
ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ମେଲଛାମୁଣ୍ଡାରେ ଗୁରୁବାର ଏକ ଚାଷୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ମେଲଛାମୁଣ୍ଡା କୃଷକ ସଂଗଠନ ପକ୍ଷରୁ ଆୟୋଜିତ ଉକ୍ତ ବୈଠକରେ ୬ ପଞ୍ଚାୟତର ଚାଷୀ ପ୍ରତିନିଧିମାନେ ଯୋଗ ଦେଇଥିଲେ। ଚାଷୀ ସମ୍ମିଳନୀରେ ଚାଷୀନେତା ରମେଶ ମହାପାତ୍ର ଯୋଗଦେଇ ଆସନ୍ତା ୧୭ ତାରିଖ ବରଗଡ଼ରେ ହେବାକୁ ଥିବା ବିଶାଳ କିଷାନ ମହାପଞ୍ଚାୟତ ଉପରେ ବିସ୍ତୃତ ସୂଚନା ଦେଇଛନ୍ତି। ମହାପଞ୍ଚାୟତରେ ସଂଯୁକ୍ତ କିଷାନ ମୋର୍ଚ୍ଚାର କେନ୍ଦ୍ରୀୟ ନେତୃବୃନ୍ଦ ଯୋଗଦେବେ ବୋଲି ସେ କହିଛନ୍ତି। ବିଦ୍ୟୁତ୍ର କମ୍ପାନୀକରଣ, ସ୍ମାର୍ଟମିଟର ସ୍ଥାପନ, ୩୦୦ ୟୁନିଟ୍ ମାଗଣା ବିଦ୍ୟୁତ୍, ବକେୟା ବିଦ୍ୟୁତ୍ ବିଲ୍ ଛାଡ଼, ଜଳସେଚନ କ୍ଷେତ୍ରରେ ବ୍ୟବହୃତ ବିଦ୍ୟୁତ୍ ଜଳକର ଆଧାରରେ ଧାର୍ଯ୍ୟ କରିବା, ବିଜୁ କୃଷକ କଲ୍ୟାଣ ଯୋଜନାରେ ଖୋଲାଯାଇଥିବା ଗଭୀର ନଳକୂପ ଗୁଡ଼ିକୁ ବିଦ୍ୟୁତ୍ ସଂଯୋଗ, ଚାଷଜମିରେ ବିଦ୍ୟୁତ୍ ଖୁଣ୍ଟ ପୋତା ଯାଇଥିଲେ ଅଧିଗ୍ରହଣ କରି କ୍ଷତିପୂରଣ ପ୍ରଦାନ ପ୍ରସଙ୍ଗରେ ମହାପଞ୍ଚାୟତରେ ଆଲୋଚନା କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଚାଷୀନେତା ମହାପାତ୍ର ବୈଠକରେ ସୂଚନା ଦେଇଛନ୍ତି। ତେବେ ବୈଠକ ପରେ ଏକ ଚାଷୀ ପ୍ରତିନିଧି ଦଳ ମେଲଛାମୁଣ୍ଡା ମଣ୍ଡି ପରିଦର୍ଶନରେ ଯାଇଥିଲେ। ମଣ୍ଡିରେ ଚାଷୀଙ୍କ ଧାନବିକ୍ରି ନେଇ ବାରଣ କରାଯାଉଥିବା ଯୋଗୁ ସେ ନେଇ ବିଭାଗୀୟ କର୍ମଚାରୀଙ୍କ ସହିତ ଚାଷୀ ପ୍ରତିନିଧିବୃନ୍ଦ ବିଭାଗୀୟ କର୍ମଚାରୀଙ୍କ ସହିତ ଆଲୋଚନା କରିଥିଲେ। ଏହି ସମୟରେ ଚାଷୀ ପ୍ରତିନିଧି ଆନନ୍ଦ ଦିଶ୍ରୀ, ବିଶ୍ୱେଶ୍ୱର ନାୟକ, ବିମଳ ବାରିକ, ହାରାଧନ ସାହୁ, ସୁଶିଲ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।