ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ବିକ୍ରି ହେଲା ମହାପ୍ରସାଦ

ପୁରୀ,୨୯।୬(ଅଜିତ୍‌ ମହାନ୍ତି)ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ସମୟରେ ବୁଧବାର ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ନିକଟରେ ମହାପ୍ରସାଦ ବିକ୍ରି ଘଟଣା ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେଇଛି। କେତେଜଣ ସେବାୟତ ମହାପ୍ରସାଦ ଆଣି ରାସ୍ତା ଉପରେ ଭକ୍ତଙ୍କୁ ବିକ୍ରୟ କରୁଥିବା ଦେଖିବାକୁ ମିଳିଥିଲା। ମହାପ୍ରଭୁ ନବଦିନାତ୍ମକ ଯାତ୍ରାରେ ଜନ୍ମବେଦିକୁ ଆସି ଆଡ଼ପମଣ୍ଡପରେ ଅବସ୍ଥାନ କରିବା ପରେ ବାହୁଡା ଯାତ୍ରା ଅବସରରେ ଭାଇଭଉଣୀଙ୍କୁ ସାଙ୍ଗରେ ଧରି ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିଛନ୍ତି। ମହାପ୍ରଭୁ ରଥ ଉପରକୁ ବିଜେ ହେବା ପୂର୍ବରୁ ତାଙ୍କ ନିକଟରେ ଖେଚୁଡି ମହାପ୍ରସାଦ ଲାଗି ହୋଇଥାଏ। ମହାପ୍ରଭୁ ଖେଚୁଡି ଖାଇ ଯାତ୍ରାକୁ ଆସିଥାନ୍ତି। ତେଣୁ ମହାପ୍ରଭୁଙ୍କ ନିକଟରେ ଅନ୍ୟ କିଛି ଭୋଗ ହୋଇ ନ ଥାଏ। ମାତ୍ର ମହାପ୍ରଭୁ ରଥାରୂଢ଼ ହୋଇ ଶ୍ରୀମନ୍ଦିର ଅଭିମୁଖେ ଆସୁଥିବା ସମୟରେ ଶ୍ରୀଗୁଣ୍ଡିଚା ସିଂହଦ୍ୱାର ନିକଟରେ କେତେଜଣ ସେବାୟତ ରାସ୍ତାକଡରେ ରଖି ଭକ୍ତମାନଙ୍କୁ ବିକ୍ରୟ କରିଥିଲେ। ଜଣଙ୍କ ପିଛା ୧୦୦ ଏବଂ ୧୫୦ ଟଙ୍କା ହିସାବରେ ମହାପ୍ରସାଦ ବିକ୍ରୟ କରାଯାଇଥିଲା। ଅବଢ଼ା, ଡାଲି, ବେସର, ମହୁର, କାନିକା, ମିଠା ଡାଲି ଆଦି ବିକ୍ରି କରୁଥିବା ଦେଖିବାକୁ ମିଳିଥିଲା। ଅପରପକ୍ଷରେ ଆନନ୍ଦବଜାରରେ ମହାପ୍ରସାଦ ବିକ୍ରି କରିବା ପାଇଁ ପ୍ରଶାସନ କହିଥିବା ବେଳେ ମନ୍ଦିର ବାହାରେ ମହାପ୍ରସାଦ ବିକ୍ରି ଉପରେ କଟକଣା ଜାରି କରିଛି। ଏହାସତ୍ତ୍ୱେ କେଉଁ ପରିସ୍ଥିତିରେ ଶ୍ରୀଗୁଣ୍ଡିଚା ମନ୍ଦିର ବାହାରେ ମହାପ୍ରସାଦ ବିକ୍ରି କରାଗଲା ତାହାକୁ ନେଇ ପ୍ରଶ୍ନ ଉଠିଛି। ତେବେ ଏ ନେଇ ସେବାୟତ ନିଯୋଗ କିମ୍ବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Share