Categories: ଜାତୀୟ

ଶୁକ୍ରବାର ମହାରାଷ୍ଟ୍ରରେ କ୍ୟାବିନେଟ ସମ୍ପ୍ରସାରଣ! ଫଡନ୍‌ଭିସଙ୍କୁ ଭେଟିଲେ ଅଜିତ୍‌ ପାଓ୍ବାର

ମୁମ୍ବାଇ,୧୩।୭: କ୍ୟାବିନେଟ ସମ୍ପ୍ରସାରଣ ଏବଂ ନୂତନ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ ପ୍ରସଙ୍ଗରେ ମହାରାଷ୍ଟ୍ରରେ ରାଜନୀତି ତୀବ୍ର ହୋଇଛି। ଏହି ସମୟରେ ଶିବସେନା ଗୁରୁବାର କହିଛି ଯେ, ରାଜ୍ୟ କ୍ୟାବିନେଟର ସମ୍ପ୍ରସାରଣ ଏବଂ ବିଭାଗ ବଣ୍ଟନ ଜୁଲାଇ ୧୪ରେ ହେବାର ସମ୍ଭାବନା ରହିଛି। ତେବେ ଶିବସେନା (ୟୁବିଟି) ଶିନ୍ଦେ ଦଳ ଉପରେ ଆକମ୍ରଣ କରି ଦାବି କରିଛି ଯେ, ଏକନାଥ ଶିନ୍ଦେ ନେତୃତ୍ୱାଧୀନ ଶିବିରର ବିଧାୟକମାନଙ୍କୁ କ୍ୟାବିନେଟ ସମ୍ପ୍ରସାରଣରେ ସ୍ଥାନ ଦିଆଯିବାର ଆଶଙ୍କା କମ୍‌ ରହିଛି।

ଏକ ବିଦ୍ରୋହରେ ବରିଷ୍ଠ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ନେତା ଅଜିତ ପାୱାର ଏବଂ ତାଙ୍କ ଦଳର ଅନ୍ୟ ୮ ଜଣ ବିଧାୟକ ଜୁଲାଇ ୨ରେ ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ତାଙ୍କ ପଦକ୍ଷେପ ପରେ ଶରଦ ପାୱାରଙ୍କ ନେତୃତ୍ୱରେ ସଂଗଠନରେ ବିଭାଜନ ହୋଇଯାଇଥିଲା। ଏହା ପରେ ଶିବସେନା-ଭାଜପା ମିଳିତ ସରକାରରେ ଏନସିପି ବିଧାୟକଙ୍କୁ ଅନ୍ତର୍ଭୁକ୍ତ କରି ବିଭାଗ ବଣ୍ଟନ ନେଇ ବିବାଦ ଆରମ୍ଭ ହୋଇଛି। ଶିବସେନା ମୁଖପାତ୍ର ସଞ୍ଜୟ ଶିରସାଟ ଗୁରୁବାର କହିଛନ୍ତି, ଶୁକ୍ରବାର କ୍ୟାବିନେଟ ସମ୍ପ୍ରସାରଣ ଏବଂ ବିଭାଗ ବଣ୍ଟନ ହେବାର ୯୯% ସମ୍ଭାବନା ରହିଛି।

ନୂତନ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଅଜିତ୍‌ ପାୱାର ଗୁରୁବାର ଭାଜପା ନେତା ତଥା ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନ୍‌ଭିସଙ୍କୁ ଭେଟିଛନ୍ତି। ଏହାପୂର୍ବରୁ ଅଜିତ୍‌ ପାୱାର ଏବଂ ଦେବେନ୍ଦ୍ର ଫଡନ୍‌ଭିସ ତାଙ୍କ ବାସଭବନରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ସହ ଆଲୋଚନା କରିଥିଲେ।

Share