ବାହୁଡ଼ିଲେ ମହାପ୍ରଭୁ, ଶ୍ରୀମନ୍ଦିର ସମ୍ମୁଖରେ ୩ ରଥ

ପୁରୀ,୨୮ା୬(ଅଜିତ୍‌ ମହାନ୍ତି): ପବିତ୍ର ଆଷାଢ଼ ଶୁକ୍ଳପକ୍ଷ ଦଶମୀ ତିଥି ଅବସରରେ ବିଶ୍ୱନିୟନ୍ତା କାଳିଆ ଠାକୁରଙ୍କ ବାହୁଡ଼ା ଯାତ୍ରା ବୁଧବାର ଅନୁଷ୍ଠିତ ହୋଇଛି। ମହାପ୍ରଭୁଙ୍କ ଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ମା’ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ଜନ୍ମବେଦୀ ଆଡ଼ପ ମଣ୍ଡପ ଛାଡ଼ି କର୍ମବେଦୀ ଶ୍ରମନ୍ଦିର ଅଭିମୁଖେ ଯାତ୍ରା କରିଛନ୍ତି। ଲକ୍ଷଲକ୍ଷ ଭକ୍ତଙ୍କ ଗହଣରେ ଗଡ଼ିଛି ଦାରୁବିଗ୍ରହଙ୍କ ତିନି ରଥ। ପୁଣି ୯ ଦିନ ପରେ ବଡ଼ଦାଣ୍ଡରେ ପୁଣି ଭକ୍ତ ଓ ଭଗବାନଙ୍କ ମିଳନ ଘଟିଛି। ବଡ଼ ଠାକୁର ବଳଭଦ୍ର , ଉଉଣୀ ମା ସୁଭଦ୍ରା ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥ ଆଡ଼ପମଣ୍ଡପ ଶ୍ରୀଗୁଣ୍ଡିଚା ମନ୍ଦିର ଛାଡ଼ି ରଥାରୂଢ଼ ହୋଇ ଶ୍ରୀମନ୍ଦିର ଅଭିମୁଖେ ଭକ୍ତଙ୍କ ଗ୍ରହଣରେ ଯାତ୍ରା କରିଛନ୍ତି।

ତେବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ କରାଯାଇଥିବା ନୀତିକାନ୍ତିର ଯଥେଷ୍ଟ ପୂର୍ବରୁ ରଥଟଣା ଆରମ୍ଭ ହୋଇଥିଲା। ଭକ୍ତମାନେ ଜୟ ଜଗନ୍ନାଥ ଧ୍ୱନି ଦେଇ ଭକ୍ତିର ସହ ରଥକୁ ଭିଡ଼ି ଆଣି ଶ୍ରୀମନ୍ଦିର ସମ୍ମୁଖରେ ଲଗାଇ ଦେଇଛନ୍ତି। ପ୍ରଥମେ ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ରଥ ସିଂହଦ୍ୱାର ସମ୍ମୁଖରେ ଲାଗିଥିବା ବେଳେ ସନ୍ଧ୍ୟା ୬.୪୨ରେ ମହାପ୍ରଭୁଙ୍କ ରଥ ଲାଗିଥିଲା। ପାଗ ଅନୁକୂଳ ଥିବା ଯୋଗୁ ୮ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ସମାଗମ ହୋଇଥିଲା।

Share