ଆଜିଠୁ ପହିଲି ଭୋଗ ନୀତି

ପୁରୀ, ୧୬ା୧୨(ଅଜିତ୍‌ ମହାନ୍ତି): ଶନିବାର ଧନୁ ସଂକ୍ରାନ୍ତି ପଡୁଥିବାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପହିଲିଭୋଗ ନୀତି ଅନୁଷ୍ଠିତ ହେବ। ଏହି ନୀତି ଧନୁସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଦୀର୍ଘ ୧ମାସ ଧରି ଚାଲିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି। ପ୍ରତ୍ୟେକ ଦିନ ସୂର୍ଯ୍ୟୋଦୟ ପୂର୍ବରୁ ଶ୍ରୀମନ୍ଦିର ଦ୍ୱାର ଫିଟାଯାଇ ଭିତରଶୋଧ, ମହାପ୍ରଭୁଙ୍କ ମଙ୍ଗଳ ଆଳତି, ତଡପଲାଗି, ଅବକାଶ କରାଯାଇ ବେଶ ଶେଷ ପରେ ମହାପ୍ରଭୁଙ୍କୁ ପହିଲି ଭୋଗ ଲାଗି କରାଯାଏ। ଚଳିତ ମାସ ୧୬ ତାରିଖରୁ ଆସନ୍ତା ଜାନୁୟାରୀ ୧୪ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି ଅନୁଷ୍ଠିତ ହେବ। ସେଥିପାଇଁ ପ୍ରତିଦିନ ରାତ୍ର ୨ଟାରେ ଶ୍ରୀମନ୍ଦିର ଦ୍ୱାର ଫିଟାଯାଇ ୨ଟା ୩୦ରେ ଭିତରଶୋଧ କରାଯିବ। ମଙ୍ଗଳଆଳତି ୨ଟା ୪୫, ପହିଲି ଭୋଗ ଓ ଗୋପାଳ ବଲ୍ଲଭ ୫ଟା ୨୦ରୁ ୬ଟା, ସକାଳ ଧୂପ (କେବଳ କୋଠଭୋଗ) ୬ଟା ୩୦ରୁ ୮ଟା, ମଇଲମ ଓ ବେଶ ୮ଟା ୨୦ରୁ ୯ଟା, ଭୋଗମଣ୍ଡପ ୮ଟା ୨୦ରୁ ୧୦ଟା, ମଧ୍ୟାହ୍ନ ଧୂପ (କେବଳ କୋଠଭୋଗ) ୧୦.୩୦ରୁ ମଧ୍ୟାହ୍ନ ୧୨ଟା, ଦ୍ୱିତୀୟ ଭୋଗମଣ୍ଡପ ୧୧ଟା ୪୫ରୁ ୧ଟା, ଦ୍ୱାରଫିଟା ୪ଟା ୩୦, ସନ୍ଧ୍ୟା ଆଳତି ୫ଟା, ମଇଲମ – ବେଶ ସନ୍ଧ୍ୟା ୫ଟାରୁ ୬ଟା, ସନ୍ଧ୍ୟା ଧୂପ ୬ଟା ୩୦ରୁ ୮ଟା, ମଇଲମ ୮ଟା ୩୦, ଚନ୍ଦନ ଲାଗି ୯ଟା, ବଡ଼ସିଂହାର ବେଶ ୧୦ଟା, ଭୋଗ ୧୦ଟା ୩୦, ଟୋପରଲାଗି ୧୦ଟା ୪୫ ଏବଂ ରାତ୍ର ପହୁଡ଼ ରାତ୍ର ୧୧ଟାରେ ଅନୁଷ୍ଠିତ ହେବା ନେଇ ନିଷ୍ପତ୍ତି ହୋଇଛି।

Share