ମହାନ୍ତ ସମ୍ପ୍ରଦାୟର ଗୋଠ ପୂଜା, ଧିଙ୍ଗୁଆନ

କାଳିଆପାଣି,୧୪।୧୧(ଅସିତ ମହାନ୍ତ): ବିଭିନ୍ନ ସମ୍ପ୍ରଦାୟର ଭିନ୍ନ ପୂଜାନୀତି ପ୍ରଚଳିତ ଥିବା ବେଳେ କୁଡ଼ୁମି ମହାନ୍ତ ସମ୍ପ୍ରଦାୟର ଦୀପାବଳିରେ ଗୋଠ ପୂଜା ଓ ଧିଙ୍ଗୁଆନ ପାଳନ ଏକ ନିଆରା ପରମ୍ପରା । ପ୍ରକୃତି ପୂଜକ କୁଡୁମି ସମ୍ପ୍ରଦାୟ ଲୋକମାନେ ଦୈନ୍ୟଦିନ ଜୀବନ ଜୀବିକାରେ ସାମିଲ ହେଉଥିବା ପଶୁପକ୍ଷୀଙ୍କ ଦୀର୍ଘ ଜୀବନ କାମନା କରି ଏହି ପୂଜାରେ ଭଗବାନଙ୍କୁ ସ୍ମରଣ କରିଥାନ୍ତି। କୁଡୁୁମୀ ସମାଜ ମହାନ୍ତ ସମ୍ପ୍ରଦାୟ ଲୋକମାନେ ପୁରାତନ କାଳରୁ ପ୍ରତିଗ୍ରାମରେ ଜଣଙ୍କୁ ଗ୍ରାମ ପ୍ରଧାନ ଭାବେ ଚୟନ କରନ୍ତି । ଚୟନ ହୋଇଥିବା ଲୋକ ଗ୍ରାମ ପ୍ରଧାନ ବା ଗ୍ରାମଦେବୀଙ୍କ ପୂଜକ ଭାବେ ନାମିତ ହୋଇଥାନ୍ତି। ସିଏ ସମ୍ପୃକ୍ତ ସମାଜର ପୂଜା ପାଠ କରିଥାନ୍ତି।
ଗୋଠପୂଜା ଦିନ ସବୁ ଆଡ଼େ ଆଲୋକର ପର୍ବ ଦୀପାବଳି ପାଳନ ହେଉଥିବା ବେଳେ କୁଡ଼ୁମୀ ସମାଜ ଗୋମାତାଙ୍କ ଉଦ୍ଦେଶ୍ୟରେ ଗାଈଗୋଠରେ ପୂଜା କରି ଅଣ୍ଡା ମଡ଼ାଇ ଥାଆନ୍ତି । ଗୋଠପୂଜା ଏକ ନିଆରା ଢଙ୍ଗରେ କରାଯାଏ। ଗ୍ରାମବାସୀ ମିଳିତ ହୋଇ ଦୀପାବଳି ପୂର୍ବ ଦିନ ଅପରାହ୍ନରେ ଗାଈଗୋଠକୁ ସଫେଇ କରି ଏକ ପୂଜାସ୍ଥଳ ପ୍ରସ୍ତୁତ କରନ୍ତି। ସେଠାରେ ଗୋଠ ପୂଜା କରାଯାଏ । ଏଥିସହ ପାରମ୍ପରିକ ବନ୍ଦନା ଗୀତ ଗାଇ ଗୋଠ ଜାଗନ (ଜଗାଇବା )କାମ କରିଥାନ୍ତି । ଦୀପାବଳି ଦିନ ଗ୍ରାମ ପ୍ରଧାନ (ପୂଜକ) ବିନା ଜଳ ଓ ଖାଦ୍ୟ ଗ୍ରହଣ କରି ଉପବାସରେ ରହି ସାରେ ଗୋଠ ପୂଜା କରନ୍ତି । ପୂଜକ ପରିବାର ପକ୍ଷରୁ ଜଣେ ମହିଳା ଉପବାସ ରହି ପୂଜା ସ୍ଥଳ କୋଠି କରିବାକୁ ଚାଉଳ ଗୁଣ୍ଡ ପ୍ରସ୍ତୁତ କରନ୍ତି । ସେଦିନ ଅପରାହ୍ନରେ ଗଉଡ଼ ଘରକୁ ଗାଈ ଗୋରୁ ଆଣିବା ପରେ ନିଜ ଗୋରୁଙ୍କୁ ନେଇ ଗୋଠକୁ ସମସ୍ତେ ଯାଇଥାନ୍ତି । ସେଠାରେ ଗ୍ରାମ ପ୍ରଧାନ ଗ୍ରାମଦେବୀଙ୍କ ଠାରୁ ଆରମ୍ଭ କରି ବଡ଼ ପାହାଡ, ଛୋଟ ପାହାଡ, ବାଘୁତ୍ ( ବନର ରାଜା ବାଘ) ବୃକ୍ଷ ସହ ଅନ୍ୟାନ୍ୟ ଦେବାଦେବୀଙ୍କୁ ଆହ୍ବାନ କରନ୍ତି । ପୂର୍ବରୁ ବଳି ପ୍ରଥା ଚାଲିଥିଲା। ସମୟ କ୍ରମେ ସେହି ପ୍ରଥା ବନ୍ଦ ହେବା ସହ ନଡ଼ିଆ ଭୋଗ କରାଯାଉଛି। ଏବେବି କେତେଜଣ ଲୋକ କୁକୁଡ଼ା ବଳି ଦେଉଛନ୍ତି । ଯେଉଁ ସ୍ଥାନରେ କୁକୁଡ଼ା ବଳି ଦିଆଯାଇଥାଏ ସେଠାରେ ସେହି ମାଂସ ସହିତ ଚାଉଳ ଗୁଣ୍ଡ ମିଶାଇ ନେଟ ଭୋଗ ପ୍ରସ୍ତୁତ କରାଯାଏ। ସମସ୍ତେ ସେହି ଭୋଗ ଖାଇଥାଆନ୍ତି । ପରେ ପୂଜା କରିଥିବା ପୂଜକ ମାଦଳର ତାଳେ ତାଳେ ଗୀତ ଗାଇ ଓ ନାଚ କରି ଘରେ ପହଞ୍ଚିଥାଆନ୍ତି। ଗୋଠରେ ପୂଜା ହୋଇଥିବା ଅଣ୍ଡାକୁ ଯେଉଁ ଗାଈ ମଡା ପକାଇଥିବ ସେହି ଗାଈର ମାଲିକଙ୍କ ଘରେ ଗାଁର ସମସ୍ତ ଲୋକେ ଭୋଜନ କରିଥାନ୍ତି। ପରେ ଗ୍ରାମର ସମସ୍ତ ପରିବାରରୁ ଜଣେ ସଦସ୍ୟ ଧିଙ୍ଗୁଆନରେ ସାମିଲ ହୁଅନ୍ତି । ଗାଁ ମୁଣ୍ଡରୁ ଗ୍ରାମ ଦେବୀଙ୍କୁ ପ୍ରଣାମ କରି ପ୍ରତି ପରିବାରକୁ ଯାଇ ଲୋକ ଗୀତ ଗାଇ ମନୋରଞ୍ଜନ କରନ୍ତି। ଏଥିସହ ପରିବାର ମଧ୍ୟରେ ମତାନ୍ତରକୁ ଦୂର କରିଥାନ୍ତି। ଗ୍ରାମର ସମସ୍ତ ପରିବାର ପହଞ୍ଚିବା ପରେ ଧିଙ୍ଗୁଆନ ଶେଷ କରିଥାନ୍ତି ।

Share