ବନଭୋଜି ବେଶରେ ମହାପ୍ରଭୁ

ପୁରୀ ଅଫିସ,୨୩ା୮:ଶ୍ରୀମନ୍ଦିରରେ ସୋମବାର କୋଳିବିକା ନୀତି ଓ ଶ୍ରୀବିଗ୍ରହଙ୍କ ବନଭୋଜି ବେଶ ଅନୁଷ୍ଠିତ ହୋଇଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ବଡ଼ଭାଇ ପ୍ରଭୁ ବଳଭଦ୍ର ହାତରେ ବାଡ଼ି ଆଉ ଶିକାରେ ଲହୁଣି ଧରି ବେଶ ହୋଇଛନ୍ତି। ମଧ୍ୟାହ୍ନ ଧୂପ ପରେ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ଆଜ୍ଞାମାଳ ଲାଗି କରାଯାଇଥିଲା। ପରେ ରାମ ଓ କୃଷ୍ଣଙ୍କୁ ଆଜ୍ଞାମାଳ ଲାଗି କରାଯାଇଥିଲା। ବଟଦ୍ୱାର ପାଖରେ ଥିବା ପାଲିଙ୍କିରେ ରାମକୃଷ୍ଣ ଅଧିଷ୍ଠିତ ହୋଇଥିଲେ। ଏହି ପାଲିଙ୍କିକୁ ବିମାନବଡୁ ସେବକମାନେ ଘଣ୍ଟ, ଛତା, କାହାଳୀ ସହ ପଟୁଆରରେ ନେଇ ଶ୍ରୀମନ୍ଦିର ସିଂହଦ୍ୱାର ପାଶର୍‌ବ ବଡ଼ଛତା ମଠ ସମ୍ମୁଖ କାଠ ସିଂହାସନରେ ବିଜେ କରାଇଥିଲେ। ସେଠାରେ କୋଳିବିକା ନୀତି ସମ୍ପନ୍ନ ହୋଇଥିଲା। ପରେ ପୁଷ୍ପାଳକ ସେବକମାନେ ଶ୍ରୀବିଗ୍ରହମାନଙ୍କୁ ବନଭୋଜି ବେଶରେ ସଜ୍ଜିତ କରିଥିଲେ। ଏହି ବେଶରେ ମହାପ୍ରଭୁଙ୍କୁ ଖୁଆପେଡ଼ା ମାଳି ସହ ପ୍ରାୟ ୧୮ ପ୍ରକାର ଅଳଙ୍କାର ଲାଗିହୋଇଥିଲା। ସେହିପରି କୃଷ୍ଣଲୀଳା କ୍ରମରେ ବାଲିସାହି ଜାଗା ଆଖଡ଼ା ପକ୍ଷରୁ ବକାସୁର ବାହାରି ନଗର ପରିକ୍ରମା ସାରି ଶ୍ରୀମନ୍ଦିର ଦର୍ଶନ କରିଥିଲେ। ସେଠାରେ ବକାସୁର ବଧ ଓ ଅର୍ଘାସୁର ବଧ ନୀତି ସମ୍ପନ୍ନ ହୋଇଥିଲା। ପୁରାଣ ଓ ପରମ୍ପରା ମୁତାବକ ଶ୍ରୀକୃଷ୍ଣ ଏବଂ ବଳରାମ ବାଲ୍ୟଲୀଳାରେ ଗାଈ ବାଛୁରି ନେଇ ବନଭୋଜିକୁ ଯିବା ଘଟଣା ଆଧାରରେ ଶ୍ରୀମନ୍ଦିରରେ ବନଭୋଜି ବେଶ ପାଳନ ହେଉଥିବା ସାଧାରଣରେ ବିଶ୍ୱାସ ରହିଛି। ମଙ୍ଗଳବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କାଳୀୟ ଦଳନ ବେଶ ଓ ମାର୍କେଣ୍ଡେୟ ପୁଷ୍କରଣୀଠାରେ କାଳୀୟ ଦଳନ ନୀତି ଅନୁଷ୍ଠିତ ହେବ।

Share