Advertisement

ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ରାଜନୀତି

ମୁମ୍ବାଇ,୨୨।୧୨: ଗତ ୪୫ ଦିନ ହେବ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କୌଣସି ସାଧାରଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିନାହାଁନ୍ତି କିମ୍ବା ଅଫିସକୁ ଆସୁନାହାଁନ୍ତି। ନିକଟରେ ତାଙ୍କର ଏକ ଗଳା ଅପରେଶନ ହୋଇଥିଲା। ଏହାପରେ ସେ ଏବେ ବିଶ୍ରାମ ନେଉଛନ୍ତି। ମହାରାଷ୍ଟ୍ର ଭାଜପା ସଭାପତି ଚନ୍ଦ୍ରକାନ୍ତ ପାଟିଲ ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକୁର ସୁସ୍ଥ ନ ହେବା ପର୍ଯ୍ୟନ୍ତ ତାଙ୍କ ଦାୟିତ୍ୱ ଅନ୍ୟ କାହାକୁ ଦେବା ଉଚିତ୍‌। ମହାରାଷ୍ଟ୍ର ବିଧାନସଭାର ଶୀତକାଳୀନ ଅଧିବେଶନରେ ତାଙ୍କର ଅନୁପସ୍ଥିତି ଠିକ ବୋଲି ବିବେଚନା କରାଯିବ ନାହିଁ। ଯଦି ଉଦ୍ଧବଙ୍କର କଂଗ୍ରେସ ଏବଂ ଏନସିପି ଉପରେ ବିଶ୍ୱାସ ନାହିଁି, ତେବେ ଏହି ଦାୟିତ୍ୱକୁ ରାଜ୍ୟ ମନ୍ତ୍ରୀ ଏବଂ ତାଙ୍କ ପୁଅ ଆଦିତ୍ୟ ଠାକରେଙ୍କୁ ହସ୍ତାନ୍ତର କରନ୍ତୁ ବୋଲି ସେ କହିଛନ୍ତି।
ପାଟିଲ ଆହୁରି ମଧ୍ୟ କହିଛନ୍ତି,ଏଭଳି କାର୍ଯ୍ୟ କେତେ ଦିନ ଚାଲିବ, କାରଣ ମୁଖ୍ୟମନ୍ତ୍ରୀ ବିନା ପ୍ରଶାସନ ଚାଲିପାରିବ ନାହିଁ, ପ୍ରତ୍ୟେକ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ଆବଶ୍ୟକ। ଏପରି ପରିସ୍ଥିତିରେ ଅନ୍ୟ କାହାକୁ ଏହି ଚାର୍ଜ ଦେବା ଉଚିତ୍‌।
ଏଥି ସହିତ ମୁଖ୍ୟମନ୍ତ୍ରୀ ଉଦ୍ଧବଙ୍କ ପୁଅ ତଥା ମନ୍ତ୍ରୀ ଆଦିତ୍ୟ ଠାକରେ ପାଟିଲଙ୍କ ବିବୃତ୍ତିରେ କହିଛନ୍ତି ଯେ ମୋ ବାପା ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ କିଛି ଦିନ ପରେ ସେ କାମକୁ ଫେରିବେ। ସେ ପାଟିଲଙ୍କ ବିବୃତ୍ତିକୁ ଭିତ୍ତିହୀନ ବୋଲି କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share