ମହାରାଷ୍ଟ୍ରରେ ହଟିଲା କରୋନା ମହାମାରୀର ସମସ୍ତ କଟକଣା

ମୁମ୍ବାଇ,୩୧ ।୩: ଦେଶରେ ବେଳକୁ ବେଳ କରୋନା ସଂକ୍ରମଣ କମି କମି ଆସୁଥିବାରୁ କିଛି ରାଜ୍ୟରେ କରୋନା କଟକଣାରେ କୋହଳ କରାଯାଇଥିବା ବେଳେ ଏବେ ମହାରାଷ୍ଟ୍ରରେ ସମସ୍ତ କରୋନା କଟକଣା ହଟାଇ ଦେବାକୁ ନିଷ୍ପତ୍ତି ନିଆଯାଇଛି । ଗୁରୁବାର ଉଦ୍ଧବ ଠାକରେ ସରକାରଙ୍କ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ଫେସ ମାସ୍କକୁ ନେଇ ଯେଉଁ ନିଷ୍ପତ୍ତି ନିଆଯାଇଛି ତାହା ହେଲା ଏହା ଜନସାଧାରଣଙ୍କ ଉପରେ ନିର୍ଭର କରେ ଯେ ସେମାନେ ମାସ୍କ ପିନ୍ଧିବେ ନା ନାହିଁ ।

ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ଏହି ସୂଚନା ଦେଇଛନ୍ତି ଏପ୍ରିଲ ୨ରୁ ଏହା ରାଜ୍ୟରେ ଲାଗୁ କରାଯିବ । ସେ କହିଛନ୍ତି ଉଦ୍ଧବ ଠାକରେଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ମରାଠି ନବବର୍ଷ ଗୁଡି ପଡୱା ପୂର୍ବରୁ କରୋନା କଟକଣାକୁ ହଟାଇ ଦିଆଯାଇଛି । ମହାରାଷ୍ଟ୍ରରେ ୨ ବର୍ଷରୁ ଅଧିକ ସମୟ ହେବ ମାସ୍କ ପିନ୍ଧିବା ଓ କରୋନା କଟକଣା ଲାଗୁ କରାଯାଇଥିଲା । ସୂଚନାଯୋଗ୍ୟ, ଗୁଡି ପଡୱା ଚଳିତ ବର୍ଷ ଏପ୍ରିଲ ୨ରେ ପଡୁଛି । ତେବେ ଏହି ସମୟରେ ମାସ୍କ ପିନ୍ଧିବା ସାଧାରଣ ଜନତାଙ୍କ ଉପରେ ନିର୍ଭର କରେ ସେମାନେ ମାସ୍କ ପିନ୍ଧିବେ କି ନାହିଁ । ତେବେ ମାସ୍କ ଉପରୁ କଟକଣା ହଟାଇବାରେ ମହାରାଷ୍ଟ୍ର ପ୍ରଥମ ରାଜ୍ୟ ପାଲଟିଗଲା ।

Share