Categories: ଜାତୀୟ

ମହାରାଷ୍ଟ୍ର ବିଧାନସଭା ନିଷ୍ପତ୍ତି ତରବରିଆ କରିବାକୁ ଚାହୁଁ ନାହିଁ: ନାର୍ଭେକର…

ମୁମ୍ବାଇ, ୧୯।୯: ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନାର୍ଭେକର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ବିଧାୟକଙ୍କ ବିରୋଧରେ ଦାଖଲ ହୋଇଥିବା ଅଯୋଗ୍ୟତା ଆବେଦନ ଉପରେ ମନଇଚ୍ଛା ବିଳମ୍ବ କରିଥିବା ଅଭିଯୋଗ ଉପରେ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ସେ ତରବରିଆ କିଛି ନିଷ୍ପତ୍ତି ନେବାକୁ ଚାହୁଁ ନାହିଁ।

ଏକ ସପ୍ତାହ ମଧ୍ୟରେ ଏହି ମାମଲାର ନିଷ୍ପତ୍ତି ପାଇଁ ସମୟସୀମା ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ମୋ ପାଖରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର କୌଣସି ସୂଚନା ନାହିଁ। ମୁଁ ଏହି ପ୍ରସଙ୍ଗରେ ବିଳମ୍ବ କରିବାକୁ ଆଗ୍ରହୀ ନୁହେଁ କିମ୍ବା ମୁଁ ଏହାକୁ ଶୀଘ୍ର କରିବାକୁ ଚାହେଁ ନାହିଁ ।

ସୁପ୍ରିମକୋର୍ଟଙ୍କ ମନ୍ତବ୍ୟ ଉପରେ ସେ କହିଛନ୍ତି, ବୋଧହୁଏ ଯଥାର୍ଥ ସମୟ ମଧ୍ୟରେ ପିଟିଶନର ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ସତ୍ତ୍ୱେ ଏପର୍ଯ୍ୟନ୍ତ କିଛି କରାଯାଇନାହିଁ। ମୁଁ ସୁପ୍ରିମକୋର୍ଟଙ୍କ ଆଦେଶର କପି ପାଇ ନାହିଁ। କୋର୍ଟରେ କ’ଣ ହେଲା ମୁଁ ଜାଣେ ନାହିଁ। କୋର୍ଟଙ୍କ ନିର୍ଦ୍ଦେଶ ପରେ ହିଁ ମୁଁ ଏହା ଉପରେ ମନ୍ତବ୍ୟ ଦେବି।

ସୁଯୋଗ ପାଇବା ମାତ୍ରେ ସେ ଏହା ଉପରେ ନିଷ୍ପତ୍ତି ନେବେ। ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଏହି ପ୍ରସଙ୍ଗରେ କହିଛନ୍ତି ଏହା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜାରି ରହିପାରିବ ନାହିଁ, ଏଥିପାଇଁ ଆମକୁ ଏକ ସମୟସୀମା ଦିଅନ୍ତୁ। ଧାର୍ଯ୍ୟ ସମୟ ମଧ୍ୟରେ ବିଧାନସଭା ବାଚସ୍ପତି ନିଷ୍ପତ୍ତି ନେବାକୁ ଜୁଲାଇରେ ଉଦ୍ଧବ ଠାକରେ ଦଳ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଶିବସେନା (ୟୁବିଟି) ଏମପି ସୁନୀଲ ପ୍ରଭାସ ୨୦୨୨ ମସିହାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏବଂ ତାଙ୍କ ବିଧାୟକଙ୍କ ବିରୋଧରେ ଅଯୋଗ୍ୟତା ଆବେଦନ କରିଥିଲେ। ବାଚସ୍ପତି ନାର୍ଭେକର ଜାଣିଶୁଣି ଏହି ନିଷ୍ପତ୍ତିରେ ବିଳମ୍ବ କରିଥିବା ସେ ଅଭିଯୋଗ କରିଥିଲେ।

Share