ମାହାଙ୍ଗା ଡବଲ ମର୍ଡର ଘଟଣା: କୋର୍ଟରେ ହାଜର ହେଲେ ଥାନାଧିକାରୀ

ନିଶ୍ଚିନ୍ତକୋଇଲି,୧୦ା୧୨(ସ୍ବ.ପ୍ର.): କଟକ ଜିଲା ମାହାଙ୍ଗା ଡବଲ ମର୍ଡର ଘଟଣା ଦିନକୁ ଦିନ ରୋଚକ ମୋଡ଼ ନେଉଛି। ଶେଷରେ ଜେଏମ୍‌ଏଫ୍‌ସି ଆଦେଶ ଆଗରେ ମୁଣ୍ଡ ନୁଆଇଁଛି ପୋଲିସ। ଶୁକ୍ରବାର କୋର୍ଟରେ ହାଜର ହୋଇଛନ୍ତି ମାହାଙ୍ଗା ଥାନାଧିକାରୀ।

ମାହାଙ୍ଗା ଡବଲ ମର୍ଡର ଘଟଣାରେ ଜେଏମ୍‌ଏଫ୍‌ସି କୋର୍ଟ ମାହାଙ୍ଗା ପୋଲିସକୁ ଅପଟୁଡେଟ୍‌ କେସ୍‌ ଡାଏରୀ ଓ ସିଡିଆର ସଂରକ୍ଷଣ କରି ୧୦ ତାରିଖ ପୂର୍ବାହ୍ନ ୧୦ଟା ୩୦ ସୁଦ୍ଧା ହାଜର ହୋଇ ତଥ୍ୟ ଦେବାକୁ ଆଦେଶ ଦେଇଥିଲେ। ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ମାହାଙ୍ଗା ଥାନାଧିକାରୀ ଜେଏମ୍‌ଏଫ୍‌ସିଙ୍କର ଏହି ନିର୍ଦ୍ଦେଶର ପୁନଃ ବିଚାର ପାଇଁ ସାଲେପୁର ଏଡିଜେ କୋର୍ଟରେ ଆବେଦନ କରିଥିଲେ। ମାନ୍ୟବର ଏଡିଜେ ଏହି ଆବେଦନକୁ ଖାରଜ କରିଥିଲେ। ଫଳରେ ଶୁକ୍ରବାର ସକାଳ ୧୦ଟା ପୂର୍ବରୁ ଦସ୍ତାବିଜ ସହ ମାହାଙ୍ଗା ଥାନାଧିକାରୀ ନିହାର ରଞ୍ଜନ ମହାନ୍ତି ସାଲେପୁର କୋର୍ଟରେ ପହଞ୍ଚିଛନ୍ତି। ଗତ ୪ ତାରିଖରେ ପୁନଃ ତଦନ୍ତ ରିପୋର୍ଟ ଓ ସିଡିଆର ଏହି ମାସ ୧୦ ତାରିଖ ସକାଳ ୧୦.୩୦ ସୁଦ୍ଧା କୋର୍ଟରେ ଜମା କରିବା ସହ କାହିଁକି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ନ ଯିବ ତାହା ମଧ୍ୟ ଆଜି ଜଣାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପୂର୍ବରୁ ପ୍ରୋଟେଷ୍ଟ ପିଟିଶନର ଶୁଣାଣି କରି ୨୪/୮ଏବଂ ୨୮/୧୧ରେ ଜେଏମ୍‌ଏଫ୍‌ସି ପୋଲିସକୁ ପୁନଃ ତଦନ୍ତ ରିପୋର୍ଟ ଓ ସିଡିଆର ସଂରକ୍ଷଣ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ କିନ୍ତୁ ପୋଲିସ କେବଳ ସମୟ ମାଗୁଥିଲା। ଆଜି କଟକ ଏସ୍‌ପି ଙ୍କ ଚିଠି ଓ ମାହାଙ୍ଗା ଆଇଆଇସିଙ୍କ ସତ୍ୟପାଠ ବଳରେ ଜେଏମ୍‌ଏଫ୍‌ସିଙ୍କ ନିର୍ଦ୍ଦେଶର ପୁନଃ ବିଚାର ପାଇଁ ଏଡିଜେ କୋର୍ଟରେ ହୋଇଥିବା ଆବେଦନକୁ କୋର୍ଟ ଖାରଜ କରିଛନ୍ତି।

Share