୁନାଲ ମଧ୍ୟ ଅପମୃତ୍ୟୁର ଶିକାର ହୋଇସାରିଛି। ଓଡ଼ିଶାବାସୀ ଏହି ଟ୍ରିବ୍ୟୁନାଲକୁ ରକ୍ଷାକରିବେ ବୋଲି ଆଶା କରିଥିଲେ। ହେଲେ ଟ୍ରିବ୍ୟୁନାଲ ନିଜେ ନିଜର ସୁରକ୍ଷା ଦେଇପାରିଲା ନାହିଁ। କେନ୍ଦ୍ର ସରକାର ସମୟସୀମାକୁ ଆଉ ବୃଦ୍ଧି କଲେ ନାହିଁ ବୋଲି ମହାନଦୀ ବଞ୍ଚାଓ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ ସୋମବାର ସମ୍ବଲପୁର ସାମ୍ବାଦିକ ଭବନରେ ଆୟୋଜିତ ଖବରଦାତା ସମ୍ମିଳନୀରେ କହିଥିଲେ।
ସେ ଆହୁରି କହିଥିଲେ, ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ରେ ଅନେକ ପ୍ରକଳ୍ପ କରାଯାଇ ଜଳ ପ୍ରବାହକୁ ଅଟକାଇ ଦିଆଯାଇଛି। ଫଳରେ ଉଭୟ ରାଜ୍ୟରେ ଜଳ ବିବାଦର ସମାଧାନ ପାଇଁ ୨୦୧୮ ମାର୍ଚ୍ଚ ୧୨ରେ ମହାନଦୀ ଟ୍ରିବ୍ୟୁନାଲ ଗଠନ ହୋଇଥିଲା। ଜଳ ବିବାଦ ଆଇନ ୧୯୫୬ ଅନୁଯାୟୀ ଟ୍ରିବ୍ୟୁନାଲ ଗଠନ କରାଯାଇଥିଲା।୨୦୧୯ରେ କେନ୍ଦ୍ର ସରକାରଏହି ଆଇନରେ ସଂଶୋଧନ ଆଣିଥିଲେ,ଯେଉଁଥିରେ ଅବଧି ବୃଦ୍ଧି କରାଯାଇ ୫ବର୍ଷ ହୋଇଥିଲା। ଟ୍ରିବ୍ୟୁନାଲର ପ୍ରାୟ ୩୫ ଗୋଟି ଅଧିବେଶନ ହୋଇଥିଲା। କିନ୍ତୁ ମାମଲାର ଶୁଣାଣି ଆରମ୍ଭ ହୋଇପାରିଲା ନାହିଁ। ଚଳିତ ମାର୍ଚ୍ଚ ମାସରେ ଛତିଶଗଡ଼ର ସୁଖାସୁଡ଼ାଠାରୁ ଆରମ୍ଭକରି ପାରାଦୀପ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ମହାନଦୀ ଶୁଖିଲା ପଡ଼ିଛି। ପାନୀୟ ଜଳର ଘୋର ସଙ୍କଟ ଦେଖାଦେଇଛି। ହୀରାକୁଦରେ ବର୍ତ୍ତମାନ ସମୟରେ ଯେତିକି ଜଳସ୍ତର ରହିବା କଥା ତା’ଠାରୁ ୫ଫୁଟ୍‌ କମ୍‌ ରହିଛି। ଗ୍ରୀଷ୍ମ ଆରମ୍ଭରୁ ନଦୀର ସ୍ଥିତି ଏଭଳି ଥିବାବେଳେ ଆଗକୁ ଭୟଙ୍କର ହେବ। ମହାନଦୀ ସୁରକ୍ଷା ପ୍ରତି ରାଜ୍ୟ ସରକାରଙ୍କ ଟିକେ ବୋଲି ଦରଦ ନାହିଁ। ରାଜନୀତି କରିବା ଉଦ୍ଦେଶ୍ୟରେ ନଦୀକୁ ମାଆ ବୋଲି କହୁଛନ୍ତି। ସବୁଜ ମହାନଦୀ ମିଶନ ପ୍ରତିଶ୍ରୁତି ଫେଲ୍‌ ମାରିଛି। ମହାନଦୀରେ ୭ଟି ବ୍ୟାରେଜ୍‌ ନିର୍ମାଣ ଓ ନଦୀ ଅବବାହିକାରେ ଜଳ ସଂରକ୍ଷଣ ପ୍ରତିଶ୍ରୁତି ବି ପାଣିର ଗାର ପାଲଟିଛି। କହିବାକୁ ଗଲେ ଉଭୟ ଟ୍ରିବ୍ୟୁନାଲ ଓ ଓଡ଼ିଶା ସରକାରଙ୍କ ଦ୍ୱାରା ମହାନଦୀ ଓ ଓଡ଼ିଶାବାସୀ ପ୍ରତାରିତ ହୋଇଛନ୍ତି। ଏଭଳି ତ୍ରିଶଙ୍କୁ ଅବସ୍ଥାରେ କି ପଦକ୍ଷେପ ନିଆଯିବା ଉଚିତ ସେ ବିଷୟରେ ଆଲୋଚନା କରାଯିବା ଆବଶ୍ୟକ। ଏହାକୁ ଦୃଷ୍ଟିରେ ରଖି ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଆସନ୍ତା ୨୮ରେ ଭୁବନେଶ୍ୱରଠାରେ ଏକ ଆଲୋଚନା ସଭା ଆୟୋଜନ ହେବ। ଏଥିରେ ଯୋଗଦେବା ପାଇଁ ଓଡ଼ିଶାର ସମସ୍ତ ରାଜନୈତିକ ଦଳ, ପ୍ରମୁଖ ସାମାଜିକ ଅନୁଷ୍ଠାନ ଓ ଆନ୍ଦୋଳନ ତଥା ବିଶେଷଜ୍ଞମାନଙ୍କୁ ଆମନ୍ତ୍ରଣ କରାଯିବ ବୋଲି ଆବାହକ ଦାସ ପ୍ରକାଶ କରିଥିଲେ। ଖବରଦାତା ସମ୍ମିଳନୀରେ ଆସଫ ଅଲ୍ଲୀ ଖାଁ ଉପସ୍ଥିତ ଥିଲେ।

Share