ବିବାହ ଭାଙ୍ଗିଯିବାରୁ ସଂସାରତ୍ୟାଗୀ ହୋଇଥିଲେ ମହନ୍ତ ନରେନ୍ଦ୍ର ଗିରି

ଭୋଗରାଇ,୩୦ା୯(ଡି.ଏନ.ଏ.): ଉତ୍ତର ପ୍ରଦେଶର ପ୍ରୟାଗରାଜସ୍ଥିତ ବାଗାମ୍ବରୀ ମଠ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ପରେ ତାଙ୍କ ପ୍ରକୃତ ପରିଚୟକୁ ନେଇ ସସ୍‌ପେନ୍ସ ବଢ଼ିବାରେ ଲାଗିଛି। ସେ କେଉଁ ରାଜ୍ୟର ବୋଲି ଠୋସ୍‌ ପ୍ରମାଣ ମିଳି ନ ଥିବା ବେଳେ ତାଙ୍କ ଘର ବାଲେଶ୍ୱର ଜିଲା ଭୋଗରାଇ ଥାନା ଅଧୀନ ପାଣିଷଣ୍ଡା ଗ୍ରାମରେ ବୋଲି ଦାବି ଉଠିଛି। ପାଣିଷଣ୍ଡା ଗ୍ରାମର ପୂଣ୍ଣର୍ର୍ଚନ୍ଦ୍ର ଗିରି ଓ ଲକ୍ଷ୍ମୀକାନ୍ତ ଗିରି ମହନ୍ତ ନରେନ୍ଦ୍ରଙ୍କ ଭାଇ ବୋଲି ଦାବି କରିଛନ୍ତି। ୩ ଭାଇ ଓ ୩ ଭଉଣୀଙ୍କ ମଧ୍ୟରେ ନରେନ୍ଦ୍ର ବଡ଼ ଥିବାବେଳେ ପରିବାର ଲୋକେ ତାଙ୍କୁ ଶ୍ରଦ୍ଧାରେ ଚୁଟିଆ ଡାକୁଥିଲେ। ଟିଭି ଓ ଖବରକାଗଜରୁ ଫଟୋ ଦେଖି ସେମାନେ ତାଙ୍କୁ ନରେନ୍ଦ୍ର ବୋଲି ଚିହ୍ନଟ କରିଥିବା କହିଛନ୍ତି।
ପାଣିଷଣ୍ଡା ଗ୍ରାମର ଏହି ପରିବାର ଆହୁରି କହିଛନ୍ତି ଯେ, ପାରିବାରିକ ସମସ୍ୟା ଓ ଆର୍ଥିକ ଅନଟନ ତାଙ୍କ ଜୀବନକୁ ଦୁର୍ବିସହ କରି ଗଢ଼ି ତୋଳିଥିଲା। ଯୌବନ ଅବସ୍ଥାରେ ତାଙ୍କ ବାହାଘର ପ୍ରସ୍ତାବ ଭାଙ୍ଗିଯିବାରୁ ସେତେବେଳେ(୫୨ ବର୍ଷ ପୂର୍ବରୁ) ସେ ଗୃହତ୍ୟାଗ କରି ସନ୍ୟାସୀ ହୋଇ ଯାଇଥିଲେ। ୧୦ ବର୍ଷ ପୂର୍ବେ ସାଧୁବେଶରେ ସେ ନିଜ ଜନ୍ମ ମାଟିକୁ ୩ ଥର ଆସିଥିଲେ। ତେବେ ତାଙ୍କ ହତ୍ୟାକାରୀଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରିବା ସହ ମଠର ସମସ୍ତ ସମ୍ପତ୍ତି ଓ ଅର୍ଥକୁ ସାମାଜିକ କାର୍ଯ୍ୟରେ ନିୟୋଜିତ କରିବାକୁ ମହନ୍ତଙ୍କ ଦୁଇ ଭାଇ ବୋଲି ଦାବି କରୁଥିବା ପୂଣ୍ଣର୍ର୍ଚନ୍ଦ୍ର, ଲକ୍ଷ୍ମୀକାନ୍ତ ଏବଂ ତାଙ୍କ ଭଉଣୀମାନେ ଦାବି କରିଛନ୍ତି ।
ସୂଚନାଯୋଗ୍ୟ, ମହନ୍ତ ନରେନ୍ଦ୍ର ଗିରିଙ୍କ ରହସ୍ୟଜନକ ମୃତ୍ୟୁ ପରେ ମଠର ଏକ କୋଠରୀରୁ ଉତ୍ତରପ୍ରଦେଶ ପୋଲିସ ସୁଇସାଇଡାଲ ନୋଟ ଜବତ କରିଥିଲା। ଏଥିରେ ଶିଷ୍ୟ ଆନନ୍ଦ ଗିରି ଓ ହନୁମାନ ପୂଜକ ଆଦ୍ୟା ତିୱାରୀ ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା ଉଲ୍ଲେଖ ଥିବାରୁ ଉତ୍ତରପ୍ରଦେଶ ପୋଲିସ ସେହି ଦୁଇଜଣକୁ ଗିରଫ କରି ଜେଲ ହାଜତକୁ ପଠାଇଛି। ଅନ୍ୟପକ୍ଷରେ ଏହି ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ମଧ୍ୟ ଆରମ୍ଭ ହୋଇଛି।

Share