ସମାଧାନ ହୋଇପାରୁନି ମହାନଦୀ ଜଳ ବିବାଦ: ୧୫ ଜଣିଆ ଟିମ୍‌ର ମହାନଦୀ ଯାତ୍ରା

ଝାରସୁଗୁଡ଼ା ଅଫିସ,୨୦ା୫: ମହାନଦୀ ଜଳ ବିବାଦକୁ ନେଇ ଓଡ଼ିଶା-ଛତିଶଗଡ଼ ଉଭୟ ରାଜ୍ୟ ମଧ୍ୟରେ ଦେଖା ଦେଇଥିବା ବିବାଦ ଅଦ୍ୟାବଧି ସମାଧାନ ହୋଇପାରିନାହିଁ। ଏନେଇ ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଭୁବନେଶ୍ୱରରେ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସମିତିର ଏକ ୧୫ ଜଣିଆ ଟିମ୍‌ ବୁଧବାର କଟକରୁ ବାହାରି ଗୁରୁବାର ଛତିଶଗଡ଼ କଲମା ବ୍ୟାରେଜ ନିକଟରେ ପହଞ୍ଚି ସେଠାରୁ ଆସି ଓଡ଼ିଶାରେ ମହାନଦୀ ପ୍ରବେଶ କରୁଥିବା ଝାରସୁଗୁଡ଼ା ଜିଲାର ସୁଖାସୋମା ପରିଦର୍ଶନ କରି ସମସ୍ୟାର ଅନୁଧ୍ୟାନ କରିଛନ୍ତି। ଏହି ଆନ୍ଦୋଳନ ଛତିଶଗଡ଼ରୁ ଫେରିବାବେଳେ ଝାରସୁଗୁଡ଼ା ସହରରେ ପହଞ୍ଚି ଏକ ହୋଟେଲ୍‌ରେ ଖବରଦାତା ସମ୍ମିଳନୀ କରିଥିଲେ। ଏଥିରେ ଜଳମାନବ ଡଃ.ରାଜେନ୍ଦ୍ର ସିଂହ,ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ବାସୁଦେବ ଭଟ୍ଟ,ସୁଦର୍ଶନ ଦାସ,ନରେନ୍ଦ୍ର ଚୂଗ୍‌,ଅକ୍ଷୟ ସାହୁ,ଅଶୋକ ଜଟ ଓ ପ୍ରକାଶ ପାଢ଼ୀ ପ୍ରମୁଖ ରହିଥିଲେ। ଏନେଇ ଡଃ ସିଂହ କହିଥିଲେ ମହାନଦୀର ତଣ୍ଟି ଚିପି ଦିଆଯାଇଛି। ଫଳରେ ନଦୀ ଶୁଖିଲା ପଡ଼ିଛି। ଜଳ ବିବାଦକୁ ନେଇ ଉଭୟ ରାଜ୍ୟ ମଧ୍ୟରେ ବିବାଦ ଦେଖାଦେଇଛି। ଏହାର ସମଧାନ ଦିଗରେ ରାଜ୍ୟ ସରକାରଙ୍କର ଆନ୍ତରିକତା ନାହିଁ। ଏଥିପାଇଁ ସେ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତିା ଏନେଇ ରାଜ୍ୟ ସରକାର ପ୍ରଥମେ ଯେଉଁଭଳି ତତ୍ପରତା  ପ୍ରକାଶ କରୁଥିଲେ ଏବେ କାହିଁକି ଶୀଥିଳତା ଦେଖାଉଛନ୍ତି  କିଛି ବୁଝାପଡୁନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।ମହାନଦୀ ଜଳ ବିବାଦକୁ ନେଇ ରାଜ୍ୟ ସରକାର ଟ୍ରିବ୍ୟୁନାଲ ଯାଇଥିବାବେଳେ ଏହା ସମାଧାନ ନ ହୋଇ ପଡ଼ିରହିଛି। ଏହାର ସମାଧାନ ଟ୍ରିବ୍ୟୁନାଲ କରିପାରିବନାହିଁ ବୋଲି ଡଃ ସିଂହ କହିଛନ୍ତି। ଏହାକୁ ଚାହିଁଲେ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା କରି ସମାଧାନ କରିହେବ। ଏଥିରେ ଯଦି ତାଙ୍କର ଆବଶ୍ୟକତା ପଡ଼େ ତାହାଲେ ସେ ଏଥିରେ ମଧ୍ୟସ୍ଥତା କରିବେ ବୋଲି କହିଛନ୍ତି। ଏନେଇ ସେ ଉଭୟ ରାଜ୍ୟର ପ୍ରଭାବିତ ଲୋକଙ୍କୁ ଏକତ୍ରିତକରି ଆଗାମୀ ଦିନରେ ପୁଣି ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।ଏଥିପାଇଁ ସେ ଓଡ଼ିଶା ଛାଡ଼ି ଦିଲୀରେ ପହଞ୍ଚିବା ପର୍ଯ୍ୟନ୍ତ ଉପବାସ ରହିବେ ବୋଲି କହିଛନ୍ତି। ମହାନଦୀ କଲମା ବ୍ୟାରେଜରେ ଅଥଳ ଜଳରାଶି ଲହଡ଼ି ଭାଙ୍ଗୁଥିବାବେଳେ ଓଡ଼ିଶାର ତଳମୁଣ୍ଡ ମରୁଭୂମି ଭଳି ଶୁଖିଲା ପଡିଛି। ଏଭଳି ସ୍ଥିତିରେ ମର୍ମାହତ ହୋଇ ଜଳମାନବ ଡଃ ସିଂ ୨ ଦିନ ଧରି ଖାଦ୍ୟଗ୍ରହଣ ନ କରି ଅନଶନ କରିବେ ବୋଲି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, କାବେରୀ ନଦୀ ଜଳ ବିବାଦକୁ ନେଇ ଟ୍ରିବ୍ୟୁନାଲ ଚାଲିଥିବାବେଳେ ଦୀର୍ଘ ୭୦ ବର୍ଷ ହେଲାଣି ଏହାର ସମାଧାନ ହୋଇପାରିନାହିଁ। ମହାନଦୀ ଜଳ ବିବାଦ କ’ଣ ଟ୍ରିବ୍ୟୁନାଲରେ ସମାଧାନ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି।

Share